କୋଭିଡ୍ ଔଷଧ ‘ଫେବିଫ୍ଲୁ’ ବିଷୟରେ ମିଥ୍ୟା ଦାବି ଓ ଅଧିକ ଦର ଯୋଗୁଁ ଗ୍ଲେନ୍ମାର୍କକୁ କାରଣ ଦର୍ଶାଅ ନୋଟିସ୍ ଦେଲା ‘ଡିଜିସିଆଇ’
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୦/୦୭ : କୋଭିଡ୍-୧୯ ଔଷଧ ‘ଫେଭିପାଇରାଭିୟର୍’ର ଜେନେରିକ୍ ସଂସ୍କରଣ ‘ଫେବିଫ୍ଲୁ’ ବିଷୟରେ ‘ମିଥ୍ୟା ଦାବି ଏବଂ ଅଧିକ ମୂଲ୍ୟ’ ସମ୍ବନ୍ଧରେ ଏହାର ନିର୍ମାତା ମୁମ୍ବାଇର ପ୍ରମୁଖ ଔଷଧ କମ୍ପାନି ଗ୍ଲେନ୍ମାର୍କକୁ ‘କେନ୍ଦ୍ରୀୟ ଡ୍ରଗ୍ସ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍’ (ସିଡିଏସ୍ସିଓ) କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।
କମ୍ପାନିକୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସ୍ରେ ‘ସିଡିଏସ୍ସିଓ’ କହିଛି ଯେ, ଜଣେ ସାଂସଦ ଅଭିଯୋଗ କରିଛନ୍ତି ଯେ ‘ଫେବିଫ୍ଲୁ’ରେ ସମୁଦାୟ ଚିକିତ୍ସା ବାବଦ ଖର୍ଚ୍ଚ ହେବ ପ୍ରାୟ ୧୨, ୫୦୦ ଟଙ୍କା। ଗ୍ଲେନ୍ମାର୍କ ନିର୍ଦ୍ଧାରଣ କରିଥିବା ଏହି ମୂଲ୍ୟ ଭାରତର ଗରିବ, ନିମ୍ନ ମଧ୍ୟବିତ୍ତ ଏବଂ ମଧ୍ୟବିତ୍ତ ଶ୍ରେଣୀୟ ଲୋକମାନଙ୍କ ସ୍ବାର୍ଥାନୁକୂଳ ନୁହେଁ।
ଏଥିରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଏହି ଔଷଧ ବ୍ୟକ୍ତିର ହାଇପର୍ ଟେନ୍ସନ୍ ଓ ମଧୁମେହ ଭଳି ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାରେ ମଧ୍ୟ ଫଳପ୍ରଦ ହେବ ବୋଲି ଗ୍ଲେନ୍ମାର୍କ ଉପକ୍ରମଣିକାରେ ଉଲ୍ଲେଖ କରିଛି। କିନ୍ତୁ, ବାସ୍ତବରେ ‘ପ୍ରୋଟକଲ୍ ସମରି’ ଅନୁସାରେ, ଏହି ପରୀକ୍ଷଣ ‘ଫେବିଫ୍ଲୁ’ ଯେ ଅନ୍ୟାନ୍ୟ ଶାରୀରିକ ପାଇଁ ଉଦ୍ଦିଷ୍ଟ ତାହା ଦର୍ଶାଯାଇ ନାହିଁ। ଏଥିପାଇଁ ଯଥେଷ୍ଟ ଡାକ୍ତରୀ ତଥ୍ୟ ମଧ୍ୟ ଉପଲବ୍ଧ ହେଉନାହିଁ।
ଏଠାରେ ପ୍ରକାଶଯୋଗ୍ୟ କି, ସୋମବାର ଦିନ ଗ୍ଲେନ୍ମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ କହିଛି ଯେ, ‘ଫେବିଫ୍ଲୁ’ର ବଟିକାର ମୂଲ୍ୟ ଟ. ୭୫/- ରହିବ। ସାମାନ୍ୟ କୋଭିଡ୍-୧୯ ଲକ୍ଷଣ ଥିବା ରୋଗୀମାନେ ‘ଫେବିଫ୍ଲୁ’ ବ୍ୟବହାର କରିପାରିବେ ବୋଲି କମ୍ପାନି କହିଛି।
ଫ୍ଲୁ ବିରୋଧୀ ଔଷଧ ‘ଫେବିପାଇରାଭିୟର୍’ ମୂଳ ନିର୍ମାତା ଜାପାନର ‘ଫୁଜିଫିଲ୍ମ ହୋଲ୍ଡିଙ୍ଗ୍ କର୍ପୋରେସନ୍’। ସେଠାରେ ଏହାର ବ୍ରାଣ୍ଡ୍ ନେମ୍ ହେଉଛି ‘ଏଭିଗାନ୍’।