ମନାଲି/ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୯ : ପୃଥିବୀର ଦୀର୍ଘତମ ରାଜପଥ ସୁଡ଼ଙ୍ଗ ‘ଅଟଳ ଟନେଲ୍’ ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି। ମନାଲିକୁ ଲେହ ସହ ସଂଯୋଗ କରୁଥିବା ବିଶ୍ୱର ସର୍ବବୃହତ ରାଜପଥ ଟନେଲ ‘ଅଟଳ ଟନେଲ’ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ୧୦ ହଜାର ଫୁଟରୁ ଅଧିକ ଉଚ୍ଚରେ ନିର୍ମିତ ଏହି ଦୀର୍ଘତମ ହାଇୱେ ଟନେଲ୍ ଲେହ ସହ ମନାଲିକୁ ସଂଯୋଗ କରୁଛି। ଏହି ଟନେଲ୍ କାର୍ଯ୍ୟ ୬ ବର୍ଷରେ ଶେଷ ହେବା ପାଇଁ ଧାର୍ଯ୍ୟ ହୋଇଥିଲେ ହେଁ ଏଥିପାଇଁ ୧୦ ବର୍ଷ ସମୟ ଲାଗିଛି ବୋଲି ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ କେ ପି ପୁରୁଷୋତ୍ତମ ସୂଚନା ଦେଇଛନ୍ତି।
ଟନେଲ୍ର ପ୍ରତି ୬୦ ମିଟର ଅନ୍ତରରେ ସିସିଟିଭି କ୍ୟାମେରା ଏବଂ ୫୦୦ ମିଟରରେ ଏମରେଜେନ୍ସି ଏକଜିଟ ଟନେଲ ରହିଛି। ଟନେଲ୍ ଭିତରେ ୫ଟି ଅଗ୍ନିନିରୋଧକ ଯନ୍ତ୍ର (ହାଇଡ୍ରାଣ୍ଟ) ସ୍ଥାପନ କରାଯାଇଛି। ଟନେଲର ଲମ୍ବ ୮.୮ କି.ମି. ଏବଂ ପ୍ରସ୍ଥ ୧୦.୫ ମିଟର ରହିଥିଲା ବେଳେ ଉଭୟ କଡରେ ୧ ମିଟର ଲେଖାଏଁ ଫୁଟପାଥ ରହିଛି । ଟନେଲ ଭିତରେ ପ୍ରତି ୬୦ ମିଟର ବ୍ୟବଧାନରେ ସିସିଟିଭି କ୍ୟାମେରା ଓ ୫୦୦ ମିଟର ବ୍ୟବଧାନରେ ଜରୁରୀ ପ୍ରସ୍ଥାନ ପଥ ରହିଛି । ଏଥିସହ ଅଗ୍ନି ନିର୍ବାପକ ବ୍ୟବସ୍ଥା ମଧ୍ୟ କରାଯାଇଛି ।ଏହି ଟନେଲ ଦେଇ ମନାଲିରୁ ଲେହକୁ ଗଲେ ୪୬ କିଲୋମିଟର ରାସ୍ତା କମିବା ସହ ୪ ଘଣ୍ଟା ସମୟ ବଞ୍ଚିବ ବୋଲି ପୁରୁଷୋତ୍ତମ କହିଛନ୍ତି।
‘ଅଟଳ ଟନେଲ୍ ପ୍ରୋଜେକ୍ଟ’ର ଡାଇରେକ୍ଟର କର୍ଣ୍ଣେଲ୍ ପରୀକ୍ଷିତ ମେହେର କହିଛନ୍ତି, ଏହି ଟନେଲ୍ ତିଆରି ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ଏହାକୁ ତିଆରି କରିବା ପାଇଁ ନିଯୁକ୍ତ ଟିମ୍ରେ ବହୁ ଅଭିଜ୍ଞ ଯନ୍ତ୍ରୀ ଥିଲେ। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ୨୦୦୦ ମସିହା ଜୁନରେ ଏହି ଟନେଲ ନିର୍ମାଣ ନେଇ ଘୋଷଣା ହୋଇଥିଲା । ୨୦୦୨ ମେ ୨୬ରେ ଏହାର ଶିଳାନ୍ୟାସ କରାଯାଇଥିଲା। ଚଳିତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦ୍ଘାଟନ ଲାଗି ଆସନ୍ତା ୨୫ ତାରିଖରେ ମନାଲି ଆସିବାର ସମ୍ଭାବନା ରହିଛି ।