ମହାକାଶ ଗବେଷଣା କ୍ଷେତ୍ରରେ କୃତ୍ରିମ ଉପଗ୍ରହ ଓ ରକେଟ ମଡେଲ ତିଆରି ପାଇଁ ଇସ୍ରୋ-ଭିସୁଟ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

0 275
greentech
  • ମହାକାଶ ଗବେଷଣା କ୍ଷେତ୍ରରେ ବୁର୍ଲାସ୍ଥିତ ଭିସୁଟକୁ ବୈଷୟିକ ଓ ଆର୍ଥିକ ସହାୟତା ଯୋଗାବ ଇସ୍ରୋ
  • ଇସ୍ରୋ ସହ ବୈଷୟିକ ଜ୍ଞାନକୌଶଳ ସଂକ୍ରାନ୍ତ କୌଣସି ଚୁକ୍ତି କରିବାରେ ଭାରତରେ ଭିସୁଟ ହେବ ‌ପ୍ରଥମ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର/ବାଙ୍ଗାଲୁରୁ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୮ : ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ଓ ଆର୍ଥିକ ସହାୟତା ପାଇଁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌) ଏବଂ ଭାରତୀୟ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର (ଇସ୍ରୋ) ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି। ଏହାସହିତ ଇସ୍ରୋ ସହଯୋଗରେ ଭିସୁଟ୍‌ରେ ବୀର ସୁରେନ୍ଦ୍ର ସାଏ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର ସ୍ଥାପନ ପାଇଁ ଇସ୍ରୋ ଓ ଭିସୁଟ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି।

ଇ​​ସ୍ରୋ ଅଧ୍ୟକ୍ଷ ତଥା ବିଶିଷ୍ଟ ମହାକାଶ ବିଜ୍ଞାନୀ ଡ. କେ. ଶିବାନ ଓ ଭିସୁଟ କୁଳପତି ପ୍ରଫେସର ଅଟଳ ଚୌଧୁରୀ ଏମଓୟୁରେ ସ୍ୱାକ୍ଷର କରିଛନ୍ତି। ଡ. ଶିବାନ ବେଙ୍ଗାଲୁରୁସ୍ଥିତ ଇସ୍ରୋ ମୁଖ୍ୟାଳୟ ଓ ପ୍ରଫେସର ଚୌଧୁରୀ ବୁର୍ଲା ଭିସୁଟରେ ଉପସ୍ଥିତ ରହି ‘ଜିଟ୍ସି ମିଟ୍ଜ’ ଆପ ଜରିଆରେ ଏମଓୟୁ ସ୍ୱାକ୍ଷର କରିଥିବା ଜଣାପଡ଼ିଛି।

ଉଭୟ ପକ୍ଷ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତିନାମା ଅନୁସାରେ ଏହି କେନ୍ଦ୍ର ସ୍ଥାପନ ପାଇଁ ଇସ୍ରୋ ସବୁ ପ୍ରକାର ବୈଷୟିକ ପରାମର୍ଶ ସହିତ ଅନ୍ତରୀକ୍ଷ ଗବେଷଣା ସୁବିଧାଯୁକ୍ତ ଏକ ବିଜ୍ଞାନାଗାର ବିକଶିତ କରିବା ପାଇଁ ୫୦ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେବ। କୃତ୍ରିମ ରକେଟ ଓ ଉପଗ୍ରହ ମଡେଲ ତିଆରି ପାଇଁ ଯାହା ବୈଷୟିକ ଜ୍ଞାନକୌଶଳ ଆବଶ୍ୟକ ସେ ସବୁ ଇସ୍ରୋ ଯୋଗାଇ ଦେବ। ଭିସୁଟରେ ବିକଶିତ ହୋଇଥିବା ରକେଟର କାର୍ଯ୍ୟକାରୀତା ପରୀକ୍ଷଣ ପାଇଁ ଥୁମ୍ବା, ଶ୍ରୀହରିକୋଟା, ବାଲେଶ୍ବର ଉତକ୍ଷେପଣ କେନ୍ଦ୍ରରେ ଉପଲବ୍ଧ ଥିବା ସୁବିଧାସୁଯୋଗ ଯୋଗାଇ ଦିଆଯିବ। ଇସ୍ରୋରେ ଉପଲବ୍ଧ ଥିବା ହାଇ-ଟେକ ପରୀକ୍ଷଣର ସୀମିତ ସୁଯୋଗ ଭିସୁଟକୁ ଯୋଗାଇ ଦିଆଯିବ।

ଏହି ପ୍ରକଳ୍ପଗୁଡ଼ିକ ବିକଶିତ କରିବାରେ ସଂପୃକ୍ତ ଥିବା ଭିସୁଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେତେ ଜଣଙ୍କୁ ଇସ୍ରୋ ନିଃଶୁଳ୍କ କିମ୍ବା ରିହାତି ଫି’ରେ ଆବଶ୍ୟକ ପ୍ରଶିକ୍ଷଣ ଯୋଗାଇ ଦେବ ବୋଲି ଏମ୍‌ଓୟୁରେ ଦର୍ଶାଯାଇଛି। ଅନ୍ୟ ପକ୍ଷରେ ଭିସୁଟ୍‌ ଇସ୍ରୋଠାରୁ ଅନ୍ତରୀକ୍ଷ ଗବେଷଣା ଓ ରକେଟ ତିଆରି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଆହରଣ କରିବାର ସୁଯୋଗ ପାଇପାରିବ।

ରକେଟ ତିଆରି ପାଇଁ ଭିସୁଟ ଏହାର ସିଭିଲ, କେମିକାଲ, ମେକାନିକାଲ, ଇଲେକ୍ଟ୍ରିକାଲ ଇଂଜିନିୟରିଂ ଆଦି ସମସ୍ତ ବିଭାଗୀୟ ବିଜ୍ଞାନାଗାରକୁ ଉପ​ଯୋଗରେ ଲଗାଇବ। ଭିସୁଟ ପରବର୍ତ୍ତୀ ସମୟରେ ଅନ୍ତରୀକ୍ଷ ଉଦ୍ଭାବନ କ୍ଷେତ୍ରରେ କାମ କରୁଥିବା ଅନ୍ୟ ପ୍ରତିଷ୍ଠାନଗୁଡ଼ିକକୁ ଏହି ଜ୍ଞାନକୌଶଳକୁ ସଂପ୍ରସାରିତ କରିବା ଲକ୍ଷ୍ୟ ରଖିଛି। ବୀର ସୁରେନ୍ଦ୍ର ସାଏ ଅନ୍ତରୀକ୍ଷ ଉଦ୍ଭାବନ କେନ୍ଦ୍ରରେ ରକେଟ ତିଆରି କ୍ଷେତ୍ରରେ ଯେଉଁ ଛାତ୍ରଛାତ୍ରୀ ଗବେଷଣା କରିବେ ସେମାନଙ୍କୁ ଭିସୁଟ ନିଜସ୍ବ ପ୍ରଶିକ୍ଷଣ ମଧ୍ୟ ଯୋଗାଇ ଦେବ ବୋଲି କୁଳପତି ପ୍ରଫେସର ଚୌଧୁରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.

one × 3 =

error: Content is protected !!
Open chat