ଭାରତର ପ୍ରଥମ ସ୍ୱଦେଶୀ କରୋନା ଟିକା ‘କୋଭାକ୍ସିନ’ର ମାନବ ପରୀକ୍ଷଣକୁ ଅନୁମତି : ଆସନ୍ତାକାଲି ଠାରୁ ‘ଦିଲ୍ଲୀ-ଏମ୍ସ’ରେ ଆରମ୍ଭ ହେବ ହ୍ୟୁମାନ ଟ୍ରାଏଲ
ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୭ : ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(ଏମ୍ସ)ର ନୈତିକ କମିଟି ଶନିବାର କରୋନା ଭୂତାଣୁ ପାଇଁ ସ୍ୱଦେଶୀ ଟିକା କୋଭାକ୍ସିନର ମାନବ ପରୀକ୍ଷଣକୁ ଅନୁମତି ଦେଇଛି। ଏମ୍ସରେ କମ୍ୟୁନିଟି ମେଡିସିନ୍ ସେଣ୍ଟରର ପ୍ରଫେସର ସଞ୍ଜୟ ରାୟ କହିଛନ୍ତି ଯେ, ଡାକ୍ତରଖାନା ସୋମବାରଠାରୁ ଏହି ପରୀକ୍ଷା ପାଇଁ ସୁସ୍ଥ ଲୋକଙ୍କୁ ପଞ୍ଜୀକରଣ କରିବା ଆରମ୍ଭ କରିବ। ଆମେ କୋଭାକ୍ସିନର ମାନବ ପରୀକ୍ଷଣ ପାଇଁ ନୈତିକ କମିଟି ତରଫରୁ ଅନୁମୋଦନ ପାଇଛୁ । ଅନୁମତି ମିଳିବା ପରେ ଆମେ ସୋମବାର ଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରୁଛୁ । ଯେଉଁମାନେ ଏ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ହୋଇନାହାନ୍ତି ସେମାନଙ୍କୁ ନେଇ ପରୀକ୍ଷା କରାଯିବ । ଏହି ଅନୁସନ୍ଧାନରେ ୧୮ରୁ ୫୫ ବର୍ଷ ବୟସ୍କ ବ୍ୟକ୍ତି ପଞ୍ଜିକୃତ ହେବେ।
ଏମ୍ସର ନୈତିକ କମିଟି କିଛି ଦିନ ପୂର୍ବରୁ ଏହି ପରୀକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ମଧ୍ୟ ଶନିବାର ମାନବ ପରୀକ୍ଷଣକୁ ଅନୁମତି ମିଳିଛି । ପ୍ରଫେସର ସଞ୍ଜୟ ରାୟଙ୍କ କହିବା ମୁତାବକ, ଯେ କୌଣସି ସୁସ୍ଥ ବ୍ୟକ୍ତି ଯିଏ ଏହି ପରୀକ୍ଷଣରେ ଭାଗ ନେବାକୁ ଚାହାଁନ୍ତି, ସେ ତାଙ୍କ ଆବେଦନକୁ ଇମେଲ ମାଧ୍ୟମରେ ପଠାଇ ପାରିବେ ।
ଏହି ପରୀକ୍ଷଣର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ ଜଣ ଲୋକ ସାମିଲ ହେବେ । ଆମେ ପୂର୍ବରୁ କିଛି ଲୋକଙ୍କୁ ପଞ୍ଜୀକୃତ କରିଛୁ ଯେଉଁମାନେ ଏଥିରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତାଙ୍କୁ [email protected]କୁ ମେଲ୍ କରିବାକୁ ପଡିବ କିମ୍ବା ସେ ୭୪୩୮୮୪୭୪୯୯କୁ ମେସେଜ୍ କିମ୍ବା କଲ ମଧ୍ୟ କରିପାରିବେ । ସୋମବାରଠାରୁ ଆମ ଦଳ ଏହି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରିବ, ଯାହା ପରେ ସେମାନଙ୍କୁ ଏହି ଟିକା ଦିଆଯିବ । ୧୨ଟି ସ୍ଥାନରେ ପରୀକ୍ଷା କରାଯିବ। ପାଟନା ଏମ୍ସରେ କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହୋଇସାରିଥିବା କହିଛନ୍ତି ପ୍ରଫେସର ସଞ୍ଜୟ ରାୟ ।