ଟେସ୍‌ଲାକୁ କେନ୍ଦ୍ରର କଡ଼ା ଜବାବ : ଭାରତରେ ବଜାର, ଚୀନ୍‌ରେ ନିଯୁକ୍ତି ଅସମ୍ଭବ

0 456
greentech

ନୂଆଦିଲ୍ଲୀ ୧୦/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଆମେରିକୀୟ ଇଲେକ୍ଟ୍ରିକ୍‌ ଯାନ ନିର୍ମାତା ଟେସ୍‌ଲା ଭାରତରେ କାରବାର କରିବ ଆଉ ଚୀନ୍‌ରେ ନିଯୁକ୍ତି ଦେବ ତାହା ସମ୍ଭବ ନୁହେଁ । କେନ୍ଦ୍ରମନ୍ତ୍ରୀ କ୍ରିଶନ ପାଲ ଗୁରଜାର ଏହା କହିଛନ୍ତି । ଭାରତରେ ଉତ୍ପାଦନ ନ କଲେ କମ୍ପାନିକୁ ଟିକସ ଛାଡ଼ର ପ୍ରଶ୍ନ ଉଠୁନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଭାରୀ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଲୋକସଭା ପ୍ରଶ୍ନକାଳରେ ଏହା କହିଛନ୍ତି ।

ସରକାରୀ ନୀତି ଅନୁସାରେ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ସ୍କିମ୍‌ଗୁଡିକ ପାଇଁ କମ୍ପାନି ଏ ଯାଏ ଆବେଦନ କରି ନ ଥିବା ସେ ସୂଚନା ଦେଇଛନ୍ତି । ପ୍ରକାଶଯୋଗ୍ୟ, ଏଲନ୍‌ ମସ୍କ ଅଧୀକୃତ କମ୍ପାନି ଟେସ୍‌ଲା ଏହାର ଇଲେକ୍ଟ୍ରିକ୍‌ ଯାନଗୁଡ଼ିକ ଉପରେ ଆମଦାନି ଶୁଳ୍କ ହ୍ରାସ କରିବା ପାଇଁ ଅନୁରୋଧ କରିଥିଲା । ଭାରତରେ ଇଲେକ୍ଟ୍ରିକ୍‌ ଗାଡି ଉତ୍ପାଦନ ନ କରିବା ଯାଏ କୌଣସି ପ୍ରକାର ଟିକସ ରିହାତି ନେଇ ବିଚାର କରାଯିବ ନାହିଁ ବୋଲି ଭାରୀ ଶିଳ୍ପ ମନ୍ତ୍ରାଳୟ ଜବାବ ଦେଇଥିଲା । ଗୁରଜାର କହିଛନ୍ତି ଯେ, ଅଟୋମୋବାଇଲ ଏବଂ ଅଟୋ ଉପକରଣ ସହିତ ଅତ୍ୟାଧୁନିକ କେମିଷ୍ଟ୍ରି ସେଲ୍‌(ଏସିସି) ଉତ୍ପାଦନ ପାଇଁ ସରକାର ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ(ପିଏଲ୍‌ଆଇ) ସ୍କିମ୍‌ ପ୍ରଚଳନ କରିଛନ୍ତି ।

ଉଭୟ ସ୍କିମ୍‌ ଘରୋଇ ଏବଂ ବିଦେଶୀ କମ୍ପାନିଗୁଡ଼ିକ ପାଇଁ ଉଦ୍ଦିଷ୍ଟ । ଟେସ୍‌ଲାକୁ ନେଇ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, କମ୍ପାନି ଚୀନ୍‌ରୁ କର୍ମଚାରୀ ଚାହେଁ କିନ୍ତୁ ଭାରତରେ ବଜାର । ମୋଦି ସରକାରରେ ଏହା ସମ୍ଭବ ନୁହେଁ । ସରକାରଙ୍କ ନୀତି ହେଉଛି ଯଦି ଭାରତ ବଜାରକୁ ବ୍ୟବହାର କରାଯାଉଛି, ତେବେ ନିଯୁକ୍ତି ସୁଯୋଗ ଭାରତୀୟଙ୍କ ପାଇଁ ହିଁ ତିଆରି ହେବା ଦରକାର । କଂଗ୍ରେସ ସଦସ୍ୟ କେ. ସୁରେଶଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହା କହିଛନ୍ତି ।

ମସ୍କଙ୍କ କମ୍ପାନୀ ଟେସ୍‌ଲା ଭାରତରେ ଏହାର ଗାଡ଼ିଗୁଡିକୁ ଆମଦାନି କରିବାକୁ ଚାହେଁ ଏବଂ ଏଥିପାଇଁ ଏହା ଟିକସ ରିହାତି ଚାହୁଁଛି । ଅନ୍ୟପକ୍ଷରେ, ଭାରତ ସରକାର ଲଗାତର କହିଆସୁଛନ୍ତି ଯେ, କମ୍ପାନି ଆମଦାନି କରିବା ପରିବର୍ତ୍ତେ ଭାରତରେ ଏହାର ଗାଡ଼ି ଉତ୍ପାଦନ କରୁ । ଏବେ ଟେସ୍‌ଲା ଆମେରିକା ବ୍ୟତୀତ ଜର୍ମାନି ଏବଂ ଚୀନ୍‌ରେ ଏହାର ଗାଡ଼ି ତିଆରି କରୁଛି । କମ୍ପାନି ଚୀନ୍‌ରେ ଥିବା ଏହାର କାରଖାନାରୁ ଏସିଆ ଏବଂ ୟୁରୋପୀୟ ବଜାରକୁ ଗାଡ଼ି ଆମଦାନି କରିଥାଏ । କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ନିକଟରେ କହିଥିଲେ ଯେ, ଟେସ୍‌ଲା ଭାରତକୁ ମେଡ୍‌ ଇନ୍‌ ଚାଇନା ଗାଡ଼ି ଆଣିବା ପରିବର୍ତ୍ତେ ଏଠାରେ କାରଖାନା ନିର୍ମାଣ କରୁ । ଭାରତ ସରକାର ଏବେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଇଲେକ୍ଟ୍ରିକ ଗାଡି ଆମଦାନିରେ ୧୦୦% ଶୁଳ୍କ ଲଗାଉଛନ୍ତି । ଏଭଳି କ୍ଷେତ୍ରରେ ଏ ଗାଡ଼ି ଦାମ ଦୁଇଗୁଣା ହୋଇଯାଉଛି । ଫଳରେ ଗାଡ଼ିଗୁଡ଼ିକର ପ୍ରତିସ୍ଫର୍ଦ୍ଧା କ୍ଷମତା କମିଯାଉଛି । ଅନ୍ୟପକ୍ଷରେ, ସରକାର ଇଲେକ୍ଟ୍ରିକ୍‌ ଗାଡି ଯନ୍ତ୍ରାଂଶ ଆମଦାନି ଉପରେ ୧୫ରୁ ୩୦% ଶୁଳ୍କ ଲଗାଉଛନ୍ତି । ସରକାରଙ୍କ ଏ ରଣନୀତିର ଲକ୍ଷ୍ୟ ହେଉଛି, ଭାରତରେ ପ୍ଲାଣ୍ଟ ବସାଇବା ପାଇଁ ବିଦେଶୀ କମ୍ପାନିଙ୍କୁ ପ୍ରେରିତ କରିବା ।

Leave A Reply

Your email address will not be published.

eighteen − 6 =

error: Content is protected !!
Open chat