କରୋନା କଟକଣା ମଧ୍ୟରେ ଆଜି ସାରା ଦେଶ ପାଳନ କରୁଛି ୭୪ତମ ସ୍ୱାଧୀନତା ଦିବସ : ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ପ୍ରଧାନମନ୍ତ୍ରୀ ଦେଶର କୋଟି କୋଟି କରୋନା ଯୋଦ୍ଧାଙ୍କ ସେବାକୁ କଲେ ପ୍ରଶଂସା
- ସ୍ୱାଧୀନତା ଦିବସରେ ନ୍ୟାସନାଲ ଡିଜିଟାଲ ହେଲଥ୍ ମିଶନର ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୫/୦୮ : କରୋନା କଟକଣା ମଧ୍ୟରେ ଆଜି ସମଗ୍ର ଦେଶ ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଦିଲ୍ଲୀ ଲାଲକିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଠିକ ସକାଳ ୭ଟା ୩୦ ମିନିଟ୍ ରେ ପତାକା ଉତ୍ତୋଳନ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପତାକା ଉତ୍ତୋଳନ କରିବା ପୂର୍ବରୁ ମୋଦି ପ୍ରଥମେ ରାଜଘାଟ ଯାଇଥିଲେ। ସେଠାରେ ସେ ମାହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ମୋଦି ଲାଲକିଲାର ଲାହୋରି ଗେଟ୍ରେ ପହଞ୍ଚିବା ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ପାଛୋଟି ନେଇଥିଲେ। ଲାଲକିଲାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ସେ ପତାକା ଉତ୍ତୋଳନପ କରିଥିଲେ।
ସ୍ଵାଧିନତା ଦିବସ ଅବସରରେ ୭ଥର ପାଇଁ ମୋଦି ଲାଲକିଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସମ୍ବୋଧନ ପ୍ରାରମ୍ଭରୁ ସେ ଦେଶର ଶହୀଦଙ୍କୁ ସମ୍ମାନ ଜଣାଇବା ସହ କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିଥିଲେ। ଏଥିସହ ଦେଶକୁ ଆତ୍ମନିର୍ଭରଶୀଳ ହେବାକୁ ଆହ୍ବାନ କରିବା ସହ ଚାଇନାକୁ ଟାର୍ଗେଟ କରିଥିଲେ। ଏହି ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର କେତେକ ସଦସ୍ୟ ସାମିଲ ହୋଇଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଯୋଗ ଦେଇଛନ୍ତି ।
ସ୍ଵାଧୀନତା ଦିବସର ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଦେଶରେ ଜାରି ରହିଥିବା କୋଭିଡ଼-୧୯ ମହାମାରୀରେ ନିଜକୁ ନିୟୋଜିତ କରିଥିବା କରୋନା ଯୋଦ୍ଧାମାନଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ନ୍ୟାସନାଲ ଡିଜିଟାଲ ହେଲଥ ମିଶନର ଘୋଷଣା କରିଛନ୍ତି । ଏହି ମିଶନରେ ଦେଶର ସମସ୍ତ ଭାରତୀୟଙ୍କ ଡାଟା ରଖାଯିବ । ଏହାପରେ ପ୍ରତ୍ୟେକ ଭାରତୀୟଙ୍କୁ ଏକ ଆଇଡ଼ି ମିଳିବ । ଏହାସହ ପ୍ରତ୍ୟେକ ଭାରତୀୟଙ୍କୁ ସ୍ୱାସ୍ଥ୍ୟସେବା ମିଳିବ । ମହାମାରୀ କରୋନା ପାଇଁ ଦେଶ ସମସ୍ୟା ଦେଇ ଗତି କରୁଛି ।
କିନ୍ତୁ କରୋନା ପାଇଁ ଦେଶରେ ବୈଜ୍ଞାନିକ କାମ କରୁଛନ୍ତି । ୩ଟି ଭ୍ୟାକ୍ସିନ ପାଇଁ ଦେଶରେ ପରୀକ୍ଷା ଚାଲିଛି ବୋଲି ମୋଦି କହିଛନ୍ତି । ଭ୍ୟାକ୍ସିନ ଆସିଲେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯିବ । ପ୍ରତ୍ୟେକ ଭାରତୀୟଙ୍କ ପାଖରେ ଭ୍ୟାକ୍ସିନ ପହଞ୍ଚିବ । ବୈଜ୍ଞାନିକଙ୍କ ସବୁଜ ସଙ୍କେତ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏହାସହ ସାର୍ବଭୌମତ୍ୱ ରକ୍ଷା ପାଇଁ ଦେଶ ବଦ୍ଧପରିକର ବୋଲି ମୋଦି କହିଛନ୍ତି । ଲଦାଖରେ ଆମ ଯବାନଙ୍କ ବୀରତ୍ୱ ବିଶ୍ୱ ଦେଖିଛି । ଆତଙ୍କବାଦ ଓ ବିସ୍ତାରବାଦକୁ ଉଚିତ ଜବାବ ଦେବ ଭାରତ । ଏଲଓସିରୁ ଏଲଏସି ଯାଏଁ ଯବାନ ସଜାଗ ଅଛନ୍ତି । ପଡ଼ୋଶୀ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନ ଚାହେଁ ଭାରତ । ଯିଏ ଯେଉଁପରି ତାକୁ ସେହିପରି ବ୍ୟବାହାର ପାଇଁ ସେନା ପ୍ରସ୍ତୁତ ଅଛନ୍ତି ବୋଲି ମୋଦି କହିଛନ୍ତି ।
୧. ଦେଶକୁ ସ୍ବାଧୀନତା ଦେବା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେ ରଖିବା ପାଇଁ ଆମେ ଏହି ଦିନକୁ ପାଳନ କରୁଛେ। ଆମର ସୁରକ୍ଷା ସୁନିଶ୍ଚିତ କରୁଥିବା ସେନା, ପାରାମିଲିଟାରୀ ଏବଂ ପୁଲିସ ସମେତ ସୁରକ୍ଷା କର୍ମୀଙ୍କୁ କୃତଜ୍ଞତା ଜଣାଇବା ପାଇଁ ମଧ୍ୟ ଆମେ ଏହି ଦିନକୁ ପାଳନ କରୁଛେ |
୨. କରୋନା ମହାମାରୀ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ, “ଆମେ ଭିନ୍ନ ସମୟ ଦେଇ ଗତି କରୁଛୁ। ମୁଁ ଆଜି ଛୋଟ ପିଲାମାନଙ୍କୁ ଦେଖିପାରୁ ନାହିଁ। କରୋନା ସମସ୍ତଙ୍କୁ ଅଟକାଇ ଦେଇଛି। କୋଭିଡର ଏହି ସମୟରେ କରୋନା ଯୋଦ୍ଧାମାନେ ‘ସେବା ପରମ ଧର୍ମ’ର ମନ୍ତ୍ର ମନରେ ନେଇ ଦେଶବାସୀଙ୍କ ସେବାରେ ଲାଗି ପଡ଼ିଛନ୍ତି। ଏ ନେଇ ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି। ଏବେ ଭାରତରେ ୩ଟି କରୋନା ଟିକା ଉପରେ ପରୀକ୍ଷା ଚାଲୁ ରହିଛି। ବୈଜ୍ଞାନିକମାନଙ୍କଠାରୁ ସବୁଜ ସଙ୍କେତ ପାଇବା ମାତ୍ରେ ଆମେ ସେହି ଟିକାଗୁଡ଼ିକର ବହୁଳ ଉତ୍ପାଦନ ଆରମ୍ଭ କରିବୁ |
୩. ମହିଳାମାନଙ୍କ ସାମର୍ଥ୍ୟ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ବି ମହିଳାମାନେ ସୁଯୋଗ ପାଇଛନ୍ତି, ସେମାନେ ଭାରତକୁ ଗର୍ବିତ କରିଛନ୍ତି | ଆଜି, ରାଷ୍ଟ୍ର ସେମାନଙ୍କୁ ଆତ୍ମନିର୍ଭରଶୀଳତା ଏବଂ ରୋଜଗାରର ସମାନ ସୁଯୋଗ ଯୋଗାଇବାକୁ ସ୍ଥିର କରିଛି | ଆଜି ମହିଳାମାନେ କୋଇଲା ଖଣିରେ କାମ କରୁଛନ୍ତି, ଆମର ଝିଅମାନେ ଯୁଦ୍ଧ ବିମାନ ଉଡ଼ାଇ ଆକାଶକୁ ମଧ୍ୟ ସ୍ପର୍ଶ କରୁଛନ୍ତି | ଏ ନେଇ ଆମ ଦେଶରେ ମହିଳାମାନଙ୍କ ବିବାହ ପାଇଁ ସର୍ବନିମ୍ନ ବୟସକୁ ପୁନର୍ବିଚାର କରିବାକୁ ଆମେ ଏକ କମିଟି ଗଠନ କରିଛୁ। କମିଟି ଏହାର ରିପୋର୍ଟ ଦାଖଲ କରିବା ପରେ ଆମେ ଉପଯୁକ୍ତ ନିଷ୍ପତ୍ତି ନେବୁ ବୋଲି ଲାଲ କିଲାରୁ ଦେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି।
୪. ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ସ୍ବାଧୀନତା ଦିବସ ଅବସରରରେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନର ଉଦଘାଟନ କରିଛନ୍ତି। ଏହି ମିଶନ ଅଧୀନରେ ପ୍ରତ୍ୟେକ ଭାରତୀୟ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଆଇଡି ପାଇବେ। ଆପଣଙ୍କ ପ୍ରତ୍ୟେକ ପରୀକ୍ଷା, ପ୍ରତ୍ୟେକ ରୋଗ, କେଉଁ ଡାକ୍ତର ତୁମକୁ କେଉଁ ଔଷଧ ଦେଇଥିଲେ, କେବେ ଦେଇଥିଲେ, ତୁମର ରିପୋର୍ଟ କ’ଣ, ଏହି ସମସ୍ତ ସୂଚନା ଏହି ସ୍ୱାସ୍ଥ୍ୟ ଆଇଡିରେ ରହିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
୫. ଆଗାମୀ ୧,୦୦୦ଦିନରେ ଦେଶର ପ୍ରତ୍ୟେକ ଗାଁ ଅପ୍ଟିକାଲ ଫାଇବର ସହିତ ସଂଯୁକ୍ତ ହେବ। ୨୦୧୪ ପୂର୍ବରୁ ଦେଶର କେବଳ ୫ ଡଜନ ପଞ୍ଚାୟତ ଅପ୍ଟିକାଲ ଫାଇବର ସହିତ ସଂଯୁକ୍ତ ଥିଲା। ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ୧.୫ ଲକ୍ଷ ଗ୍ରାମ ପଞ୍ଚାୟତ ଅପ୍ଟିକାଲ ଫାଇବର ସହିତ ସଂଯୁକ୍ତ ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
୬.ଆଧୁନିକ, ନୂତନ ଏବଂ ସମୃଦ୍ଧ ଭାରତ ନିର୍ମାଣରେ ଶିକ୍ଷା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ | ତେଣୁ, ଆମେ ତିନି ଦଶନ୍ଧି ପରେ ନୂତନ ଶିକ୍ଷା ନୀତି ଆଣିଛୁ ଯାହା ସାରା ଦେଶରେ ସ୍ୱାଗତଯୋଗ୍ୟ, ଯାହା ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି|
• କୋଟି କୋଟି କରୋନା ଯୋଦ୍ଧାଙ୍କ ସେବାକୁ ଶତ ନମନ କରିଛନ୍ତି ପ୍ରଧାନମନ୍ତ୍ରୀ ।
• ବର୍ତମାନ ଭାରତ କରୋନା ସହିତ ଲଢେଇ କରୁଛି , କରୋନା ଯୋଦ୍ଧାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ
• ସୀମାରେ ଦେଶ ପାଇଁ ବଳିଦାନ ଦେଇଥିବା ସହିଦଙ୍କୁ ସଲାମ
• ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱ ।
• ନାଁ ନନେଇ ଚୀନର ବିସ୍ତାରବାଦ ନୀତିକୁ ସମାଲୋଚନା
• ଲାଲକିଲ୍ଲାରୁ ଚୀନକୁ କଡା ସନ୍ଦେଶ
• ଦେଶର ଯୁବ ବର୍ଗଙ୍କୁ ଆତ୍ମନିର୍ଭର ହେବାକୁ ଆହ୍ୱାନ
• ନିଜେ ନିଜକୁ ଗଢି ତୋଳିବାକୁ ଦେଶର ଯୁବ ବର୍ଗ ପ୍ରତିଜ୍ଞା ନେବାକୁ ଆହ୍ୱାନ
• ଭାରତ ଏକ ବିଶାଳ ସଂସ୍କାର ପରିବେଶ ଭିତରେ ଗଢି ହୋଇଛି
• ସମୟ ଦାବି କରୁଛି ଏବେ ବିଶ୍ୱ ଅର୍ଥନୀତି ସହିତ ଭାରତର ଅର୍ଥନୀତି ଯୋଡି ହେବା ଜରୁରୀ
• କୃଷି କ୍ଷେତ୍ରରେ ଆତ୍ମନିର୍ଭର ଭାରତ
• ଉର୍ଜା କ୍ଷେତ୍ରରେ ବି ଭାରତ ବହୁ ଆଗକୁ ଆସିଛି
• ଭାରତ ବିଭିନ୍ନ ସାମଗ୍ରୀ ଉତ୍ପାଦନରେ ଆତ୍ମନିର୍ଭର ହେଲାଣି
• କୁଶଳୀ ମାନବ ସଂବଳ ଉପରେ ଗୁରୁତ୍ୱ
• ଆମର ସାମର୍ଥ୍ୟକୁ ବଂଚାଇ କୁଶଳତାକୁ କାମରେ ଲଗାଇବାକୁ ହେବ
• ସ୍କିଲ୍ ଡେଭଲପମେଂଟ କୁ ଗୁରୁତ୍ୱ ଦେଲେ ଆତ୍ମନିର୍ଭର ହେବ ଭାରତ
• ଆତ୍ମନିର୍ଭର ହେବାକୁ ଭାରତ ଆଗରେ ଅନେକ ସମସ୍ୟା
• କୋଟି କୋଟି ଭାରତୀୟ ଏହାର ସମାଧାନ ଦେଇପାରିବେ
• କରୋନା ସମୟରେ ଆମେ ବହୁ ସମସ୍ୟାର ଶିକାର ହୋଇଛେ
• ଆମର ଯୁବ ପିଢୀ ଏହି ଆବଶ୍ୟକତା ମେଂଟାଇ ଦେଇଛନ୍ତି
• ଏନ ୯୫ ମାସ୍କ, ପିପିଇକିଟ୍, ଭେନଟିଲେଟର ହୋଇପାରିଛି, ଆମେ ବିଦେଶକୁ ରପ୍ତାନୀ କରୁଛୁ
• ଆତ୍ମନିର୍ଭର ଭାରତର ଅର୍ଥ ଆମେ ଆମ ସାମଗ୍ରୀର ଗୌରବ ଗାନ କରିବା
• ଭୋକାଲ୍ ଫୋର ଲୋକାଲ ଉପରେ ଗୁରୁତ୍ୱ
• ରାଷ୍ଟ୍ରୀୟ ଶିକ୍ଷାନୀତି, ୱାନ ନେସନ୍ ୱାନ ରାସନ କାର୍ଡ ଏବେ ଦେଶର ପରିଚୟ ହୋଇପାରିଛି
• ଗୋଟିଏ ପରେ ଗୋଟିଏ ପରିବର୍ତନକୁ ସାରା ବିଶ୍ୱ ଦେଖିପାରୁଛି
• ଏଫଡିଆଇରେ ସବୁ ରେକର୍ଡ ଭାଂଗିଛି ଗତବର୍ଷ
• ଗତବର୍ଷ ଏଫଡିଆଇରେ ୧୮ ପ୍ରତିଶତ ବୃଦ୍ଧି ହୋଇଛି
• ଭାରତକୁ ଏବେ ଅନେକ ଦେଶ ରପ୍ତାନୀ କେନ୍ଦ୍ର ବୋଲି ଭାବିଲେଣି
• କରୋନା ସମୟରେ ବନ୍ୟା ବାତ୍ୟା ଚାଷୀଙ୍କ ପାଇଁ ବଡ ବିପତି ଆଣିଛି
• ଦେଶର ଚାଷୀ ଏବେ ବି ଆତ୍ମନିର୍ଭର ହୋଇ ଆଗକୁ ବଢୁଛି
• କରୋନାକୁ ପ୍ରାଥମିକତା ଦେଇ ଦୂର କରିବା ଉପରେ ଗୁରୁତ୍ୱ
• ୧୧୦ ଲକ୍ଷ କୋଟି ନିବେଶ ହେବ ବିଭିନ୍ନ ସେକ୍ଟରରେ
• ୭ ହଜାର ପ୍ରୋଜେକ୍ଟ ଚିହ୍ନଟ ସରିଛି, ଏହା ଦେଶର ସାମଗ୍ରିକ ବିକାଶରେ କାମ କରିବ
• ଦେଶର ଭିତିଭୂମି ବିକାଶ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ