ଆର୍ବିଆଇ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସଙ୍କ ସୂଚନା;
୪%ରେ ଅପରିବର୍ତ୍ତିତ ରହିଲା ରେପୋ ରେଟ୍
କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ଯୋଗୁଁ ୨୦୨୦-୨୧ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ନେଗେଟିଭ୍ ରହିବ
ନୂଆଦିଲ୍ଲୀ / ମୁମ୍ବଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୬/୦୮ : କରୋନା ମହାମାରୀ ଯୋଗୁ ଦୁର୍ବଳ ହୋଇପଡ଼ିଥିବା ଭାରତୀୟ ଅର୍ଥବ୍ୟବସ୍ଥାରେ ସୁଧାର ଆରମ୍ଭ ହୋଇଛି। ବିଶ୍ଵର ଅର୍ଥବ୍ୟବସ୍ଥା ଖରାପ ଥିବାବେଳେ ଭାରତରେ ଆର୍ଥିକ ସୁଧାର ଆସୁଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଅନ୍ୟପଟେ ୨୦୨୦-୨୧ରେ ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ହାର ନେଗେଟିଭ୍ ବା ନକାରାତ୍ମକ ରହିବ ବୋଲି ସେ କହିଛନ୍ତି। ୩ ଦିନ ଧରି ଚାଲିଥିବା ଆରବିଆଇ ‘ମନିଟାରି ପଲିସି କମିଟି’ (ଏମପିସି)ର ଛଅ ସଦସ୍ୟ ବିଶିଷ୍ଟ କମିଟି ବୈଠକ ଆଜି ଶେଷ ହେବା ପରେ ଏଥିରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଦାସ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘୋଷଣା କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ ୪%ରେ ଅପରିବର୍ତ୍ତିତ ରଖାଯାଇଛି। ତେଣୁ ଗ୍ରାହକଙ୍କୁ ଇଏମଆଇ ଏବଂ ଋଣର ସୁଧ ହାରରେ କୌଣସି ଆଶ୍ଵସ୍ତି ମିଳିବ ନାହିଁ। ରିଜର୍ଭ ରେପୋ ରେଟ୍ ମଧ୍ୟ ୩. ୩%ରେ ଅପରିବର୍ତ୍ତିତ ରଖାଯାଇଥିବା କଥା ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହା ସହିତ ଏମଏସଏଫ ଏବଂ ବ୍ୟାଙ୍କ ରେଟ୍ ୪.୨୫%ରେ ଅପରିବର୍ତ୍ତିତ ରହିଛି। ଏମପିସି ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ହୋଇଛି।
ଶ୍ରୀ ଦାସ ଆହୁରି ମଧ୍ୟ କହିଛନ୍ତି ଯେ, ମେ ଓ ଜୁନ୍ରେ ଦେଖା ଦେଇଥିବା ଅର୍ଥନୈତିକ ପୁନଃଉତ୍ଥାନ ଲକ୍ଷଣକୁ ଜୁଲାଇ ମାସରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ନିଷ୍ପ୍ରଭ ବା ଅବଦମିତ କରିଦେଇଛି। ଏହା ଥିଲା ‘ମନିଟାରି ପଲିସି କମିଟି’ର ୨୪ତମ ବୈଠକ। ଆର୍ଥିକ ନୀତି ପ୍ରସ୍ତୁତ କରିବା ବେଳେ ରିଜର୍ଭ ବ୍ୟାଙ୍କ୍ ମୁଖ୍ୟତଃ ‘କଞ୍ଜୁମର୍ ପ୍ରାଇସ୍ ଇଣ୍ଡେକ୍ସ୍’ ଆଧାର କରିଥାଏ। ବିଶେଷତଃ ମାଂସ, ଶସ୍ୟ ଓ ଡାଲି ଭଳି ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ଜୁନ୍ ମାସରେ ‘କଞ୍ଜୁମର୍ ପ୍ରାଇସ୍ ଇଣ୍ଡେକ୍ସ୍’ ଆଧାରିତ ଖାଉଟି ମୁଦ୍ରାସ୍ଫିତି ୬.୦୯%କୁ ବୃଦ୍ଧି ପାଇଥିଲା। ଅଗଷ୍ଟ ୧୨ ତାରିଖ ଦିନ ଜୁଲାଇ ମାସର ମୁଦ୍ରାସ୍ଫିତି ହାର ଘୋଷଣା କରାଯିବ। ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଭାରତରେ ଆର୍ଥିକ ସୁଧାର ଆରମ୍ଭ ହୋଇଗଲାଣି। ବିଶ୍ଵ ଅର୍ଥବ୍ୟବସ୍ଥା ଦୁର୍ବଳ ଥିଲେ ହେଁ ଆମ ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଜାରି ରହିଛି। ଖୁଚୁରା ମହଙ୍ଗା ଦର ନିୟନ୍ତ୍ରଣରେ ଅଛି। କରୋନା ଭୂତାଣୁ ଯୋଗୁ ଚଳିତବର୍ଷର ପ୍ରଥମ ୬ ମାସ ମହଙ୍ଗା ଦରରେ ବୃଦ୍ଧି ଘଟିବା ଆଶଙ୍କା ରହିଛି, କିନ୍ତୁ ୨ୟ ୬ମାସରେ ଏଥିରେ ହ୍ରାସ ଘଟିବା ସମ୍ଭାବନା ଅଛି।
ଅନ୍ୟପଟେ ୨୦୨୦-୨୧ରେ ଜିଡିପି ଅଭିବୃଦ୍ଧି ହାର ନେଗେଟିଭ୍ ରହିବ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି। ସେ ଆହୁରି କହିଛନ୍ତି, ଚଳିତ ବର୍ଷ ଜୁନରେ ବାର୍ଷିକ ମହଙ୍ଗା ଦର ମାର୍ଚ୍ଚର ୫.୮୪ ପ୍ରତିଶତ ତୁଳନାରେ ଜୁନରେ ୬.୦୯ ପ୍ରତିଶତ ରହିଛି। ଏହା ଆରବିଆଇର ମିଡିୟମ ଟର୍ମ ଟାର୍ଗେଟଠାରୁ ଅଧିକ। ଆରବିଆଇର ଟାର୍ଗେଟ ୨ରୁ ୬% ରହିଥାଏ। ଏହାବ୍ୟତୀତ ନାବାର୍ଡ ଏବଂ ନ୍ୟାଶନାଲ ହାଉସିଂ ବୋର୍ଡକୁ ୧୦ ହଜାର କୋଟି ଟଙ୍କା ଦେବାକୁ ଘୋଷଣା କରାଯାଇଛି। ଏହା ଏନବିଏଫସି ଏବଂ ରିୟଲ ଇଷ୍ଟେଟ୍ କ୍ଷେତ୍ରକୁ ସଙ୍କଟରୁ ଉଦ୍ଧାର କରିବାରେ ସହାୟକ ହେବ ବୋଲି କୁହାଯାଇଛି। ସମାଧାନ ଯୋଜନା ପାଇଁ ବରିଷ୍ଠ ବ୍ୟାଙ୍କର କେ. ଭି., କାମତଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିବା ଦାସ କହିଛନ୍ତି। ସେହିପରି ଋଣ ମୋରେଟୋରିୟମ ସମ୍ପର୍କରେ କୌଣସି ଘୋଷଣା କରାଯାଇ ନାହିଁ। ଏହି ଅବଧି ଆସନ୍ତା ୩୧ ତାରିଖରେ ଶେଷ ହେଉଛି।