କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୬/୦୭ : ଅଗଷ୍ଟ ୧୫ ସୁଦ୍ଧା କୋଭିଡ୍-୧୯ ଟୀକା ପ୍ରସ୍ତୁତ ହେବ ବୋଲି ଆଇସିଏମ୍ଆର ଉଲ୍ଲେଖ କରିବା ପରେ, ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହାର ବାସ୍ତବତାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ମାତ୍ର ଆଜି ଆଇସିଏମ୍ଆର ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଆନ୍ତର୍ଜାତିକ ସ୍ତରର ସମସ୍ତ ନିୟମାବଳୀକୁ ଅନୁକରଣ କରାଯାଇ କୋଭିଡ୍ ଟୀକା ପ୍ରସ୍ତୁତ ପାଇଁ ଉଦ୍ୟମ ହେଉଛି ।
ଆଇସିଏମ୍ଆର ପକ୍ଷରୁ ଆହୁରି କୁହାଯାଇଛି ଯେ, ଟୀକା ଉଦ୍ଭାବନରେ ଷ୍ଟେଜ୍-୧, ଷ୍ଟେଜ୍-୨ ଓ ଷ୍ଟେଜ୍-୩ ମଧ୍ୟରେ ରହିଥିବା ଅନାବଶ୍ୟକ ଅବଧିକୁ କାଣ୍ଟଛାଣ୍ଟ କରାଯାଉଛି । ବିଶ୍ୱର ବିଭିନ୍ନ ପ୍ରମୁଖ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଅନୁଷ୍ଠାନ ମାନଙ୍କ ସହିତ ଆଲୋଚନା କରାଯାଇଛି ।
ଭାରତ ବାୟୋଟେକ୍, ଆଇସିଏମ୍ଆର ଓ ଏନ୍ଆଇଭିର ମିଳିତ ଉଦ୍ୟମରେ ଭାରତରେ ନିଜସ୍ୱ କରୋନା ଟୀକା ପ୍ରସ୍ତୁତି ଜୋରଦାର ହୋଇଛି । ସେହିପରି ଜୁଲାଇ ୭ ତାରିଖରୁ ଦେଶବ୍ୟାପୀ ୧୨ଟି ହସ୍ପିଟାଲରେ ଟୀକା ପରୀକ୍ଷଣ ନେଇ ନିଶ୍ଚିତ କରିବାକୁ ଆଜି ଆଇସିଏମ୍ଆର ଡିଜି ବଳରାମ ଭାର୍ଗଭ ନିର୍ଦ୍ଦେଶ ଦେବା ସହ ଟୀକା ପରୀକ୍ଷଣରେ ବିଭିନ୍ନ ପର୍ଯ୍ୟାୟର ସମସ୍ତ ଡାଟାକୁ ଅପଡେଟ୍ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।