ନୂଆଦିଲ୍ଲୀ/ୱାଶିଂଟନ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮: ସାରା ବିଶ୍ୱରେ କୋଟି କୋଟି ଲୋକ କରୋନା ମହାମାରୀ ସହ ଲଢି ଚାଲିଛନ୍ତି। କାରଣ ହେଉଛି ଏହାର ସଠିକ ଚିକିତ୍ସା କିଛି ନାହିଁ। ତେଣୁ କରୋନା ତା’ର କାୟା ବିସ୍ତାର କରି ଚାଲିଛି। କରୋନା ଭାଇରସ ସଂକ୍ରମଣରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ଯାଉଥିବା ବେଳେ ଏବେ କରୋନା ସଂକ୍ରମଣକୁ ନେଇ ଆମେରିକାର ସ୍ଥିତି ସବୁଠାରୁ ଖରାପ ରହିଛି। ଏଠାରେ ଲକ୍ଷାଧିକ ଲୋକ କରୋନା କବଳରେ ପଡି ଛଟପଟ ହେଉଛନ୍ତି। ଏବେ ଆମେରିକାର ଏକ କମ୍ପାନୀ ଦାବି କରିଛି ଯେ ଏକ ଅଏଣ୍ଟମେଣ୍ଟ ବା ମଲମ ଲଗାଇଲେ କରୋନା ଭାଇରସ ମରିଯିବ। ଆଡଭାନ୍ସଡ ପେନେଟ୍ରେଶନ ଟେକ୍ନୋଲୋଜି ଏଲ୍ଏଲ୍ସି ଏହି ଦାବି କରିଛି।
ନ୍ୟୁଜ ଏଜେନ୍ସି ପିଟିଆଇର ଏକ ଖବର ଅନୁଯାୟୀ, ଏହି ମଲମକୁ ଆମେରିକା ଔଷଧ ରେଗୁଲେଟର ଆମେରିକାର ଫୁଡ ଆଣ୍ଡ ଡ୍ରଗ ଏଡମିନିଷ୍ଟ୍ରେଶନ (USFDA)ରୁ ମଞ୍ଜୁରୀ ମିଳିଯାଇଛି। ଏବେ ଏହାକୁ ନନ୍ ପ୍ରେସକ୍ରିପଶନ ଓଭର ଦି କାଉଣ୍ଟର ଭାବେ ବିକ୍ରି କରାଯାଇ ପାରିବ ବୋଲି କୁହାଯାଉଛି। କମ୍ପାନୀ କହିଛି ମଲମ ଲଗାଇବାର ୩୦ ସେକେଣ୍ଡ ମଧ୍ୟରେ କରୋନା ଭାଇରସ ମରିଯିବ। ଦାବି କରାଯାଉଛି କି ଏହା କରୋନା ଭାଇରସ ସହ ଅନ୍ୟ ଭାଇରସଙ୍କୁ ମଧ୍ୟ ମାରିବାରେ ସହାୟକ ହେବ। କମ୍ପାନୀ କହିଛି କି ଏହି ମଲମକୁ ନାକରେ ଲଗାଇ କରୋନା ସଂକ୍ରମଣଠାରୁ ଦୂରେଇ ରହିହେବ।
ଏହା ୩୦ ସେକେଣ୍ଡ ମଧ୍ୟରେ ଭାଇରସକୁ ମାରିଦେବାର କ୍ଷମତା ରଖିଥିବା ଦାବି କରାଯାଉଛି। ଏହାକୁ ଦୁଇମାସ ପରୀକ୍ଷା କରିବା ପରେ ଯାଇ ମଞ୍ଜୁରୀ ମିଳିଛି। ଆମେରିକା ବ୍ୟତୀତ ଲଣ୍ଡନରେ ଥିବା ଲ୍ୟାବ ଭାଇରୋଲୋଜି ରିସର୍ଚ୍ଚ ସର୍ଭିସେଲ ଲିମିଟେଡ (VRSL) ଏହି ମଲମର ପରୀକ୍ଷା କରି ଜାଣିପାରିଛି ଏହା କରୋନା ଭାଇରସ ସହ ଇନଫ୍ଲୁଏଞ୍ଜା ଏହି ଭାଇରସକୁ ମାରିଦେଇ ପାରିବ।