କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ ଶ୍ରୀନଗର ୨୮/୦୭ : ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ପ୍ରଥମ ଥର ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ସେ ଏକ ପ୍ରମୁଖ ଇଂରାଜୀ ଗଣମାଧ୍ୟମରେ ଏକ ସ୍ତମ୍ବ ଲେଖିଥିବା ବେଳେ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ନ ମିଳିବା ପର୍ଯ୍ୟନ୍ତ ସେ ବିଧାନସଭା ନିର୍ବାଚନ ଲଢିବେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ଓମାରଙ୍କ ଏହି ସ୍ତମ୍ବ ସୋମବାର ପ୍ରକାଶିତ ହୋଇଥିବା ବେଳେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।ଜମ୍ମୁ-କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ରହିଥିବା ପର୍ଯ୍ୟନ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଗତବର୍ଷ ଅଗଷ୍ଟରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିବା ସହ ଏହାକୁ ଦୁଇ ଭାଗ କରିଥିଲେ।
ଓମାର ଲେଖିଛନ୍ତି ଯେ ମୁଁ ସମ୍ପୂର୍ଣ୍ଣ ସ୍ପଷ୍ଟ ଯେ ଜମ୍ମୁ-କାଶ୍ମୀର ଯେଉଁ ପର୍ଯ୍ୟନ୍ତ କେନ୍ଦ୍ର ଶାସିତ ପ୍ରଦେଶ ରହିବ ସେ ପର୍ଯ୍ୟନ୍ତ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବି ନାହିଁ। ରାଜ୍ୟର ସବୁଠାରୁ ଶକ୍ତିଶାଳୀ ବିଧାନସଭାର ୬ ବର୍ଷକାଳ ସଦସ୍ୟ ଓ ନେତା ରହିଥିବାରୁ ମୁଁ ଏପରି ସଦନର ସଦସ୍ୟତା କରି ନପାରେ ଯାହାର ଅଧିକାର ଛଡାଇ ନିଆଯାଇଛି ବୋଲି ସେ ଲେଖିଛନ୍ତି।ଉଭୟ ଜମ୍ମୁ-କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ନାମିତ କରିଥିଲେ। କେନ୍ଦ୍ରର ଏଭଳି ନିଷ୍ପତ୍ତିକୁ ବିରୋଧ କରୁଥିବା ଅବଦୁଲ୍ଲାଙ୍କୁ ଦୀର୍ଘ ମାସ ଧରି ଅଟକ ରଖାଯାଇଥିଲା। ନିକଟରେ ସେ ମୁକୁଳିଛନ୍ତି। ଏବେ ସେ କହିଛନ୍ତି ଯେ ଜମ୍ମୁ-କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ରହିଥିବା ଯାଏ ସେ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ।
ସେ ଏକ ସ୍ତମ୍ଭ ଲେଖି କହିଛନ୍ତି, “ମୋ ମତରେ ଜମ୍ମୁ-କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ରହିଥିବା ଯାଏ ମୁଁ କୌଣସି ପ୍ରକାରର ନିର୍ବାଚନ ଲଢ଼ିବି ନାହିଁ। ଏକ ଶକ୍ତିଶାଳୀ ବିଧାନସଭାରେ ମୁଁ ୬ ବର୍ଷ କାଳ ସଦସ୍ୟ ହୋଇ ରହିଥିଲି। ଏବେ ଏକ ଶକ୍ତିହୀନ ବିଧାନସଭାର ସଦସ୍ୟ ହେବା ପାଇଁ ମୁଁ ଚାହୁଁନାହିଁ।
ଅଗଷ୍ଟ ୫ରେ କେନ୍ଦ୍ର ସରାକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଏହାର କିଛିଦିନ ପୂର୍ବରୁ ମୁଁ ଓ ଆମ ନ୍ୟାଶନାଲ କନଫରେନ୍ସର ବରିଷ୍ଠ କର୍ମକର୍ତ୍ତାମାନେ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିଥିଲେ। ଏହି ବୈଠକରେ ଆମକୁ କିଛି ବି କୁହାଯାଇ ନଥିଲା। ହେଲେ ୭୨ ଘଣ୍ଟା ପରେ ସବୁକିଛି ବଦଳି ଯାଇଥିଲା। ଆମେ ଯେଉଁ କଥାକୁ ଭୟ କରୁଥିଲୁ, ଠିକ ସେଇଆ ହିଁ ହେଲା। ଜମ୍ମୁ-କଶ୍ମୀରକୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହେଲାନାହିଁ। ବରଂ ଉପତ୍ୟକାରୁ ଧାରା ୩୭୦କୁ ଉଚ୍ଛେଦ କରିଦିଆଯାଇଥିଲା।”
୨୦୧୯ରେ ନରେନ୍ଦ୍ର ମୋଦି ସରକାର ଦ୍ୱିତୀୟବାର ଜିତି କ୍ଷମତାକୁ ଆସିବା ପରେ ସେ ଜାଣିଥିଲେ ହୁଏତ ଜମ୍ମୁ-କାଶ୍ମୀରରୁ ସମ୍ବିଧାନର ଧାରା ୩୫-ଏ ଅଥବା ରାଜ୍ୟ ଉପଭୋଗ କରୁଥିବା ୩୭୦ ଧାରା ସମାପ୍ତ ହୋଇପାରେ। ହେଲେ ରାଜ୍ୟକୁ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖରେ ବାଣ୍ଟି ଦିଆଯିବ ବୋଲି ସେ କେବେ କଳ୍ପନା ମଧ୍ୟ କରିନଥିଲେ ବୋଲି ଲେଖିଛନ୍ତି। ସେହିପରି ୫ ଅଗଷ୍ଟ ୨୦୧୯ରେ କେନ୍ଦ୍ର ସରକାର ରାଜ୍ୟ ନେଇ ଏତେବଡ ନିଷ୍ପତ୍ତି ନେବାର କିଛି ଘଣ୍ଟା ପୂର୍ବରୁ ସେ ନ୍ୟାସନାଲ କନଫରେନ୍ସର କିଛି ପଦାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିବାର କଥା ମଧ୍ୟ ସ୍ମରଣ କରିଛନ୍ତି। ହେଲେ ମାତ୍ର ୭୨ ଘଣ୍ଟା ପରେ କ’ଣ ହେବାକୁ ଯାଉଛି ସେ ନେଇ ସାମାନ୍ୟ ବାସ୍ନା ବି ପାଇନଥିଲେ ବୋଲି ଓମାର ତାଙ୍କ ସ୍ତମ୍ବରେ ଲେଖିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ସହ ଏହି ସାକ୍ଷାତ ଆଲୋଚନା କଥା ମଧ୍ୟ ସେ ସାର୍ବଜନିକ କରିବେ ବୋଲି କହିଛନ୍ତି, ହେଲେ ଏଥିପାଇଁ ଏବେ ସମୟ ନୁହେଁ ବୋଲି ଉଲ୍ଲେଖ କରିଛନ୍ତି। ତେବେ ଜମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ସମାପ୍ତ କରି ଏହାକୁ ଭାରତ ସଂଘରେ ମିସାଇବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଅନିବାର୍ଯ୍ୟଥିଲା ଓ ବିଜେପି ଏହା କରିବ ବୋଲି ଅନେକ ବର୍ଷରୁ ସମସ୍ତେ ଜାଣିଥିଲେ। କାରଣ ପ୍ରଥମରୁ ହିଁ ବିଜେପି ଜମ୍ମୁ-କାଶ୍ମୀରକୁ ତାର ନିର୍ବାଚନ ପ୍ରସଙ୍ଗ କରିଆସିଛି। ହେଲେ ରାଜ୍ୟର ମାନ୍ୟତା ସମାପ୍ତ କରି ଏହାକୁ ଦୁଇଭାଗ କରିଦିଆଯିବା ଆମଲାଗି ସବୁଠାରୁ ବଡ ଅପମାନ ବୋଲି ଓମାର କହିଛନ୍ତି।
ଗତ ଦଶକମାନଙ୍କରେ କେନ୍ଦ୍ର ସରକାର ଦେଶର କେନ୍ଦ୍ରଶାସିତ ରାଜ୍ୟମାନଙ୍କୁ ରାଜ୍ୟମାନ୍ୟତା ପ୍ରଦାନ କରିଥିଲେ। ହେଲେ କେନ୍ଦ୍ରର ବିଜେପି ସରକାର ପ୍ରଥମ ଥର ଏକ ରାଜ୍ୟକୁ ଭାଙ୍ଗି ୨ଟି କେନ୍ଦ୍ର ଶାସିତ ପ୍ରଦେଶରେ ରୂପାନ୍ତରିତ କରିଛନ୍ତି ବୋଲି ଓମାର ଉଲ୍ଲେଖ କରିଛନ୍ତି। ବୌଦ୍ଧ ବହୁଳ ଲଦ୍ଦାଖ ଅନେକ ପୂର୍ବରୁ ଜମ୍ମୁ-କାଶ୍ମୀରରୁ ପୃଥକ ହେବା ଲାଗି ଦାବି କରିଆସୁଥିଲା। ଏଥିରେ ଧର୍ମ ଆଧାରରେ ଲଦ୍ଦାଖକୁ ନୂଆ ବୌଦ୍ଧ ଧର୍ମାବଲମ୍ବୀ ରାଜ୍ୟରେ ରୂପାନ୍ତରିତ କରାଯାଇଛି। ତେବେ ଏଥିରେ ସାମିଲ ଲହେ ଓ କର୍ଗିଲ ଜିଲ୍ଲା ମୁସଲମାନ ବହୁଳ ଯେଉଁମାନେ ଜମ୍ମୁ-କାଶ୍ମୀରରୁ ପୃଥକ ହେବାକୁ ଚାହାନ୍ତି ନାହିଁ ବୋଲି ଓମାର ଲେଖିଛନ୍ତି।
ସେହିପରି ଜମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ହଟାଇବା ଲାଗି ସରକାର ସଂସଦରେ ଯେଉଁସବୁ ତର୍କ ରଖିଥିଲେ ତାହା ସବୁ ଅବାସ୍ତବ ଓ କାଳ୍ପନିକ ଥିଲା। ରାଜ୍ୟରେ ଅନୁଚ୍ଛେଦ ୩୭୦ ଯୋଗୁ ବିଛିନ୍ନତାବାଦୀ ବିଚାର ଓ ଉଗ୍ରବାଦ ବଢୁଥିବାର ସରକାର ତର୍କ ରଖିଥିଲେ। ତେବେ ଅନୁଚ୍ଛେଦ ହଟିବାର ବର୍ଷେ ପରେ ବି ସରକାର ସୁପ୍ରିମକୋର୍ଟଙ୍କୁ ରାଜ୍ୟରେ ହିଂସା ବଢୁଥିବାର କାହିଁକି ଜଣାଇଛନ୍ତି ବୋଲି ଓମାର ପ୍ରଶ୍ନ କରିଛନ୍ତି। ସେହିପରି ଅନୁଚ୍ଛେଦ ଲାଗି ରାଜ୍ୟକୁ ନିବେଶ ଆସିପାରୁନଥିବାର ମଧ୍ୟ ସଂସଦରେ ତର୍କ ରଖା ଯାଇଥିଲା। ଏଥିଯୋଗୁ ରାଜ୍ୟର ଲୋକେ ଗରିବ ଓ ଅନୁନ୍ନତ ବୋଲି କହିଥିଲେ। ହେଲେ ଦେଶର ଯେ କୌଣସି ରାଜ୍ୟ ଅପେକ୍ଷା ଜମ୍ମୁ-କାଶ୍ମୀରରେ ଗରିବ ସୀମା ରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ନିଶ୍ଚିତ କମ୍। ସେହିପରି ବିକାସ ହାରରେ ଗୁଜରାଟ ଟାରୁ ମଧ୍ୟ ଜମ୍ମୁର ଲୋକେ ଅନେକ ଉନ୍ନତ ବୋଲି ଲେଖିଛନ୍ତି ଓମାର।