![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୫/୦୭: କରୋନା ପାଇଁ ହୁଗୁଳି ଗଲାଣି ବ୍ୟାବସାୟିକ ଭିତ୍ତିଭୂମି। ଦେବାଳିଆ ହୋଇଗଲାଣି ବ୍ୟବସାୟ। ଏପରିକି ରାଜଧାନୀ ଭଳି ସ୍ଥାନରେ ମଧ୍ୟ କିଛି ରେସ୍ତୋରାଁ ଓ ଢାବାରେ ସବୁଦିନ ପାଇଁ ତାଲା ଠୁଙ୍କି ଦିଆଯାଇଛି। କେବଳ ପାର୍ସଲ ଦେବା ପାଇଁ ଅନୁମତି ଥିଲେ ହେଁ ଏଥିରେ ଘୋଡ଼ା ଛ’ ଟଙ୍କାକୁ ଦାନା ନ’ ଟଙ୍କା ଭଳି ସ୍ଥିତି ଉପୁଜିଛି। ତେଣୁ ପ୍ରଥମେ ଯେଉଁ କେତେଜଣ ଉତ୍ସାହିତ ହୋଇ ପାର୍ସଲ ବ୍ୟବସ୍ଥା କରିଥିଲେ, ସେମାନେ ବି ଏହା ବନ୍ଦ କରିଦେଲେଣି। ହୋଟେଲ୍ ଫ୍ଲେଭର, କିଚେନ୍ ହୋମ୍ ଭଳି ଛୋଟ ଛୋଟ ରେସ୍ତୋରାଁ ବନ୍ଦ ହୋଇଯାଇଥିବା ବେଳେ ଅନ୍ୟମାନେ ଦିନ ଗଣିବା ଆରମ୍ଭ କଲେଣି।
![](https://i0.wp.com/kalingajyoti.com/wp-content/uploads/2020/07/hgfhgdj.jpg?resize=536%2C327)
ରେସ୍ତୋରାଁ ବ୍ୟବସାୟୀଙ୍କ କହିବା ମୁତାବକ, କରୋନା ସ୍ଥିତି ସୁଧୁରିବା ବେଳକୁ ୩୦ରୁ ୪୦ପ୍ରତିଶତ ରେସ୍ତୋରାଁ ଓ ଢାବାରେ ତାଲା ଝୁଲିବ। ଘର ଭଡ଼ାର ବୋଝ ହିଁ ଅଣ୍ଟା ଭାଙ୍ଗି ସାରିଲାଣି। କେବେ ସ୍ଥିତିରେ ସୁଧାର ଆସିବ, ସେନେଇ ଅନିଶ୍ଚିତତା ଲାଗି ରହିଥିବାରୁ ଅଯଥା ଘରଭଡ଼ା ଗଣିବା ସପକ୍ଷରେ ନାହାନ୍ତି ରେସ୍ତୋରାଁ ମାଲିକ। ତେଣୁ ଯେଉଁମାନଙ୍କର ଚୁକ୍ତି ମିଆଦ ପୂରିନି, ସେମାନଙ୍କୁ ବାଦ୍ ଦେଲେ, ଘର ଭଡ଼ା ନେଇ ଚଲାଇଥିବା ଅନ୍ୟ ରେସ୍ତୋରାଁ ବ୍ୟବସାୟୀମାନେ ଘର ଖାଲି କରିବା ଆରମ୍ଭ କରିଦେଲେଣି।
![](https://kalingajyoti.com/wp-content/uploads/2020/07/hgfhdjhgdjfyuh.jpg)
ହୋଟେଲ୍ ଆଣ୍ଡ୍ ରେସ୍ତୋରାଁ ଆସୋସିଏସନ୍ର ଶ୍ରୀନିବାସ ସୁବୁଦ୍ଧିଙ୍କ କହିବା ମୁତାବକ, ୬୦ ପ୍ରତିଶତରୁ ଊର୍ଧ୍ବ ରେସ୍ତୋରାଁ ବ୍ୟବସାୟୀ ଘର ଭଡ଼ା ନେଇ ଏହା ତୁଲାଉଛନ୍ତି। ୪ ମାସ ବନ୍ଦ ରହିଥିବାରୁ ଘର ଭଡ଼ା ଓ କର୍ମଚାରୀଙ୍କ ଦରମା ଦେବା ନଳିତା ବିଡ଼ା ଉପରେ ବୋଝ ସଦୃଶ ହେଲାଣି। ତେଣୁ ରେସ୍ତୋରାଁ ବା ଢାବାରେ ତାଲା ଝୁଲିବା ସ୍ବାଭାବିକ କଥା ବୋଲି ସେ କହିଛନ୍ତି। ସଂପ୍ରତି ରାଜଧାନୀରେ ୨ ହଜାରରୁ ଅଧିକ ଛୋଟବଡ଼ ରେସ୍ତୋରାଁ ଓ ଢାବା ଥିବା ବେଳେ ୨୦ ହଜାର ଲୋକଙ୍କୁ ଏହା ନିଯୁକ୍ତି ଦେଇଥିଲା। ମାତ୍ର ଏବେ ଦେଢ଼ ଶହରୁ କମ୍ ରେସ୍ତୋରାଁ ପାର୍ସଲ ବ୍ୟବସାୟ କରୁଛନ୍ତି। ତାହା ବି ୩-୪ ଜଣରେ କାମ ଚଳା ଉଦ୍ଦେଶ୍ୟ ନେଇ ଜାରି ରଖିଛନ୍ତି। ଅଥଚ ଏଥିରେ ଆୟ ତ ଦୂରର କଥା, ରେସ୍ତୋରାଁ ଭଡ଼ା ମଧ୍ୟ ଉଠୁ ନାହିଁ ବୋଲି ଲକ୍ଷ୍ମୀସାଗରସ୍ଥିତ ଏକ ରେସ୍ତୋରାଁ ବ୍ୟବସାୟୀ ଲିଙ୍ଗରାଜ କହିଛନ୍ତି।
ଖଣ୍ଡଗିରିସ୍ଥିତ ଆହାର ହୋଟେଲ୍ର ସ୍ବତ୍ତ୍ବାଧିକାରୀ ନିର୍ମଳ ରାଉତଙ୍କ କହିବା ମୁତାବକ, କର୍ମଚାରୀଙ୍କ ଦରମା ଉଠାଇବା ପାଇଁ ପାର୍ସଲ ବ୍ୟବସ୍ଥା କରୁଛୁ। କିନ୍ତୁ ସେଥିରେ ଦରମା ବି ଉଠୁ ନାହିଁ, ବରଂ ହାତରୁ ଖର୍ଚ୍ଚ ହେଉଛି। ଲୋକେ ମଧ୍ୟ ବାହାରୁ କିଣି ଖାଇବାକୁ ପସନ୍ଦ କରୁନାହାନ୍ତି। କିଛି ଦିନ ଆଗରୁ ପାର୍ସଲ ଭଲ ଚାଲୁଥିଲେ ହେଁ ପୁଣି ଏହା ୬୦ ଭାଗ କମି ଗଲାଣି। ଏଣେ ହୋଲ୍ଡିଂ ଟ୍ୟାକ୍ସ, ଟ୍ରେଡ୍ ଲାଇସେନ୍ସ୍, ବିଦ୍ୟୁତ୍ ଦେୟ ବି ଗଣିବାକୁ ପଡ଼ୁଛି। ପ୍ରଶାସନ କୋଉଥିରେ ବି ଛାଡ଼ କରୁନାହିଁ। ଏଣେ ଘରଭଡ଼ା ଗଣିବା ବେଳକୁ ବହୁତ ବାଧୁଛି। ତେଣୁ ଦେବାଳିଆ ଭଳି ପରିସ୍ଥିତି ଉପୁଜିଲାଣି। ଯଦି ଆଉ କିଛି ମାସ ଏମିତି ରୁହେ, ତେବେ ଢାବା ଆଉ ଖୋଲିପାରିବ କି ନାହିଁ, ତାହା ବି ସନ୍ଦେହରେ ବୋଲି ସେ କହିଛନ୍ତି।