ସୁନ୍ଦରଗଡ଼ / ରାଉଲକେଲା, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୭ : ସୁନ୍ଦରଗଡ଼ ଆଜି ଜିଲ୍ଲାରୁ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩୭ ଜଣ କରୋନା ଯୋଦ୍ଧା ଥିବା ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ଏହି କରୋନା ଯୋଦ୍ଧାଙ୍କ ମଧ୍ୟରୁ ୩୬ ଜଣ ଜଣ ପୁଲିସ୍ କର୍ମଚାରୀ ଏବଂ ଜଣେ ଡାକ୍ତର ଥିବା ଜଣାଯାଇଛି। ପୁଲିସ୍ଙ୍କ ମଧ୍ୟରେ ଜଣେ ଡ଼ିଏସପି ଏବଂ ଜଣେ ଇନ୍ସପେକ୍ଟର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେତେକଙ୍କୁ ଘରୋଇ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ଆଉ କେତେଜଣଙ୍କୁ ରାଉରକେଲାସ୍ଥିତ କୋଭିଡ ହସ୍ପିଟାଲ, କୋଭିଡ ହେଲଥ୍ ସେଣ୍ଟର ତଥା ସୁନ୍ଦରଗଡ଼ସ୍ଥିତି ଏନଟିପିସି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।
ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାରେ ଆଜି ୫୨ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨୫ରେ ପହଞ୍ଚିଛି। ଅପରପକ୍ଷରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସ୍ଥିତି ସଂଗୀନ ହୋଇଛି। ଏହାଛଡ଼ା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ରାଜ୍ୟ ବାହାରରୁ ଆସିଥିବା ଜଣାପଡ଼ିଛି। ତେବେ ୭ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବାବେଳେ ୨ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ଜିଲ୍ଲାରେ ସମୁଦାୟ ୪୨ ପୋଲିସ୍ ଆକ୍ରାନ୍ତ ହେଲେଣି। କେବଳ ପୋଲିସ୍ ନୁହଁନ୍ତି, ଆଗରୁ ଟିଏମ୍ସି କର୍ମଚାରୀ, ମେଡିକାଲ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ରାଜ୍ୟରେ ୫୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୨୮୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।