ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି) ୨୬/୦୬ : କଂଗ୍ରେସର ରାଜୀବ ଗାନ୍ଧି ଫାଉଣ୍ଡେସନକୁ ଚୀନ୍ ଦୀର୍ଘ ବର୍ଷରୁ ପାଣ୍ଠି ଦେଇ ଆସୁଥିବାର ବିଜେପି ପ୍ରମାଣ ଉପସ୍ଥାପିତ କରିଛି । ଖାସ୍ ଏଥିଲାଗି କଂଗ୍ରେସ ଭାରତ ବଦଳେ ଚୀନ୍ ଭାଷା କହୁଥିବା ଓ ଶତ୍ରୁକୁ କୁଟନୈତିକ ବଳ ଦେଉଥିବା ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଗୁରୁବାର ଅଭିଯୋଗ କରିଛନ୍ତି। ଭାରତ ଓ ଚୀନ୍ ମଧ୍ୟରେ ଉପୁଜିଥିବା ବିବାଦୀୟ ପରିସ୍ଥିତିରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ୍ ପ୍ରଥମରୁ ବୟାନବାଜୀ କରିଆସୁଛି। ଏବେ ଚୀନ୍ ସହ କଂଗ୍ରେସର ଗୁଢ ସମ୍ବଦ୍ଧ ଉଜାଗର କରିଛି ବିଜେପି।
ଏଣୁ ରାହୁଲ ଓ ସୋନିଆଙ୍କୁ ଦେଶବାସୀଙ୍କ ଆଗକୁ ଆସି ମାମଲା ସ୍ପଷ୍ଟ କରିବା ଦରକାର ବୋଲି ପ୍ରସାଦ ଦାବି କରିଛନ୍ତି। ସେହିପରି ଚୀନ୍ ଏମ୍ବାସୀ ଫାଉଣ୍ଡେସନକୁ ଦେଇଥିବା ଆର୍ଥିକ ସହଯୋଗ ସମ୍ପର୍କରେ କୌଣସି ଠାରେ ସରକାରୀ ରେକର୍ଡ ମଧ୍ୟ ନଥିବାର ସେ କହିଛନ୍ତି। ଏଣୁ ।ଦି କଂଗ୍ରେସ ଚୀନ୍ ଠାରୁ ଟଙ୍କା ନେଇଛି ତାକୁ କେଉଁ ମାଧ୍ୟମରେ ଖର୍ଚ୍ଚ କରିଛି ତାର ମଧ୍ୟ ଜବାବ ରଖିବା ଦରକାର ବୋଲି ପ୍ରସାଦ ଦାବି କରିଛନ୍ତି। ଏହା ପୂର୍ବରୁ ଗତ ସପ୍ତାହରେ ବିଜେପି ଏ ନେଇ ଗାନ୍ଧି ପରିବାରକୁ ଟାର୍ଗେଟ୍ କରିଥିବା ବେଳେ ଚୀନ୍ ଏମ୍ବାସୀରେ ସୋନିଆ ଓ ରାହୁଲଙ୍କ ସହ ଚୀନ୍ ଅଧିକାରୀମାନଙ୍କ ୨୦୦୮ମସିହା ବୈଠକର ଫଟୋ ମଧ୍ୟ ଜାରି କରିଥିଲା। ତେବେ କଂଗ୍ରେସ ଏଭଳି ଅଭିଯୋଗକୁ ବିଭ୍ରାନ୍ତିକର ଓ ମନଗଢା ବୋଲି କହିଛି।
ଦେଶରେ କଂଗ୍ରେସ ସରକାର ସମୟରୁ ଚୀନ୍ ଆମ ସୀମାକୁ ଅଧିକାର କରିଥିବାର ଆଇନମନ୍ତ୍ରୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ରାଜୀବ ଗାନ୍ଧି ଫାଉଣ୍ଡେସନର ୨୦୦୫ ମସିହା ସୂଚୀ ତାଙ୍କୁ ମିଳିଛି। ଏଥିରେ ପ୍ୟୁପିଲସ ରିପବ୍ଲିକ୍ ଅଫ ଚାଇନା (ପିଆରସି) ଏମ୍ବାସୀ ଅନୁଦାନ ଦେଇଥିବାର ସୂଚନା ରହିଛି। ଏଥିରେ ଚୀନ୍ ଏମ୍ବାସୀ ବ୍ୟତୀତ କେତେକ ପିଏସୟୁ ଓ ଉଦ୍ୟୋଗପତି ମଧ୍ୟ ପାଣ୍ଠି ଦେଇଛନ୍ତି। ତେବେ ଭାରତୀୟ ଆଇନ ଅନୁସାରେ କୌଣସି ପାର୍ଟି ସରକାରଙ୍କ ବିନାନୁମତିରେ ବିଦେଶରୁ ଅର୍ଥ ସଂଗ୍ରହ କରିପାରିବେନି। ଏହା ସତ୍ତ୍ୱେ କଂଗ୍ରେସକୁ କଣ ପାଇଁ ଲାଞ୍ଚ ନେବାର ଆବଶ୍ୟକତା ପଡିଲା ବୋଲି ରବିଶଙ୍କର ପ୍ରସାଦ ସ୍ପଷ୍ଟ ପ୍ରଶ୍ନ କରିଛନ୍ତି।