କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୧୦/୦୯: କରୋନା ଲଢ଼େଇରେ ଫ୍ରଣ୍ଟଫୁଟ୍ର ସିପାହୀ ସାଜିଥିବା ପୁଲିସ ବାହିନୀ ଏବେ ବିପଦରେ । ମାରାତ୍ମକ ‘କରୋନା’ ବ୍ୟାଧି ଭାଇରସ କମିଶନରେଟ୍ ପୁଲିସର ଚାରିଆଡେ ଗ୍ରାସି ଗଲାଣି । ଅଦୃଶ୍ୟ ଶତ୍ରୁ ସହ ଲଢ଼ୁଥିବା ୮୦୦ରୁ ଅଧିକ ସିପାହୀ ପଜିଟିଭ୍ ବାହାରିଲେଣି । ଫୋର୍ସର କିଛି ମୁଖିଆଙ୍କୁ ମଧ୍ୟ କରୋନାରେ କବଳିତ ହୋଇସାରିଲେଣି ।
କମିଶନରେଟ୍ ପୁଲିସର ତଳିଆ କର୍ମଚାରୀଙ୍କଠୁ ଆଇପିଏସ୍ ଅଫିସର ର୍ୟାଙ୍କ ଅଧିକାରୀ ଯାଏଁ ସବୁସ୍ତରରେ କରୋନା ଭାଇରସ୍ ପଶିସାରିଛି । ଖୋଦ୍ ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ହୋମ୍ ଆସୋଲେସନ (ସଂଗରୋଧ)ରେ ଅଛନ୍ତି । ତାଙ୍କ ପରିବାରର ସଦସ୍ୟଙ୍କ ସହ ଦପ୍ତର ଓ ସରକାରୀ କ୍ୱାର୍ଟର୍ସରେ କାମ କରୁଥିବା ୧୧ଜଣ ପୁଲିସ କର୍ମଚାରୀଙ୍କ କୋଭିଡ୍ ପଜିଟିଭ୍ ବାହାରିଛି । ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୁଲିସ(ୟୁପିଡି) ଡିସିପି ଉମାଶଙ୍କର ଦାଶ ମଧ୍ୟ ହୋମ୍ ଆସୋଲେସନରେ । ତାଙ୍କଠାରେ କରୋନା ବ୍ୟାଧିର କିଛି ଲକ୍ଷଣ ଦେଖିବାକୁ ମିଳିଛି । ଏଥିପାଇଁ ନିଜକୁ ଘରେ ସୀମିତ ରଖିଛନ୍ତି । ଜୁଲାଇ ୨୦ରୁ ନୂଆ ଡିସିପି ଭାବେ ଯୋଗ ଦେଇଥିବା ବିଭିନ୍ନ ଅପରାଧସ୍ଥଳକୁ ଯାଇଥିଲେ । ଏହାଛଡ଼ା ଗତ ସପ୍ତାହରେ ତାଙ୍କ ଅଫିସରେ ଏକାବେଳକେ ୨୩ ଜଣ କର୍ମଚାରୀ କୋଭିଡ୍ ସଂକ୍ରମିତ ହୋଇଥିଲେ । ଏଥିରୁ ତାଙ୍କୁ ଭାଇରସ୍ ଡେଇଁଥିବା ଆଶଙ୍କା କରାଯାଉଛି । ଏହାବାଦ୍ କମିଶନରେଟ୍ ପୁଲିସର ୪ ଜଣ ଅତିରିକ୍ତ ଡିସିପିଙ୍କ କରୋନା ପଜିଟିଭ୍ ବାହାରି ସାରିଛନ୍ତି । ୫ ଜଣ ଏସିପି ର୍ୟାଙ୍କର ଅଧିକାରୀଙ୍କୁ ମଧ୍ୟ ଏହି ଭାଇରସ୍ ଆଟାକ୍ କରିସାରିଛି । ସେହିପରି ୨ଜଣ ଥାନା ଅଧିକାରୀ ଏବେ କରୋନା ପଜିଟିଭ୍ ଯୋଗୁ ଆସୋଲେସନରେ ଅଛନ୍ତି ।