ଜାମ୍ମୁ / ଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ଆଜି ସକାଳ ପ୍ରାୟ ସାଢ଼େ ୭ଟାରେ ସିଆରପିଏଫର ଏକ ରୋଡ୍ ଓପନିଂ ପାର୍ଟି ଓ ପୁଲିସ କର୍ମଚାରୀ ମିଳିତ ଭାବେ ସୋପୋର ମଡେଲ ଟାଉନର ବାଇପାସ ନିକଟରେ ଚେକ୍ ପୋଷ୍ଟ ବସାଉଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଉପରେ ଗୁଳି ଚଳାଇଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ସ୍ଥାନୀୟ ନାଗରିକ ଆକ୍ରମଣରେ ପ୍ରାଣ ହରାଇଥିଲେ। ତେବେ ତାଙ୍କ ସହିତ ଥିବା ୩ ବର୍ଷର ନାତି ଅଳ୍ପକେ ରକ୍ଷା ପାଇଯାଇଥିଲା। ଯବାନମାନେ ଶିଶୁଟିକୁ ଉଦ୍ଧାର କରିଥିଲେ।
ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି। ସେନା ଅଧିକାରୀ ଏବଂ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଜାମ୍ମୁ-କାଶ୍ମୀରର ବାରାମୁଲା ଜିଲା ଅନ୍ତର୍ଗତ ସୋପୋରରେ ସିଆରପିଏଫ ଟିମ୍ ଉପରେ ବୁଧବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଜଣେ ଯବାନ ସହିଦ ହୋଇଥିବାବେଳେ ୩ ଯବାନ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣରେ ଜଣେ ସ୍ଥାନୀୟ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି।