ଅଲିମ୍ପିଆନ ଦୂତୀ ଚାନ୍ଦଙ୍କ ଅର୍ଥାଭାବ ଭେଳିକି : ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ତଥ୍ୟ ଉପସ୍ଥାପନା – ୨୦୧୫ରୁ ଏପର୍ଯ୍ୟନ୍ତ ମିଳିଛି ୪ କୋଟି ୯ ଲକ୍ଷ ଟଙ୍କା !!
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୭ : ଚର୍ଚାରେ ଓଡ଼ିଶାର ଅଲିମ୍ପିଆନ ତଥା ଆଥଲେଟ ଦୂତୀ ଚାନ୍ଦ।ଅଲିମ୍ପିକ ପାଇଁ ଅର୍ଥ ଅଭାବ କହି ବିଏମ୍ଡବ୍ଲୁ କାର୍ ବିକ୍ରି କରିବାକୁ ଫେସ୍ବୁକ୍ ପେଜ୍ରେ ପୋଷ୍ଟ କରିଥିଲେ ଧାବିକା ଦୂତୀ ଚାନ୍ଦ। କରୋନା ସମୟରେ କେହି ସ୍ପନ୍ସର ନ ମିଳିବା ସହିତ ସରକାର ମଧ୍ୟ ତାଙ୍କ ଉପରେ ଅର୍ଥ ଖର୍ଚ୍ଚ କରିବାକୁ ଅନିଚ୍ଛା ପ୍ରକାଶ କରୁଥିବା ସେ କହିଥିଲେ। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ନାନା ପ୍ରତିକ୍ରିୟା ଦେଖା ଦେଇଥିଲା। ଏହାପରେ ଆଜି ଆଥଲେଟ ଦୂତି ଚାନ୍ଦଙ୍କୁ ଆର୍ଥିକ ସହାୟତା ବିବରଣୀ ଦେଇଛନ୍ତି ରାଜ୍ୟ ସରକାର।
ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏହି ଆର୍ଥିକ ବିବରଣୀ ଦେଇଛି। ୨୦୧୫ରୁ ଏଯାବତ ୪ କୋଟି ୯ ଲକ୍ଷ ଟଙ୍କା ଦିଆଯାଇଥିବା ବିଭାଗ କହିଛି। ୨୦୧୮ ଏସିଆନ୍ ଗେମ୍ସରେ ମେଡାଲ ଜିତିବା ପରେ ୩ କୋଟି ଟଙ୍କା ଦିଆଯାଇଥିବା ବିଭାଗ ହିସାବ ଦେଇଛି।
ସେହିଭଳି ୨୦୧୫ରୁ ୧୯ ମଧ୍ୟରେ ତାଲିମ ପାଇଁ ୩୦ ଲକ୍ଷର ସହାୟତା, ଟୋକିଓ ଅଲିମ୍ପିକ ତାଲିମ ପାଇଁ ୨ଟି ପର୍ଯ୍ୟାୟରେ ୫୦ ଲକ୍ଷ ଟଙ୍କା ଦେଇଛି। ତା ସହିତ ତାଲିମ ଓ ଆର୍ଥିକ ସହାୟତା ପାଇଁ ନିଯୁକ୍ତିଦାତା OMC ଦୂତୀଙ୍କୁ ୨୯ ଲକ୍ଷ ଟଙ୍କା ଦେଇଛି ବୋଲି କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ତଥ୍ୟ ଦେଇଛି। ସେହିଭଳି ମାସିକ ଦରମା ବାବଦରେ ଦୂତିଙ୍କୁ OMC ୮୪, ୬୦୪ ଟଙ୍କା ଦେଉଥିବା ବିଭାଗ କହିଛି ।