ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୨-୦୯-୨୦ : ବିଦେଶ ଯୋଗଦାନ (ନିୟାମକ) ଆଇନରେ ସଂଶୋଧନ ପାଇଁ ଏକ ବିଲ୍ ପ୍ରସ୍ତୁତ କରାଯାଇଛି । ଏହାକୁ ଲୋକସଭାରେ ଆଗତ କରାଯିବ । ଏହି ବିଲ୍ରେ ରହିଥିବା ପ୍ରସ୍ତାବ ଅନୁସାରେ ଏନ୍ଜିଓଗୁଡ଼ିକର ପଞ୍ଜିକରଣ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯିବ । ସରକାରୀ ଚାକିରିଆମାନେ ବିଦେଶରୁ କୌଣସି ପାଣ୍ଠି ହାସଲ କରିପାରିବେ ନାହିଁ ।
ଚିଠା ବିଲ୍ରେ ରହିଥିବା ପ୍ରସ୍ତାବ ମୁତାବକ ବିଦେଶରୁ ହାସଲ କରାଯାଉଥିବା ମୋଟ ପାଣ୍ଠିର ୨୦ ପ୍ରତିଶତରୁ ଅଧିକ ପ୍ରଶାସନିକ ଆବଶ୍ୟକତା ପାଇଁ ଖର୍ଚ୍ଚ କରାଯାଇ ପାରିବ ନାହିଁ । ବର୍ତ୍ତମାନ ଏହି ସୀମା ୫୦ ପ୍ରତିଶତ ରହିଛି । ଚିଠାରେ ଆହୁରି ଦର୍ଶାଯାଇଛି ଯେ ୨୦୧୧ ମେ ପହିଲାରେ ଆଇନ ପ୍ରଣୟନ ହୋଇଥିଲା । ଏହାପରେ ଦୁଇଥର ସଂଶୋଧନ ହୋଇଥିଲା । ପ୍ରଥମେ ଅର୍ଥ ବିଲ୍ ୨୦୧୬ର ଧାରା ୨୩୬ ଦ୍ୱାରା ସଂଶୋଧନ ହୋଇଥିଲା । ଏହାପରେ ଅର୍ଥ ବିଲ୍ ୨୦୧୮ ଧାରା ୨୨୦ ଦ୍ୱାରା ଦ୍ୱିତୀୟ ଥର ପାଇଁ ସଂଶୋଧନ ହୋଇଥିଲା ।
ବିଦେଶରୁ ହାସଲ କରାଯାଉଥିବା ପାଣ୍ଠି ବାବଦରେ ଅଧିକ ସ୍ୱଚ୍ଛତା ଆବଶ୍ୟକ । ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ପାଣ୍ଠି ଆଗମନ ହେଉଛି । ଏମିତି କି ଦେଶରେ ଏମିତି କିଛି ସଂଗଠନ ରହିଛନ୍ତି, ଯେଉଁମାନେ ବିଦେଶରୁ ଆସୁଥିବା ପାଣ୍ଠିକୁ ଭିନ୍ନ ବାଟରେ ବିନିଯୋଗ କରୁଛନ୍ତି । ତେଣୁ ଏଥିରେ ସ୍ୱଚ୍ଛତା ଆଣିବା ଜରୁରି ହୋଇପଡ଼ିଛି । ଏଫ୍ସିଆର୍ଏ ଅଧୀନରେ ପଞ୍ଜିକରଣ ପାଇଁ ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷ ଆଧାର ଦାଖଲ କରିବା ବାଧ୍ୟତାମୂଳକ ହେବ । ଏମିତି କି ଏଫ୍ସିଆର୍ଏ ଲାଇସେନ୍ସ ନବୀକରଣରେ ବି ଆଧାର ବାଧ୍ୟତାମୂଳକ ହେବ ବୋଲି ବିଲ୍ରେ ପ୍ରସ୍ତାବ ରହିଛି ।