ଶିଶୁ ଯୌନ ନିର୍ଯାତନାରେ ଓଡ଼ିଶା ଚତୁର୍ଥ, ଆୟୋଗଙ୍କ ଜବାବ ତଲବ

0 828
greentech

ଭୁବନେଶ୍ୱର ୨୩/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ତଥ୍ୟ ଅନୁଯାୟୀ ଦେଶରେ ଶିଶୁ ଯୌନ ନିର୍ଯାତନାରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି। ଏହି ଘଟଣାକୁ ନେଇ ସଂସଦରେ ଆଲୋଚନା ହେବା ପରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗଙ୍କ ପକ୍ଷରୁ ରାଜ୍ୟ ଆଇନ ବିଭାଗକୁ ବିବରଣୀ ମଗାଯାଇଛି। ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ସଦସ୍ୟ ସଚିବ ରୂପାଲି ବାନାର୍ଜୀ ସିଂହ ରାଜ୍ୟ ଆଇନ ବିଭାଗ ପ୍ରମୁଖ ସଚିବଙ୍କୁ ଏନେଇ ପତ୍ର ଲେଖି ଜଣାଇଛନ୍ତି। ସେ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ ଶିଶୁଙ୍କ ସୁରକ୍ଷା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୦୫ରେ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯାଇଛି।

ଓଡ଼ିଶାରେ ଏହି ଘଟଣାର ବୃଦ୍ଧି ଜାତୀୟ ହାରଠାରୁ ମଧ୍ୟ ଅଧିକ ରହିଛି । ଏହା ଉପରେ ରୋକ ଲଗାଇବା ଲାଗି ଜାତୀୟ ଶିଶୁ ସୁରକ୍ଷା ଆୟୋଗଙ୍କ ପକ୍ଷରୁ ଶିଶୁ ସୁରକ୍ଷା ନିୟମ ୨୦୧୨ ଏବଂ ‘ପୋକ୍‌ସୋ’ ନିୟମ ୨୦୨୦ର ସଫଳ କାର୍ଯ୍ୟାନ୍ବୟନ ଉପରେ ଗୁରୁତ୍ବ ଦିଆଯାଇଛି । ଏହି ନିୟମର କାର୍ଯ୍ୟାନ୍ବୟନ ସହ ସମ୍ପୃକ୍ତ ଅଧିକାରୀଙ୍କୁ ପ୍ରଶିକ୍ଷଣ, କର୍ମଶାଳା, ପୁଲିସ ଏବଂ ଫରେନ୍ସିକ ବିଶେଷଜ୍ଞଙ୍କ ପ୍ରଶିକ୍ଷଣ ଓ ସଚେତନତା ଇତ୍ୟାଦି କାର୍ଯ୍ୟକ୍ରମ କରାଯିବା ବ୍ୟବସ୍ଥା ରହିଛି। ହେଲେ ଓଡ଼ିଶାରେ ଏସବୁ କାର୍ଯ୍ୟକ୍ରମ କେତେ କରାଯାଉଛି ତା’ର ବିବରଣୀ ଦେବାକୁ ସଦସ୍ୟ ସଚିବ ପତ୍ରରେ ଦର୍ଶାଇଛନ୍ତି।

ତଥ୍ୟ ଅନୁଯାୟୀ ଶିଶୁଙ୍କ ପ୍ରତି ଘଟୁଥିବା ବିଭିନ୍ନ ଅପରାଧରେ ଦଣ୍ଡବିଧାନ ହାର ଢେର କମ୍‌ ରହୁଥିବାବେଳେ ଏ ସଂକ୍ରାନ୍ତ ମାମଲା ଫଏସଲା ହେବାକୁ ବର୍ଷ ବର୍ଷ ଲାଗିଯାଉଛି । ଫଳରେ ଶିଶୁଙ୍କ ଅଧିକାର ସୁରକ୍ଷା ଓ ନିରାପତ୍ତା ପାଇଁ ସରକାର ଯେତେ ମନଲୋଭା ଯୋଜନା କରିବା ସହ କଡ଼ା ଆଇନ ପ୍ରଣୟନ କଲେ ମଧ୍ୟ ଶିଶୁଙ୍କ ପ୍ରତି ନିର୍ଯାତନା ଥମୁନି । ‘ଶିଶୁ ହସିଲେ ଦେଶ ହସିବ’ ବୋଲି ଦିଆଯାଉଥିବା ସରକାରୀ ସ୍ଳୋଗାନ ଧର୍ମକୁ ଆଖିଠାର ଭଳି ହେଉଛି । ଏନ୍‍ସିଆରବି ତଥ୍ୟ କହୁଛି ଯେ ୨୦୨୦ ସୁଦ୍ଧା ଶିଶୁଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତ ୪ ଲକ୍ଷ ୧୬ ହଜାର ୪୧୩ ମାମଲା ସମଗ୍ର ଦେଶରେ ବିଚାର ଅପେକ୍ଷାରେ ଥିବାବେଳେ ଓଡ଼ିଶାରେ ୧୫ ହଜାର ୨୨୮ ମାମଲା ରହିଛି। ଚଳିତବର୍ଷର ଶିଶୁ ନିର୍ଯାତନା ମାମଲା ସହିତ ଅଭିଯୋଗଫର୍ଦ ଦାଖଲ ନହୋଇ ଥାନାରେ ପଡ଼ିଥିବା ମାମଲାକୁ ମିଶାଇଲେ ଶିଶୁ ନିର୍ଯାତନା ସଂକ୍ରାନ୍ତ ମାମଲା ସଂଖ୍ୟା ଢେର ଅଧିକ ହେବ। ୨୦୧୯ ଶେଷ ବେଳକୁ ଓଡ଼ିଶାରେ ବିଚାର ପ୍ରତୀକ୍ଷାରେ ଏଭଳି ୧୨,୩୨୨ ମାମଲା ଥିବାବେଳେ ୨୦୨୦ ବର୍ଷରେ ବିଚାର ପାଇଁ ଆଉ ୩୨୨୬ ମାମଲା ମିଶିଥିଲା । ମୋଟାମୋଟି ଭାବେ ଓଡ଼ିଶାରେ ଶିଶୁଙ୍କ ପ୍ରତି ଘଟିଥିବା ବିଭିନ୍ନ ୧୫,୫୪୮ଟି ମାମଲା ଗତବର୍ଷରେ ବିଚାର ପାଇଁ ରହିଥିବାବେଳେ ଏଥିରୁ ମାତ୍ର ୩୨୦ଟି ମାମଲା ଫଏସଲା ହୋଇଛି। ଯେଉଁଥିରୁ ୨୬୬ରେ ଅଭିଯୁକ୍ତ ଖସିଯାଇଥିବାବେଳେ ମାତ୍ର ୫୪ଟି ମାମଲାରେ ଅଭିଯୁକ୍ତଙ୍କ ପ୍ରତି ଦଣ୍ଡବିଧାନ ହୋଇଛି।

Leave A Reply

Your email address will not be published.

13 − 9 =

error: Content is protected !!
Open chat