![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୨/୦୭ : ରାଜ୍ୟ ସରକାର ଯୋଗାଇଦେଉଥିବା ସମସ୍ତ ନାଗରିକ ସେବା ଗୋଟିଏ ଓ୍ବେବ୍ ପୋର୍ଟାଲ୍ ଓଡ଼ିଶା ଓ୍ବାନ୍ରେ ଉପଲବ୍ଧ ହେବ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ସମସ୍ତ ସୂଚନା ଓଡ଼ିଶା ଓ୍ବାନ୍ ପୋର୍ଟାଲ୍ରୁ ଲୋକମାନେ ପାଇପାରିବେ। ଏହି ପୋର୍ଟାଲ୍ ସହିତ ସମସ୍ତ ପୋର୍ଟାଲ୍କୁ ମିଶ୍ରଣ କରିବା ସକାଶେ ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମାସକ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି।
![](https://i0.wp.com/kalingajyoti.com/wp-content/uploads/2020/07/Chief-secretary-Asit-Tripathy-1-1.jpeg?resize=570%2C380&ssl=1)
ଓଡ଼ିଶା ଓ୍ବାନ୍ ପୋର୍ଟାଲ୍କୁ ସମସ୍ତ ବିଭାଗ ନିଜର ପ୍ରଶାସନିକ ସୁବିଧା ପାଇଁ ବ୍ୟବହାର କରିପାରିବେ। ଏଥିସହିତ ସିଏସ୍ସି ମଡ୍ୟୁଲ, ସର୍ଭିସ ମ୍ୟାନେଜ୍ମେଣ୍ଟ ମଡ୍ୟୁଲ, ଟ୍ରାଞ୍ଜାକ୍ସନ ମ୍ୟାନେଜମେଣ୍ଟ ମଡ୍ୟୁଲ, ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ ମଡ୍ୟୁଲ ଆଦି ଖୁବ୍ଶୀଘ୍ର ବିକଶିତ କରାଯିବ। ଓଡ଼ିଶା ଓ୍ବାନ୍ ପୋର୍ଟାଲରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏବଂ କୃଷି ଓ ସଶକ୍ତୀକରଣ ବିଭାଗର ସମସ୍ତ ସେବାକୁ ସାମିଲ କରାଯିବ। ବୈଠକରେ ଯୋଗଦେଇ ଆଇଟି ସଚିବ ମନୋଜ ମିଶ୍ର କହିଛନ୍ତି ଯେ, ଏହି ପୋର୍ଟାଲ ଇ- ଗଭର୍ନାନ୍ସର ବିକଳ୍ପ ନୁହେଁ। ଏହା ଏକ ଇଣ୍ଟିଗ୍ରେଟେଡ ସର୍ଭିସ ଡେଲିଭରି ସିଷ୍ଟମ।
ଏହି ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ରାଜସ୍ବ ବିଭାଗ ସଚିବ ବିଷ୍ଣୁପଦ ସେଠୀ, ଗୃହ ବିଭାଗ ସଚିବ ସଞ୍ଜୀବ ଚୋପ୍ରା ପ୍ରମୁଖ ଯୋଗଦେଇଥିଲେ।