ନୂଆଦିଲ୍ଲୀ: ‘ନ୍ୟୁଟ୍ରାଲ୍ ଓ୍ଵିଇଣ୍ଡ୍’ର ଆଚରଣଗତ ତାରତମ୍ୟ ଏବଂ ‘ପ୍ଲାଜ୍ମା ଡାଇନାମିକ୍ସ’ ସମ୍ବନ୍ଧରେ ଗବେଷଣା ନିମନ୍ତେ ଶୁକ୍ରବାର ଦିନ ଶ୍ରୀହରିକୋଟା ରେଞ୍ଜ୍ସ୍ଥିତ ‘ସତୀଶ ଧାଓ୍ଵନ୍ ମହାକାଶ କେନ୍ଦ୍ର’ରୁ ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ‘ଆର୍ଏଚ୍-୫୬୦’ ନାମକ ଏକ ‘ସାଉଣ୍ଡିଙ୍ଗ୍ ରକେଟ୍’ ବା ‘ରିସର୍ଚ ରକେଟ୍’ ଉତ୍କ୍ଷେପଣ କରିଛି।
ଏକଥା ‘ଇସ୍ରୋ’ର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟ୍ରେ ପୋଷ୍ଟ୍ କରାଯାଇଛି। ‘ଇସ୍ରୋ’ କହିବା ଅନୁସାରେ, ‘ସାଉଣ୍ଡିଙ୍ଗ୍ ରକେଟ୍’ ହେଉଛି, ବାୟୁମଣ୍ଡଳର ଊର୍ଦ୍ଧ୍ୱାଞ୍ଚଳ ଏବଂ ଅନ୍ତରୀକ୍ଷ ଗବେଷଣା ନିମନ୍ତେ ବ୍ୟବହାର କରାଯାଉଥିବା ଦୁଇଥାକିଆ କଠିନ ଇନ୍ଧନ ଚାଳିତ ରକେଟ୍।
‘ଲଞ୍ଚ୍ ଭେଇକ୍ଲ୍’ ଏବଂ ‘ସାଟେଲାଇଟ୍’ରେ ବ୍ୟବହାର ଲାଗି ଉଦ୍ଦିଷ୍ଟ ନୂତନ ଉପକରଣ କିଂବା ‘ସବ୍ସିଷ୍ଟମ୍’ର ‘ପ୍ରୋଟୋଟାଇପ୍’ ପରୀକ୍ଷା କିଂବା ପ୍ରମାଣ କରିବା ଲାଗି ‘ସାଉଣ୍ଡିଙ୍ଗ୍ ରକେଟ୍’ ହେଉଛି ସୁଲଭ ମୂଲ୍ୟରେ ଉପଲବ୍ଧ ପ୍ଲାଟ୍ଫର୍ମ।
୧୯୬୫ ମସିହାରୁ ‘ଇସ୍ରୋ’ ସ୍ୱଦେଶ ନିର୍ମିତ ‘ସାଉଣ୍ଡିଙ୍ଗ୍ ରକେଟ୍’ ନିର୍ମାଣ କରି ଉତ୍କ୍ଷେପଣ କରି ଆସୁଛି। ଏଥିରୁ ପ୍ରାପ୍ତ ବିପୁଳ ଅଭିଜ୍ଞତା ବଳରେ ଇସ୍ରୋ ‘ସଲିଡ୍ ପ୍ରୋପେଲାଣ୍ଟ୍ ଟେକ୍ନୋଲୋଜି’ରେ ଅସାଧାରଣ ଦକ୍ଷତା ହାସଲ କରିଛି।