ଭୁବନେଶ୍ବର: ବିଜୁ ଯୁବ ଏବଂ ଛାତ୍ର ବିଜେଡି କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ବୈଠକରେ ବିଜେଡି ସୁପ୍ରିମ ଓଡ଼ିଆ ଭାଷାକୁ ଗୁରତ୍ବ ଦେଇଥିବା ବେଳେ ଉଭୟ କଂଗ୍ରେସ ଓ ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି। କେନ୍ଦ୍ର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ରଖୁଛି। ନିର୍ବାଚନ ବେଳେ ଉଭୟ ବିଜେପି ଓ କଂଗ୍ରେସ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦେବା ନେଇ ଇସ୍ତାହାରରେ ରଖିଥିଲେ, କିନ୍ତୁ ନିର୍ବାଚନ ପରେ ଉଭୟ ଦଳ ପ୍ରତିଶ୍ରୁତି ଭୁଲି ଯାଇଛନ୍ତି।
ଆଞ୍ଚଳିକ ଦଳ ଭାବେ ବିଜେଡି ସ୍ୱତନ୍ତ୍ର ଓଡିଶା ଗଠନ ପାଇଁ ଲଢେଇ କରୁଛି। ଓଡିଶାବାସୀ ହେଉଛନ୍ତି ଆମର ବସ। ଓଡିଶାର ବିକାଶ ପାଇଁ ଲଢେଇ ଜାରି ରଖିଛୁ। ଓଡିଶାର ଖଣିଜ ସମ୍ପଦ ଓଡିଶାବାସୀ କେମିତି ପାଇବେ ଲଢେଇ କରୁଛୁ । ନିର୍ବାଚନ ଜିତି କ୍ଷମତା ହାସଲ କରିବା ଜାତୀୟ ଦଳର ଲକ୍ଷ୍ୟ। ଜାତୀୟ ନେତାଙ୍କୁ ଖୁସି କରି ବଡ ପଦବୀ ପାଇବା ସେମାନଙ୍କ ଲକ୍ଷ୍ୟ ବୋଲି ନବୀନ ପଟ୍ଟନାୟ କହିଛନ୍ତି।
ଓଡିଆ ଭାଷା, କଳା, ସଂସ୍କୃତି ହେଉଛି ଅନନ୍ୟ । ମହାନଦୀ ହେଉଛି ଆମର ଜୀବନରେଖା । ଆଦିବାସୀ ସଂସ୍କୃତି ହେଉଛି ଆମର ଶକ୍ତି । ଆମ ପାଇଁ ଆମ ଭାଷା ଗୁରୁତ୍ୱପୂର୍ଣ୍ଣ । ହିନ୍ଦୀ ଠାରୁ ଓଡିଆ ଅତି ଗୁରୁତ୍ୱପୂର୍ଣ୍ଣ । ତୃଣମୂଳ ସ୍ତରରୁ ସଙ୍ଗଠନ ଦୃଢ ଆମର ମୁଖ୍ୟ ଲକ୍ଷ୍ୟ ବୋଲି ବିଜେଡି ସୁପ୍ରିମ କହିଛନ୍ତି ।