ମୁମ୍ବାଇ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୩୦/୦୭ : ଅଭିନେତା ସୋନୁ ସୁଦ କରୋନା କାଳରେ ଯେଉଁଭଳି ଅଭାବୀ ଲୋକଙ୍କ ସାହାଯ୍ୟ କରିଛନ୍ତି, ଯେଉଁଭଳି ସଙ୍କଟ ସମୟରେ ଦେବତା ହୋଇ ଲୋକଙ୍କୁ ସମ୍ଭାଳିଛନ୍ତି, ତାଙ୍କ ପ୍ରଶଂସାର ଧାରା ଜାରି ରହିଛି। ଏବେ ଏହି ପ୍ରଶଂସା ପରେ ସୋନୁ ଅଟକି ଯାଇନାହାନ୍ତି। ବରଂ ସେ ତାଙ୍କ ସହାୟତା କାମକୁ ଅବ୍ୟାହତ ରଖିଛନ୍ତି। ପ୍ରଥମେ ସୋନୁ ଲୋକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ନେଇ ଯିବାରେ ସାହାଯ୍ୟ କରୁଥିଲେ, କିନ୍ତୁ ଏବେ ସେ ଚାଷୀଙ୍କୁ ଟ୍ରାକ୍ଟର ଦେବାଠୁ ଆରମ୍ଭ କରି ଚାକିରୀ ଦେବା ଭଳି କାମ କରୁଛନ୍ତି।
ଜୁଲାଇ ୩୦ତାରିଖରେ ସୋନୁ ସୁଦ ନିଜର ୪୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ନିଜ ଜନ୍ମଦିନରେ କୌଣସି ବଡ଼ ବଲିଉଡ ପାର୍ଟି ଦେଉ ନାହାନ୍ତି ବରଂ ଏହି ଅବସରରେ ସେ ଲୋକଙ୍କ ସାହାଯ୍ୟ କରି ପୁଣ୍ୟ ହାସଲ କରିବାକୁ ଉଦ୍ୟମ କରୁଛନ୍ତି। ସୋନୁ ସୁଦ ସୋସିଆଲ୍ ମିଡିଆରେ ଘୋଷଣା କରିଛନ୍ତି ଯେ ସେ ଏବେ ପ୍ରବାସୀଙ୍କୁ ଚାକିରୀ ଯୋଗାଇବାରେ ସାହାଯ୍ୟ କରିବେ।
ବନ୍ୟାରେ ପ୍ରଭାବିତ ବିହାର ଏବଂ ଆସାମରେ ସେ ଏହି ଅଭିଯାନକୁ ଜୋରସୋରରେ ଚଲାଇବେ। ଅଭିନେତା ସୋସିଆଲ୍ ମିଡିଆରେ କହିଛନ୍ତି ଯେ ତାଙ୍କ ଜନ୍ମଦିନ ଅବସରରେ ସେ ତାଙ୍କ ପ୍ରବାସୀ ଭାଇଙ୍କ ପାଇଁ http://PravasiRojgar.comମାଧ୍ୟମରେ ୩ଲକ୍ଷ ଚାକିରୀ ଯୋଗାଇବେ। ଏଗୁଡ଼ିକ ଭଲ ବେତନ, PF,ESI ଏବଂ ଅନ୍ୟ ଲାଭ ପ୍ରଦାନ କରିବେ। ଧନ୍ୟବାଦ AEPC, CITI, Trident, Quess Corp, Amazon, Sodexo, Urban Co , Portea।
ସୋନୁ ସୁଦ ପ୍ରବାସୀ ରୋଜଗାର ନାମରେ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ସେ ଏଥିପାଇଁ ଅନେକ ବଡ଼ କମ୍ପାନୀ ସହ ଚୁକ୍ତି ମଧ୍ୟ କରିଛନ୍ତି। ବନ୍ୟା ଯୋଗୁଁ ଆସାମ ଏବଂ ବିହାରରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେଉଛନ୍ତି ଏବଂ କେତେ ବ୍ୟକ୍ତି ନିଜ ଚାକିରୀ ହରାଉଛନ୍ତି। ଏବେ ଏମାନଙ୍କୁ ସାହାଯ୍ୟ କରିବା ଲାଗି ସୋନୁ ସୁଦ ଆଗେଇ ଆସିଛନ୍ତି।