କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୮: ନ୍ୟାୟପାଳିକା ବିରୋଧରେ ଟୁଇଟ୍ କରି ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଅଦାଲତ ଅବମାନନା ମାମଲାରେ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ନ୍ୟାୟପାଳିକା ବିରୋଧରେ ଟ୍ୱିଟ୍ କରି ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରଶାନ୍ତ ଭୂଷଣଙ୍କୁ ସେପ୍ଟେମ୍ବର ୧୫ସୁଦ୍ଧା ଟଙ୍କା ୧ଟଙ୍କା ଜରିମାନା ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି। ଯଦି ପ୍ରଶାନ୍ତ ଭୂଷଣ ସେପ୍ଟେମ୍ବର ୧୫ସୁଦ୍ଧା ଟଙ୍କା ୧ଟଙ୍କା ଜରିମାନା ଜମା କରିବାରେ ବିଫଳ ହୁଅନ୍ତି, ତେବେ ବରିଷ୍ଠ ଆଇନଜୀବୀଙ୍କୁ ତିନିମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ଏବଂ ତିନିମାସ ପାଇଁ ତାଙ୍କୁ ପେସାରୁ ବଞ୍ଚିତ କରାଯିବ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ବି ଆର ଗଓ୍ବଇ ଓ ଜଷ୍ଟିସ୍ କୃଷ୍ଣ ମୁରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଗତ ଶୁଣାଣୀରେ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟଙ୍କ ଆଗରେ କ୍ଷମା ମାଗିବାକୁ ମନା କରିଦେଇଥିଲେ। ସୁପ୍ରିମକୋର୍ଟ ଗତ ମଙ୍ଗଳବାର ମାମଳାର ଶୁଣାଣୀ ଶେଷ କରି ଦଣ୍ଡାଦେଶ ନେଇ ରାୟ ସଂରକ୍ଷଣ ରଖିଥିଲେ।
ନ୍ୟାୟପାଳିକା ବିରୋଧରେ ଦୁଇଟି ଟ୍ୱିଟ୍ ଉପରେ କୋର୍ଟ ଶୁଣାଣି କରି ଅଦାଲତ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣଙ୍କୁ ଚଳିତ ମାସ ଆରମ୍ଭରେ ଦୋଷୀ ସାବ୍ୟସ୍ତ କରିଥିଲେ। ଶୁଣାଣି ସମୟରେ ଟୁଇଟ ପାଇଁ କ୍ଷମା ମାଗିନେବାକୁ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ କହିଥିଲେ ମଧ୍ୟ ଅଦାଲତ ଅବମାନନା ମାମଲାରେ ସୁପ୍ରିମ କୋର୍ଟଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ପ୍ରଶାନ୍ତ ଭୂଷଣ ମନା କରି ଦେଇଥିଲେ। କ୍ଷମା ମାଗିବାକୁ ତାଙ୍କ ବିବେକ ଅନୁମୋଦନ କରୁନାହିଁ। ଯଦି ସେ କ୍ଷମା ମାଗିବେ ଏହା ତାଙ୍କ ଅନ୍ତରାତ୍ମା ପ୍ରତି ଅବମାନନା ହେବ ବୋଲି ପ୍ରଶାନ୍ତ ଭୂଷଣ କହିଥିଲେ। ସୁପ୍ରିମ୍ କୋର୍ଟଙ୍କ ଗରିମା କ୍ଷୁଣ୍ଣ ହେବା ଉଦ୍ଦେଶ୍ୟରେ ସେ କୌଣସି ଟ୍ବିଟ୍ କରି ନଥିଲେ ଏବଂ କୋର୍ଟଙ୍କ ପ୍ରତି ତାଙ୍କ ମନରେ ସର୍ବଦା ସମ୍ମାନ ରହିଛି । ସେ ଯାହା ଟ୍ବିଟ୍ କରିଥିଲେ, ତାହା ତାଙ୍କର ବାକ୍ ସ୍ବାଧୀନତା ପରିସରଭୁକ୍ତ ବୋଲି କହିଥିଲେ।
ଭାରତର ମୁଖ୍ୟ ବିଚାରପତି ଏସ ଏ ବୋବଡେ ଏବଂ ଚାରିଜଣ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ବିଷୟରେ ପ୍ରଶାନ୍ତ ଭୂଷଣଙ୍କ ଦ୍ବାରା କରାଯାଇଥିବା ଦୁଇଟି ଆକ୍ଷେପମୂଳକ ପୃଥକ ଟ୍ୱିଟକୁ ପାଇଁ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଆରମ୍ଭ କରିଥିଲେ। ଏହା ସହ ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ନୋଟିସ ପଠାଇଥିଲେ। କୋର୍ଟରେ ଶୁଣାଣି ବେଳେ ପ୍ରଶାନ୍ତ ଭୂଷଣଙ୍କୁ ସଜା ଶୁଣାଇବା ପ୍ରସଙ୍ଗ ନେଇ ଆଟର୍ଣ୍ଣିଂ ଜେନେରାଲଙ୍କୁ ତାଙ୍କର ରାୟ ମାଗିଥିଲେ, ଯାହାଉପରେ ଆଟର୍ନିଂ ଜେନେରାଲ କହିଥିଲେ, ପ୍ରଶାନ୍ତ ଭୂଷଣଙ୍କ ଟୁଇଟ୍ ଏହା କହିବା ନେଇ ଥିଲା ଯେ, ନ୍ୟାୟପାଳିକାରେ ନିଜ ଭିତରେ ସୁଧାରିବା ଉଚିତ୍, ତେଣୁ ଭୂଷଣଙ୍କୁ କ୍ଷମା କରିଦେବା ଦରକାର।
ସୁପ୍ରିମକୋର୍ଟ କହିଥିଲେ, ପ୍ରଶାନ୍ତ ଭୂଷଣ ଗତ ସୋମବାର କୋର୍ଟଙ୍କ ନିକରେ ଯେଉଁ ଅତିରକ୍ତି ବୟାନ ଦାଖଲ କରିଥିଲେ ସେଥିରୁ ଆଶା କରାଯାଉଥିଲା ତାଙ୍କର ସ୍ବଭାବ କିଛି ସୁଧାରି ନେବେ, କିନ୍ତୁ ଏଭଳି କରିନଥିଲେ। ପ୍ରଶାନ୍ତ ଭୂଷଣଙ୍କୁ କିଛି ସୁଧାରିବାକୁ କୁହାଯାଇଥିଲା, କିନ୍ତୁ ଏଭଳି ହୋଇନଥିଲା। ଭୂଷଣ କହିଥିଲେ କ୍ଷମା ମାଗିବେନି। ଭୁଲ ସବୁବେଳେ ଭୁଲ ହୋଇଥାଏ,ବ୍ୟକ୍ତି ଅନୁଭବ କରିବା ଦରକାର। ଏହା କୋର୍ଟଙ୍କ ମର୍ଯ୍ୟାଦା।