![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/07/sfdhbsh.jpg?resize=561%2C285)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୭ : ଭାରତରେ ବଡ ସଂଖ୍ୟାରେ ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଛନ୍ତି। ତଥ୍ୟ ଅନୁଯାୟୀ ଦେଶରେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ସଂଖ୍ୟା ୫୦ କୋଟିରୁ ଅଧିକ ରହିଛି। ଏହା ସତ୍ଵେ ଦେଶରେ ସାମାଜିକ ଗଣମାଧ୍ୟମ ବଜାରରେ ବିଦେଶୀ କମ୍ପାନୀଙ୍କ କବ୍ଜା ରହିଛି। ନିଜ ଦେଶରେ ସେପରି ପ୍ଲାଟଫର୍ମ ନଥିବାରୁ ୟୁଜର୍ସ ବିଦେଶୀ ଟୁଲ୍ ଉପର ନିର୍ଭରଶୀଳ ଅଛନ୍ତି। ଏହା ମଧ୍ୟରେ ରବିବାର ଦେଶର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ପ୍ରଥମ ଦେଶୀ ସାମାଜିକ ଗଣମାଧ୍ୟମ ଆପ୍ ଏଲିମେଣ୍ଟ୍ସ(Elyments)କୁ ଲଞ୍ଚ କରିବାକୁ ଯାଉଛନ୍ତି। ସାମାଜିକ ଗଣମାଧ୍ୟମରେ ତଥ୍ୟର ଗୋପନୀୟତାକୁ ନେଇ ସର୍ବଦା ପ୍ରଶ୍ନ ଉଠି ଆସିଛି। ଏହି ମାମଲାରେ ବିଦେଶୀ କମ୍ପାନୀ ବିଫଳ ହୋଇଛନ୍ତି। ଏଥିପାଇଁ ଦେଶର ଏହି ପ୍ରଥମ ଦେଶୀ ଆପ୍ରେ ତଥ୍ୟର ଗୋପନୀୟତାକୁ ପ୍ରାଧ୍ୟାନ୍ୟ ଦିଆଯାଇଛି।
![](https://kalingajyoti.com/wp-content/uploads/2020/07/hshgh.jpg)
ରବିବାର ଉଦଘାଟନ କାର୍ଯ୍ୟକ୍ରମରେ ଆର୍ଟ ଅଫ ଲିଭିଂର ସଂସ୍ଥାପକ ଶ୍ରୀ ଶ୍ରୀ ରବିଶଙ୍କର ମଧ୍ୟ ଉପସ୍ଥିତ ହେବେ। ଆପ୍ ଲଞ୍ଚିଂ ସମୟରେ ଯୋଗ ଗୁରୁ ବାବା ରାମଦେବ, ଅଯୋଧ୍ୟା ରାମ ରେଡ୍ଡୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭୁ ଉପସ୍ଥିତ ହୋଇ ପାରନ୍ତି। କୁହାଯାଉଛି ଯେ, Elyments ଆପ୍ରେ ବ୍ୟବହାରକାରୀଙ୍କ ତଥ୍ୟ ସୁରକ୍ଷିତ ରହିବ ଏବଂ ବିନା ଅନୁମତିରେ କୌଣସି ତୃତୀୟ ପକ୍ଷ ତଥ୍ୟ ନେଇ ପାରିବ ନାହିଁ।
![](https://i0.wp.com/kalingajyoti.com/wp-content/uploads/2020/07/fdshhsg.jpg?resize=487%2C238)
ଏହି ଆପ୍ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଏବଂ ଏହାକୁ ଅଦ୍ୟାବଧି ଲକ୍ଷାଧିକ ଲୋକ ଡାଉନଲୋଡ୍ କରି ସାରିଛନ୍ତି। ମାତ୍ର ଏହାର ଆନୁଷ୍ଠାନିକ ଲଞ୍ଚିଂ ହୋଇ ନାହିଁ, ଯାହା ଆସନ୍ତାକାଲି ହେବାକୁ ଯାଉଛି। ଏହି ଆପ୍ ୮ଟି ଭାଷାରେ ଉପଲବ୍ଧ ଏବଂ ଏଥିରେ ଅଡିଓ-ଭିଡିଓ କଲିଂର ସୁବିଧା ମଧ୍ୟ ରହିବ।
ବର୍ତ୍ତମାନ ଦେଶରେ ଆପ୍ ଓ ସାମାଜିକ ଗଣମାଧ୍ୟମରେ ମଧ୍ୟ ଆତ୍ମ ନିର୍ଭର ହେବାର ପ୍ରୟାସ ଆରମ୍ଭ ହୋଇ ଯାଇଛି। ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଚୀନ ସହିତ ହିଂସାତ୍ମକ ସଂଘର୍ଷ ପରେ ଭାରତ ଚୀନର ୫୯ ଆପ୍ ନିଷିଦ୍ଧ କରିଛି। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଯୁବ ବର୍ଗଙ୍କୁ ଆପ୍ ତିଆରି କରିବାକୁ ଚ୍ୟାଲେଞ୍ଜ କରିଛନ୍ତି। ଭାରତ ଦୁନିଆ ପାଇଁ ସାମାଜିକ ଗଣମାଧ୍ୟମ ଓ ଉନ୍ନତ ଜ୍ଞାନ କୌଶଳ ପାଇଁ ଏକ ବିଶାଳ ବଜାର। ଏହାର ଫାଇଦା ଭାରତ ମଧ୍ୟ ଉଠାଇ ପାରିବ।