ଐତିହାସିକ ଛବିରାଣୀ ହତ୍ୟାକାଣ୍ଡର ନିର୍ଭିକ ରାୟ ପ୍ରକାଶ କରିଥିବା ପୂର୍ବତନ ଜିଲ୍ଲା ଜଜ ସ୍ୱର୍ଗତ କୃଷ୍ଣଚନ୍ଦ୍ର କରଙ୍କ ସ୍ମୃତିସଭା ଅନୁଷ୍ଠିତ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କେନ୍ଦ୍ରାପଡା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୯ : ଐତିହାସିକ ଛବିରାଣୀ ହତ୍ୟାକାଣ୍ଡର ନିର୍ଭିକ ରାୟ ପ୍ରକାଶ କରିଥିବା ପୂର୍ବତନ ଜିଲ୍ଲା ଜଜ ସ୍ୱର୍ଗତ କୃଷ୍ଣଚନ୍ଦ୍ର କରଙ୍କ ସ୍ମୃତିସଭା ସ୍ଥାନୀୟ କେନ୍ଦ୍ରାପଡା ପବ୍ଲିକ ରିଡିଂ ରୁମ୍ ପରିସରରେ ଗତ ବୁଧବାର ଦିିିିନ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଜିଲ୍ଲା ଓ ଦୌରାଜଜ କୃଷ୍ଣଚନ୍ଦ୍ର କରଙ୍କ ଗତ ଅଗଷ୍ଟ ୨୬ ତାରିଖରେ ତାଙ୍କ ଭଗବାନପୁର ସାନମଙ୍ଗଳାସ୍ଥିତ ବାସଭବନରେ ୯୧ବର୍ଷ ବୟସରେ ପରଲୋକ ହୋଇଥିଲା। ଜଣେ ଖ୍ୟାତନାମା ବିଚାରପତି ହିସାବରେ ତାଙ୍କ ନାଁ ଥିଲା। ବହୁଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ତ ମାମଲାରେ ଦୋଷୀଙ୍କୁ ଦଣ୍ତାଦେଶ ପ୍ରଦାନ କରି ସେତେବେଳେ ସେ ଚର୍ଚ୍ଚାକୁ ଆସିଥିଲେ।
![](https://i0.wp.com/kalingajyoti.com/wp-content/uploads/2020/09/ttt.jpg?resize=1024%2C410&ssl=1)
କେନ୍ଦ୍ରାପଡ଼ା ବ୍ଲକ ଅରୁଆକଦଳୀବଣରେ ୧୯୨୯ମସିହାରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ କର ଜଣେ ଖ୍ୟାତନାମା ଓକିଲ ଥିଲେ। ଓଡ଼ିଶା ହାଇକୋର୍ଟରୁ ଓକିଲାତି ଜୀବନ ଆରମ୍ଭ କରିବା ପରେ ପରବର୍ତ୍ତୀ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦୌରାଜଜ ଭାବେ ସଫଳତାର ସହ କାର୍ଯ୍ୟ କରି ସମ୍ବଲପୁରରୁ ଅବସରଗ୍ରହଣ କରିଥିଲେ। କଟକ ଜିଲ୍ଲା ଦୌରାଜଜ ଭାବରେ ସେ ବହୁଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ତ ମାମଲାରେ ଦୋଷୀଙ୍କୁ ଦଣ୍ତାଦେଶ ପ୍ରଦାନ କରି ଚର୍ଚ୍ଚାକୁ ଆସିଥିଲେ। ସୁପ୍ରିମକୋର୍ଟରେ ବି ତାଙ୍କ ରାୟ କାଏମ ରହିଥିଲା। ବିଚାରପତି ପଦରୁ ଅବସର ନେବା ପରେ କେନ୍ଦ୍ରାପଡ଼ା କୋର୍ଟରେ ଓକିଲାତି କରୁଥିଲେ। ସେ ଏକ ‘ବିରଳ ସ୍ମୃତି ଜଣେ ଅନୁଭବୀର’ ପୁସ୍ତକ ଲେଖିଛନ୍ତି, ଯେଉଁଥିରେ ପାରିବାରିକ ଜୀବନଠୁ ନେଇ ଚାକିରି ଜୀବନ ଏବ˚ ଛବିରାଣୀ ହତ୍ୟାକାଣ୍ତ ମାମଲା ସ˚ପର୍କିତ ଅନେକ ଅକୁହା କଥା ଉଲ୍ଲେଖ ରହିଛି। ତାଙ୍କର ତିନି ଜଣ ପୁଅ ଆଇନଜୀବୀ ଦେବକିଶୋର କର, ସାମ୍ବାଦିକ ମନୋଜ କର, କେନ୍ଦ୍ରାପଡା ସହରର ବିଶିଷ୍ଟ ବ୍ୟବସାୟୀ ରଞ୍ଜନ କର ପ୍ରମୁଖ ନିଜ ନିଜ କ୍ଷେତ୍ରରେ ବେଶ ପ୍ରତିଷ୍ଠିତ ।
![](https://kalingajyoti.com/wp-content/uploads/2020/09/eee.jpg)
ମିଳିତ ମଂଚର ସଂପାଦକ ପାର୍ଥ ସାରଥୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତି ସଭାରେ ଆଇନଜୀବି ପ୍ରଦିପ କୁମାର ଦାସ ଅଧ୍ୟକ୍ଷତା କରିଥିଲେ । ବକ୍ତାମାନେ ସ୍ୱର୍ଗତଃ କରଙ୍କ କର୍ମମୟ ଜୀବନ, ଆଇନ ଶାସ୍ତ୍ରରେ ଦକ୍ଷତା, ମେଳାପି ସ୍ୱଭାବ ଓ ଜଣେ ଜ୍ଞାନୀ ବ୍ୟକ୍ତି ଭାବେ ସ୍ୱର୍ଗତଃ କରଙ୍କ ସ୍ମୃତି ଚାରଣ କରିବା ସହ ଐତିହାସିକ ଛବିରାଣୀ ହତ୍ୟାକାଣ୍ଡର ନିର୍ଭିକ ରାୟ ପ୍ରକାଶ କରି ୬ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ଘଟଣାକୁ ସ୍ମରଣ କରାଇଥିଲେ । ବରିଷ୍ଠ ସାମ୍ବାଦିକ ଆଶିଷ ସେନାପତି, ସୋମନାଥ ସାହୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶୁଭ୍ରାଂସୁ ଦାସ, ସଂଜୟ ଜେନା, ଗୟାଧର ଧଳ, ଅଜୟ ସାମଲ, କାର୍ତ୍ତୀକ ଚରଣ ନାୟକ ଓ ଅବନ୍ତୀ ବେହେରା ପ୍ରମୁଖ ସ୍ମୃତି ଚାରଣ କରିବା ସହ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।