![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ଭୁଟାନର ସକ୍ତେଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଅନୁଦାନ ପ୍ରଦାନ ପ୍ରସଙ୍ଗ ଉଠିବା ପରେ ଚାଇନା ଏହାକୁ ବିରୋଧ କରିଥିଲା। ଭାରତକୁ ଲାଗିଥିବା ପୂର୍ବ ଭୁଟାନର ଟ୍ରାଶିଗଙ୍ଗ ଜିଲାରେ ଏହି ଅଭୟାରଣ୍ୟ ଅବସ୍ଥିତ। ଏହି ଅଞ୍ଚଳ ବିବାଦୀୟ ବୋଲି ଚାଇନା ଦାବିକରି ଭୁଟାନ ସହ ସୀମା ବିବାଦକୁ ଜୋର୍ଦାର କରିଛି। ଜିଇଏଫ୍ ପରିଷଦର ଅଧିକାଂଶ ସଦସ୍ୟ ଚାଇନାର ଦାବିକୁ ଖଣ୍ଡନ କରି ଭୁଟାନକୁ ସମର୍ଥନ କରିଥିଲେ ହେଁ ଚାଇନାର ସାମ୍ରାଜ୍ୟବାଦୀ ଚିନ୍ତାଧାରା ସମସ୍ତଙ୍କୁ ଚକିତ କରିଛି। ଚାଇନାର ଜିଇଏଫ୍ ପରିଷଦ ସଦସ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ମତ ରଖିବେ ବୋଲି କହିଛନ୍ତି। ପୂର୍ବ ଲଦାଖରେ ଭାରତ ସହ ସୀମା ବିବାଦ ଲାଗି ରହିଥିବାବେଳେ ଏବେ ସହଯୋଗୀ ଭୁଟାନ ସହ ଚାଇନା ନୂଆ ସୀମା ବିବାଦ ଆରମ୍ଭ କରିଛି। ଜୁନ୍ ପ୍ରଥମ ସପ୍ତାହରେ ବିଶ୍ୱ ପରିବେଶ ସୁବିଧା (ଜିଇଏଫ୍) ପରିଷଦର ଭର୍ଚୁଆଲ ବୈଠକରେ ବିଭିନ୍ନ ପରିବେଶ ପ୍ରକଳ୍ପକୁ ଅନୁଦାନ ନେଇ ଆଲୋଚନା କରାଯାଇଥିଲା।
![](https://i0.wp.com/kalingajyoti.com/wp-content/uploads/2020/07/download-3.jpg?resize=568%2C416)
ପ୍ରକାଶଥାଉ କି, ଭୁଟାନ ଓ ଚାଇନା ମଧ୍ୟରେ ୧୯୮୪ରୁ ସୀମା ବିବାଦ ରହିଆସିଛି। ଉତ୍ତର ଭୁଟାନର ଜକରଲୁଙ୍ଗ ଓ ବାସମ୍ଲୁଙ୍ଗ ଏବଂ ପଶ୍ଚିମ ଭୁଟାନ୍ର ଏକ ଅଞ୍ଚଳକୁ ନେଇ ବିବାଦ ରହିଥିବା ବେଳେ ଥିମ୍ପୁ ଓ ବେଜିଂ ମଧ୍ୟରେ ଏକାଧିକ ଥର ଆଲୋଚନା କରାଯାଇଛି। ଅନ୍ୟପକ୍ଷରେ ଚାଇନାର ଦାବିକୁ ଭୁଟାନ ଖଣ୍ଡନ କରିଛି। ଜିଇଏଫ୍ ପରିଷଦକୁ ଭୁଟାନ ସରକାର ଏକ ଚିଠି ଲେଖି ଦେଶର ସାର୍ବଭୌମତ୍ୱ ପ୍ରତି ସାଲିସ୍ କରାଯିବନାହିଁ ବୋଲି କହିଛି। ସକ୍ତେଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ଆମର ଓ ବେଜିଂର ଦାବିରେ କୌଣସି ସତ୍ୟତା ନାହିଁ ବୋଲି ଥିମ୍ପୁ ଦର୍ଶାଇଛି।