କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସେପ୍ଟେମ୍ବର ମାସ ସାରା ଦେଶରେ ‘ପୋଷଣ ମାସ’ ଭାବରେ ପାଳନ କରାଯିବ। ଦେଶ ଏବଂ ପୋଷଣର ଏକ ଗଭୀର ସମ୍ପର୍କ ଅଛି | କଥାରେ ଅଛି, ‘ଯଥା ଅନ୍ନାମ୍ ତଥା ମନ୍ନମ୍’। ଏହାର ଅର୍ଥ ହେଉଛି, ଆମେ ଯେମିତି ଖାଦ୍ୟ ଖାଇବା ସେହି ଅନୁସାରେ ଆମର ମାନସିକ ଏବଂ ବୌଦ୍ଧିକ ବିକାଶ ହେବ | ସେଥିପାଇଁ ଆମକୁ ପୋଷଣ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ପୋଷଣର ଅର୍ଥ କେବଳ ଆପଣ କ’ଣ ଖାଉଛନ୍ତି, କେତେ ଖାଉଛନ୍ତି, କେତେଥର ଖାଉଛନ୍ତି ତାହା ନୁହେଁ, ଏହାର ଅର୍ଥ ଆପଣଙ୍କ ଶରୀରକୁ କେତେ ଜରୁରୀ ପୋଷକ ତତ୍ତ୍ୱ ମିଳୁଛି। କାରଣ ଏକ ସୁସ୍ଥ ଶରୀରରେ ହିଁ ସୁସ୍ଥ ମନ ରହିଥାଏ, ତେଣୁ ଶରୀରକୁ ସୁସ୍ଥ ରଖିବା ପାଇଁ ପୁଷ୍ଟିକର ଖାଦ୍ୟ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ବିଶେଷଜ୍ଞମାନେ କହିଛନ୍ତି ଯେ, ଶିଶୁକୁ ଗର୍ଭରେ ଏବଂ ପିଲାଦିନେ ଯେତେ ଭଲ ପୋଷଣ ମିଳିଥାଏ, ତା’ର ମାନସିକ ବିକାଶ ସେତେ ଭଲ ଏବଂ ସେ ସେତେ ସୁସ୍ଥ ହୋଇଥାଏ। ପିଲାମାନଙ୍କୁ ପୋଷଣ ଯୁକ୍ତ ଖାଦ୍ୟ ଦେବା ପାଇଁ ମା’ମାନଙ୍କୁ ମଧ୍ୟ ପୋଷଣଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ |