ଏନ୍ଏସ୍ଏସ୍ ବ୍ୟୁରୋ ପକ୍ଷରୁ ତାଲିମ ଶିବିର
ଭୁବନେଶ୍ୱର ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ସରଳ କୌଶଳର ଉପଯୋଗ କରି ଜୀବନ ରକ୍ଷା ହୋଇପାରିବ। ହୃଦ୍ଘାତ ହେତୁ ବଢ଼ୁଥିବା ମୃତ୍ୟୁହାରକୁ କମ୍ କରିବା ଏବଂ ଏନେଇ ହେଉଥିବା ଜଟିଳ ଶାରିରୀକ ଅସୁସ୍ଥତା ହ୍ରାସ କରିବା ଉଦ୍ଦେଶ୍ୟରେ ମେଡିକାଲ୍, ପାରାମେଡିକାଲ୍ ଏବଂ ନର୍ସିଂ ଛାତ୍ରଛାତ୍ରୀଙ୍କୁ ଜୀବନ ରକ୍ଷାକାରୀ ସିପିଆର କୌଶଳ ତାଲିମ ପ୍ରଦାନ କରାଯାଇଛି। ଏମ୍ସ ଭୁବନେଶ୍ୱରର ଜାତୀୟ ସେବା ସଂସ୍ଥା(ଏନଏସଏ) ପକ୍ଷରୁ ଆୟୋଜିତ ଏହି ତାଲିମ ଶିବିରରେ କାର୍ଡିଓ-ପଲ୍ମୋନାରୀ ରିସ୍ୟୁସିଟେସନ୍(ସିପିଆର) ସମ୍ପର୍କରେ ଡେମୋ ପ୍ରଦର୍ଶନ କରାଯାଇ ବିଶେଷଜ୍ଞ ଡାକ୍ତରମାନେ ତାଲିମ ପ୍ରଦାନ କରିଥିଲେ। ଏକ ସାଧାରଣ ଜୀବନ ରକ୍ଷାକାରୀ ପଦ୍ଧତି ଭାବେ ଜଣାଶୁଣା ସିପିଆରକୁ ସଠିକ୍ ଢଙ୍ଗରେ ପ୍ରଶିକ୍ଷଣ ପ୍ରଦାନ କରାଗଲେ ଏହାକୁ ଯେକେହି ସାଧାରଣ ଲୋକ ମଧ୍ୟ ଉପଯୋଗ କରିପାରିବେ। ସମାଜରେ ଆଜିକା ଦିନରେ ଏହା ବେଶ୍ ସହାୟକ ହୋଇପାରିବ ବୋଲି ବିଶେଷଜ୍ଞମାନଙ୍କ ମତ। ଏହି କାର୍ଯ୍ୟକ୍ରମରେ ତାଲିମ ନେଇଥିବା ମେଡିକାଲ୍, ପାରାମେଡିକାଲ୍ ଏବଂ ନର୍ସିଂ ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ମହାବିଦ୍ୟାଳୟ ଏବଂ ବୈଷୟିକ(ଅଣ-ମେଡିକାଲ୍) ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ।
ଏମ୍ସ ମଙ୍ଗଳଗିରିର ସଭାପତି ତଥା ଆମେରିକାନ୍ ହାର୍ଟ ଆସୋସିଏସନ୍(ଏଏଚ୍ଏ)ର ସହଯୋଗୀ ଅନୁଷ୍ଠାନ ହାର୍ଟ ଏବଂ ସ୍ଟ୍ରୋକ୍ ଫାଉଣ୍ଡେସନ୍ ଇଣ୍ଡିଆ(ଏଚଏସଏଫଆଇ)ର ସଭାପତି ପ୍ରଫେସର (ଡ.) ଟି ରବି କୁମାର ଭର୍ଚୁଆଲ୍ ମୋଡ୍ରେ ଏହି ଶିବିରରେ ଅଂଶଗ୍ରହଣ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଅନେକ ଗୁରୁତ୍ବପୂର୍ଣ୍ଣ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ୯୦ ପ୍ରତିଶତରୁ ଅଧିକ ହୃଦ୍ଘାତ୍ ଜନିତ ସମସ୍ୟା ଡାକ୍ତରଖାନା ବାହାରେ ଘଟିଥାଏ। ଯେଉଁ ସମୟରେ କି କୌଣସି ଡାକ୍ତର କିମ୍ବା ବିଶେଷଜ୍ଞ ଉପସ୍ଥିତ ନଥାଆନ୍ତି। ତେବେ ଉକ୍ତ ସମୟରେ ସରଳ ସିପିଆର କୌଶଳ ଅବଲମ୍ବନ ଦ୍ୱାରା ହୃଦ୍ଘାତଜନିତ ମୃତ୍ୟୁ ଓ ଜଟିଳ ଅସୁସ୍ଥତାକୁ ହ୍ରାସ ପାଇପାରେ | ସିପିଆର୍ ପଦ୍ଧତିରେ କିପରି ହାତକୁ ଛାତି ଉପରେ ସଠିକ୍ ଢଙ୍ଗରେ ରଖି ଚାପ ଦିଆଯିବ ସେନେଇ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଡେମୋ ପ୍ରଦର୍ଶନ କରିଥିଲେ ଡ. ହରି କୁମାର। ଏହି କୌଶଳକୁ ସମସ୍ତେ ଶିଖିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।