ବାଗଚୀ ଦମ୍ପତ୍ତିଙ୍କ ବଦାନ୍ୟତା : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସୁବ୍ରତ ବାଗ୍ଚୀ ଏବଂ ପତ୍ନୀ ସୁସ୍ମିତା ବାଗ୍ଚୀ ଦୁଇ ଥରରେ ଦେଲେ ମୋଟ ୧୦ କୋଟି ଟଙ୍କା
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୮ : ବାଗଚୀ ଦମ୍ପତ୍ତିଙ୍କ ବଦାନ୍ୟତା – ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ଏବଂ ତାଙ୍କ ପତ୍ନୀ ତଥା ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୭.୫୦ କୋଟି ଟଙ୍କା ଦାନ କରିଛନ୍ତି। କୋଭିଡ୍-୧୯ ଦ୍ବାରା ପ୍ରଭାବିତ ପୁରୀ ଜିଲ୍ଲାର ଅସହାୟା ବୃଦ୍ଧା ମହିଳାମାନଙ୍କ ପାଇଁ ଏହି ସହାୟତା ବିନିଯୋଗ ହେବ। ପୂର୍ବରୁ ଉଭୟ ବଲାଙ୍ଗିର ପାଇଁ ଅଢେଇ କୋଟି ମୋଟ ଦଶ କୋଟି ଦାନ କରିଛନ୍ତି। ଉଭୟଙ୍କ ଏପରି ଉଦାରତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ।
ଭିଡିଓ କନଫରେନ୍ସି ଜରିଆରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ଚେକ୍ ଗ୍ରହଣ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଧନ୍ୟବାଦ ପତ୍ର ସେମାନଙ୍କୁ ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀମତୀ ବାଗ୍ଚୀ କହିଥିଲେ ଯେ ଓଡିଶା ବାସୀ ଯେତେବେଳେ ଇଛା ହୁଏ ସେତେବେଳେ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇଥାନ୍ତି। ମନ୍ଦିର ବନ୍ଦ ହେବା ପରେ ମନ୍ଦିର ନିକଟରେ ଓ ପୁରୀ ସହରରେ ଛୋଟ ଛୋଟ ଦୋକାନ କରି ପେଟ ପୋଷୁଥିବା ମା’ ମାଉସୀ ମାନଙ୍କ ସହାୟତା ପାଇଁ ଏହି ଅନୁଦାନ ପ୍ରଦାନ କରି ସେ ନିଜକୁ ଧନ୍ୟ ମନେ କରୁଛନ୍ତି । ସୁବ୍ରତ ବାଗ୍ଚୀ କହିଥିଲେ ଯେ ଏହି ଅନୁଦାନ ପ୍ରଦାନ କରି ସେମାନେ ନିଜକୁ ଅତ୍ୟନ୍ତ ସମ୍ମାନିତ ମନେ କରୁଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କର ଏହି ଛୋଟ ସହାୟତା ଗ୍ରହଣ କରିଥିବାରୁ ସେ ତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।
ପୁରୀ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ କହିଥିଲେ ଯେ ପୁରୀ ର ଅସହାୟ ମହିଳା ମାନଙ୍କ କଲାଣ ପାଇଁ ଏହା ବିନିଯୋଗ ହେବ। ସୂଚନାଯୋଗ୍ୟ ଯେ ପୂର୍ବରୁ ଶ୍ରୀମତୀ ବାଗଚୀ ବଲାଙ୍ଗୀର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ମହିଳା ମାନଙ୍କ ପାଇଁ ଅଢ଼େଇ କୋଟି ଟଙ୍କା ରିଲିଫ ପାଣ୍ଠିକୁ ଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର, ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ଫାଇଭ-ଟି ସଚିବ ଭି.କେ ପାଣ୍ଡିୟାନ୍ ଉପସ୍ଥିତ ଥିଲେ।