‘ଜନ୍ସନ୍ ଆଣ୍ଡ୍ ଜନ୍ସନ୍’ କୋଭିଡ୍-୧୯ ଟିକାକୁ ଜରୁରୀ ବ୍ୟବହାର ତାଲିକାଭୁକ୍ତ କରିବା ଲାଗି ‘ଡବ୍ଲୁଏଚ୍ଓ’ର ଅନୁମୋଦନ
ଜେନିଭା: ‘ଜନ୍ସନ୍ ଆଣ୍ଡ୍ ଜନ୍ସନ୍’ କୋଭିଡ୍-୧୯ ଟିକାକୁ ଜରୁରୀକାଳୀନ ବ୍ୟବହାର ତାଲିକାଭୁକ୍ତ କରିବା ଲାଗି ଶୁକ୍ରବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁମୋଦନ କରିଛି। ବିଶେଷତଃ ଦୁର୍ବଳ ‘ରେଗୁଲେଟରି ଏଜେନ୍ସି’ ଥିବା ଦେଶଗୁଡ଼ିକରେ ଏହି ଟିକାର ବ୍ୟବହାର ନିମନ୍ତେ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସମ୍ମତି ପ୍ରଦାନ କରିଛି।
‘ଫାଇଜର୍/ବାୟୋଏନ୍ଟେକ୍’ ଏବଂ ‘ଅକ୍ସଫୋର୍ଡ/ଆଷ୍ଟ୍ରାଜେନିକା’ର ଦୁଇ ଡୋଜ୍ବିଶିଷ୍ଟ ଟିକାକୁ ଅନୁମୋଦନ ଦେବା ପରେ ତୃତୀୟ ଟିକା ଭାବେ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ‘ଜନ୍ସନ୍ ଆଣ୍ଡ୍ ଜନ୍ସନ୍’ର ଏକଡୋଜ୍ବିଶିଷ୍ଟ ଏହି କୋଭିଡ୍-୧୯ ନିରୋଧୀ ଟିକାକୁ ଅନୁମୋଦନ ଦେଇଛି।
ଏକ ବିବୃତିରେ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ର ମହାନିର୍ଦେଶକ ଟେଡ୍ରସ୍ ଆଢାନୋମ୍ ଗ୍ୟାବ୍ରିୟେସେସ୍ କହିଛନ୍ତି, କୋଭିଡ୍-୧୯ ବିପକ୍ଷରେ ପ୍ରତ୍ୟେକ ନୂତନ, ନିରାପଦ ଓ ଫଳପ୍ରଦ ଉପକରଣ ହେଉଛି ଏହି ମହାମାରୀକୁ କାବୁ କରିବାରେ ଆଉ ପାଦେ ଅଗ୍ରସର ହେବା।
କିନ୍ତୁ, ସବୁ ଦେଶର ସବୁ ଲୋକଙ୍କ ପାଇଁ ଉପଲବ୍ଧ ନ କରାଇଲେ ଏହି ଉପକରଣରୁ ଜାତ ଆଶା ଚରିତାର୍ଥ ହୋଇପାରିବ ନାହିଁ।
ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଜରୁରୀକାଳୀନ ବ୍ୟବହାର ତାଲିକାଭୁକ୍ତ ହେବାର ଅର୍ଥ ହେଲା ‘କୋଭାକ୍ସ’ ଦ୍ୱାରା ଏହି ଟିକା ଯୋଗାଡ଼ କରାଯାଇ ବଣ୍ଟନ କରିବାକୁ ସମ୍ମତି ଦେବା।
ଏହି ଟିକାର ବ୍ୟବହାର ବିଧି ସୁପାରିସ କରିବା ଲାଗି ଆସନ୍ତା ସପ୍ତାହରେ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ତା’ର ଟିକାକରଣ ବିଶେଷଜ୍ଞମାନଙ୍କର ଏକ ବୈଠକ ଡାକିବ।
ଗୋଟିଏ ଡୋଜ୍ବିଶିଷ୍ଟ ହୋଇଥିବାରୁ ଏହାର ପରିବହନ ସୁବିଧାଜନକ ହେବ ବୋଲି ମଧ୍ୟ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।