![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ ୧୦/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଟୋକିଓ ଅଲିମ୍ପିକ୍ସ-୨୦୨୦ ଶେଷ ହୋଇଯାଇଛି। ଟୋକିଓ ଅଲମ୍ପିକ୍ସ ପଦକ ତାଲିକାରେ ଭାରତ ୪୮ତମ ସ୍ଥାନରେ ରହିଛି। ଯାହାକି ଗତ ୪୦ ବର୍ଷ ମଧ୍ୟରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି। ମୋଟାମୋଟି ପଦକ ବିଜୟ ଦୃଷ୍ଟିରୁ ଭାରତ ୩୩ତମ ସ୍ଥାନରେ ରହିପାରିଛି। ଏଥିପୂର୍ବରୁ ୨୦୦୮ ବେଜି˚ ଅଲମ୍ପିକ୍ସରେ ଭାରତ ୫୧ତମ ସ୍ଥାନରେ ରହିଥିଲା।
ଅଲିମ୍ପିକ୍ସରେ ଫୁଟବଲ, ଭଲିବଲ, ଗୋଲ୍ଫ, ଟେନିସ, ବ୍ୟାଡମିଣ୍ଟନ, ଆଥଲେଟିକ୍ସକୁ ମିଶାଇ ୩୩ଟି ଖେଳ ଖେଳାଯାଏ। କିନ୍ତୁ କ୍ରିକେଟ ଖେଳା ଯାଇ ନଥାଏ। ଏମିତିରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) କ୍ରିକେଟକୁ ଅଲିମ୍ପିକ୍ସରେ ସାମିଲ କରିବା ନେଇ ଯୋଜନା କରୁଛି।
ଆଇସିସି ଗଣମାଧ୍ୟମ ଜରିଆରେ ଜଣାଇଛି କି, ୨୦୨୮ରେ ଲସ୍ ଏଞ୍ଜେଲସରେ ହେବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟରୁ ସାମିଲ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଯଦି ଏମିତି ହୁଏ ତେବେ ଅଲିମ୍ପିକ୍ସରେ ବି ଚୌକା ଛକା ଦେଖିବାକୁ ମିଳିବ। ଏଥିପାଇଁ ଏକ ଓ୍ୱାର୍କିଂ ଗ୍ରୁପ୍ ଗଠନ କରାଯାଇଛି । ଏହି ଗ୍ରୁପ୍ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ନେଇ ଯୋଜନା ପ୍ରସ୍ତୁତ କରିବା ସହ ଏଦିଗରେ କାମ ମଧ୍ୟ କରିବ । ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହୋଇପାରେ ବୋଲି ଆଇସିସି ଚ୍ୟାୟାରମ୍ୟାନ ଗ୍ରେଗ୍ ବାର୍କ୍ଲେ ବୟାନ ଦେଇଛନ୍ତି।
କ୍ରିକେଟ ଏକ ବଡ଼ ଖେଳ। ଏଥିରେ ଟେଷ୍ଟ, ୱାନଡେ ଓ ଟି-୨୦ ତିନିଟି ପର୍ଯ୍ୟାୟ ରହିଛି। ଟେଷ୍ଟ ୫ଦିନ ଚାଲିଥାଏ। ଏହାକୁ ଅଲିମ୍ପିକ୍ସରେ ସାମିଲ କରିବା ସହଜ ନୁହେଁ। ଯଦି ୫୦ଓଭରର ୱାନଡେ ଟୁର୍ଣ୍ଣାମେଣ୍ଟ ଖେଳାଯିବ ତେବେ ପାଖାପାଖି ମାସଟେ ଲାଗିଯିବ। ଏମିତିରେ ଅଲିମ୍ପିକ୍ସରେ ଟି-୨୦ ଖେଳା ଯାଇପାରେ। ଟି-୨୦ର ଖେଳ ୫ରୁ ୬ଘଣ୍ଟା ଚାଲିଥାଏ। ଏହାକୁ ଅଲିମ୍ପିକ୍ସରେ ସହଜରେ ସାମିଲ କରାଯାଇ ପାରିବ।