କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୫/୦୯ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଗୋଟାଏ ପରେ ଗୋଟାଏ ବିସ୍ପୋରକ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ଏବେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା ଏବେ ଅଧିକ ସକ୍ରିୟ ହୋଇଯାଇଛନ୍ତି। ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡ ସମେତ ମହାରାଷ୍ଟ୍ର ସରକାର ଏବଂ ମୁମ୍ବାଇ ପୋଲିସକୁ ଟାର୍ଗେଟ କରିଛନ୍ତି। ଯେଉଁଥିପାଇଁ ସେ ସମାଲୋଚନାର ମଧ୍ୟ ସମ୍ମୁଖୀନ ହେଉଛନ୍ତି। ନିକଟରେ କଙ୍ଗନା ରଣାୱତ ଏକ ଟୁଇଟ୍ରେ କହିଛନ୍ତି ଯେ ସେ ମାଫିଆ ଅପେକ୍ଷା ମୁମ୍ବାଇ ପୋଲିସକୁ ଅଧିକ ଭୟ କରୁଛନ୍ତି। ଯାହାକୁ ନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।
କଙ୍ଗନା ରଣାଓତଙ୍କ ଅଭିଯୋଗରେ ରାଗିଯାଇ ଅନିଲ ଦେଶମୁଖ କହିଛନ୍ତି ଯେ ତାଙ୍କର ମୁମ୍ବାଇରେ ରହିବାର କୌଣସି ଅଧିକାର ନାହିଁ। ଏହା ସହିତ ଖୁବ ଶୀଘ୍ର ଅଭିନେତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ସେ ଈଶାରା ଦେଇଛନ୍ତି। ଅନିଲ ଦେଶମୁଖ ଏକ ଟ୍ୱିଟରେ ଲେଖିଛନ୍ତି – ‘ମୁମ୍ବାଇ ପୋଲିସକୁ ସ୍କଟଲାଣ୍ଡ ପୋଲିସ ସହିତ ତୁଳନା କରାଯାଏ। କିଛି ଲୋକ ମୁମ୍ବାଇ ପୋଲିସକୁ ଟାର୍ଗେଟ କରିବାକୁ ଚେଷ୍ଟା କରୁଛନ୍ତି। ଜଣେ ଆଇପିଏସ୍ ଅଧିକାରୀ ଏହା ବିରୋଧରେ ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେମାନଙ୍କର ମୁମ୍ବାଇ କିମ୍ବା ମହାରାଷ୍ଟ୍ରରେ ରହିବାର କୌଣସି ଅଧିକାର ନାହିଁ।
ଏକ ଟ୍ୱିଟରେ କଙ୍ଗନା ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାୱତଙ୍କୁ ଟାର୍ଗେଟ କରି ମୁମ୍ବାଇକୁ ପିଓକେ ସହ କରିଥିଲେ । ସେ କହିଥିଲେ, ‘ଶିବସେନା ନେତା ସଞ୍ଜୟ ରାୱତ ମୋତେ ଖୋଲାଖୋଲି ଧମକ ଦେଇଛନ୍ତି ଏବଂ କହିଛନ୍ତି ଯେ ମୁଁ ଯେମିତି ମୁମ୍ବାଇ ନ ଫେରେ । ପୂର୍ବରୁ ମୁମ୍ବାଇ ରାସ୍ତାରେ ସ୍ୱାଧୀନତାର ନାରା ଦିଆଯାଉଥିଲା କିନ୍ତୁ ଏବେ ଖୋଲାଖୋଲି ଧମକ ମିଳୁଛି । ଏ ମୁମ୍ବାଇ ପାକିସ୍ତାନ ଅଧିକୃତ କାଶ୍ମୀର ଭଳି କାହିଁକି ଜଣାପଡୁଛି ?’
ଶିବସେନା ନେତା ସଞ୍ଜୟ ରାୱତ କଙ୍ଗନାଙ୍କ ଆରୋପକୁ ନେଇ କହିଛନ୍ତି ଯେ ସେ ମହାରାଷ୍ଟ୍ରକୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି | ଏହା ପଛରେ ନିଶ୍ଚୟ କୌଣସି ରାଜନୈତିକ ଦଳ କିମ୍ବା ପାୱାର ଅଛି ଯିଏ ତାଙ୍କୁ ସମର୍ଥନ କରୁଛି ଯେଉଁଥିପାଇଁ ସେ ଏହିଭଳି ବୟାନ ରଖୁଛନ୍ତି ବୋଲି ସେ କହିଛନ୍ତି।