“ଅଲ୍ବିଦା ବିଜୟ” – ପଞ୍ଚଭୂତରେ ଲୀନ ହେଲେ ଅଭିନେତା ବିଜୟ ମହାନ୍ତି : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସଂମ୍ପନ୍ନ
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୧/୦୭ : ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କର ଶେଷକୃତ୍ୟ ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ସଂପନ୍ନ ହୋଇଛି। କୋଭିଡ କଟକଣା ପାଇଁ ମାତ୍ର ଅଳ୍ପକେତେ ଜଣ ଲୋକଙ୍କ ସମାଗମରେ ବିଜୟଙ୍କ ଶେଷକୃତ୍ତ୍ୟ କରାଯାଇଛି। ନିଜର ବଳିଷ୍ଠ ଅଭିନୟରେ ଲକ୍ଷ ଲକ୍ଷ କନ୍ଦାଉଥିବା ବିଜୟ ଗତକାଲି ରାତିରେ ସତରେ ସମସ୍ତଙ୍କୁ କନ୍ଦାଇ ଆରପାରିକୁ ଚାଲିଯାଇଥିଲେ। ଗତକାଲି ରାତି ୯ ଟା ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଜୟଙ୍କ ଦେହାନ୍ତ ହୋଇଥିଲା। ଆଜି ସକାଳେ ବିଜୟଙ୍କ ପାର୍ଥୀବ ଶରୀର ହସ୍ପିଟାଲରୁ ତାଙ୍କ ବମିଖାଲ ସ୍ଥିତ ବାସଭବନକୁ ଅଣାଯାଇଥିଲା। ସେଠାରେ ବନ୍ଧୁ ଓ ପରିବାର ବର୍ଗଙ୍କ ଶେଷ ଦର୍ଶନ କରିଥିଲେ।
ବମିଖାଲ ସ୍ଥିତ ବାସଭବନରୁ ବିଜୟ କର୍ମମୟ ଜୀବନ ବିତାଇଥିବା ସଙ୍ଗୀତ ମହାବିଦ୍ୟାଳୟକୁ ତାଙ୍କ ପାର୍ଥୀବ ଶରୀରକୁ ନିଆଯାଇଥିଲା। ସେଠାରେ ବିଜୟଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ୍ ଅନର ଦିଆଯିବା ପରେ ସମସ୍ତ ଓଡିଆ କଳାକାରମାନେ ତାଙ୍କର ଶେଷଦର୍ଶନ କରିଥିଲେ। ବହୁ ବରିଷ୍ଠ ଅଭିନେତାଙ୍କ ସହ ରାଜନେତାମାନେ ମଧ୍ୟ ଓଡିଆ ଚଳଚିତ୍ର ଜଗତର ବାଦଶାହା ବଜିୟ ମହାନ୍ତଙ୍କୁ ଶେଷ ଦର୍ଶନ କରିଥିଲେ।
ସଙ୍ଗୀତ ମହାବିଦ୍ୟାଳୟରୁ ବିଜୟଙ୍କ ପାର୍ଥୀବ ଶରୀର ଭୁବନେଶ୍ୱର ସତ୍ୟନଗର ଶ୍ମଶାନକୁ ନିଆଯାଇ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ଜ୍ୱାଇଁ ତାଙ୍କୁ ମୁଖାଗ୍ନି ଦେଇଛନ୍ତି ।
ସକାଳେ ତାଙ୍କ ବାସ ଭବନରେ ଶେଷ ଦର୍ଶନ ପାଇଁ ବହୁ ସିନେତାରକାଙ୍କ ସହ ବରିଷ୍ଠ ବ୍ୟକ୍ତି ବିଶେଷଙ୍କର ଭିଡ ଜମିଥିଲା । ନିଶ୍ଚୟ ବିଜୟ ମହାନ୍ତିଙ୍କ ବିୟୋଗ ଓଡିଆ ସିନେ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିବ । ବହୁଦିନ ଧରି ଚିକିତ୍ସିତ ହେଉଥିବା ବେଳେ ସୋମବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବିଜୟ ମହାନ୍ତି ।