କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୭/୦୭: ଓଡ଼ିଶା ସମେତ ସାରା ବିଶ୍ୱରେ କରୋନା ମହାମାରୀ ଏବେ ଆତଙ୍କ ସୃଷ୍ଟି କରିଛି। କାହାର ଜୀବନ ଗଲାଣି, ଆଉ କିଏ ହରାଇଛି ଜୀବିକା। ଲକ୍ଡାଉନ୍ ଓ ସଟ୍ଡାଉନ୍ ଭଳି ପଦକ୍ଷେପ ମାଧ୍ୟମରେ ଏହି ମହାମାରୀକୁ ରୋକିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତନାଘନା ଚଳାଇଛନ୍ତି। କେବଳ ସେତିକି ନୁହେଁ, ସଂକ୍ରମଣକୁ ରୋକିବା ଲାଗି ଯେଉଁ ମୂଳ ସୂତ୍ର ଉପରେ ଗୁରୁତ୍ୱ ଦିଆଯାଉଛି, ତାହା ହେଲା – ଭିଡ଼କୁ ନଯାଇ ଲୋକଙ୍କଠାରୁ ଦୂରେଇ ରହିବା, ମାସ୍କ ପିନ୍ଧିବା, ବାରମ୍ବାର ହାତକୁ ଧୋଇବା। ଏହା ସତ୍ତ୍ୱେ ମହାମାରୀ ସଂକ୍ରମଣ ବଢ଼ୁଛି, ମୃତ୍ୟୁ ବି ବଢୁଛି ।
ଏଭଳି ସମୟରେ ଆମେରିକାର ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକ ଏବଂ ସ୍ୱିଜରଲାଣ୍ଡର ଏରୋସୋଲ୍ ଇଣ୍ଡଷ୍ଟ୍ରି ପକ୍ଷରୁ ହୋଇଥିବା ଅନୁଧ୍ୟାନରେ ଓଡ଼ିଶା ସଂପର୍କରେ ଏକ ଭଲ ତଥ୍ୟ ସାମ୍ନାକୁ ଆସିଛି। ସଂସ୍ଥା କହିଛି ଯେ କରୋନା ମହାମାରୀ ମୁକାବିଲା ଦିଗରେ ତଥ୍ୟ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥାଏ। ଉପଯୁକ୍ତ ତଥ୍ୟ ମିଳିଲେ ପ୍ରଶାସନ ଏବଂ ନୀତି ନିର୍ଦ୍ଧାରକମାନେ ଏହି ମହାମାରୀକୁ ଠୋସ୍ ଭାବେ ମୁକାବିଲା କରିବାରେ ସମର୍ଥ ହୋଇଥାନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ କରୋନା ତଥ୍ୟ ସଂଗ୍ରହ ମାନ ବେଶ ପ୍ରଶଂସାଯୋଗ୍ୟ ।କୋଭିଡ-୧୯ ଡାଟା ରିପୋର୍ଟିଂ ସ୍କୋର୍ (ସିଡିଆର୍ଏସ୍)ରେ ଭାରତର ଶୀର୍ଷ ୩ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇପାରିଛି । ଓଡ଼ିଶାର ହାରାହାରି ସ୍କୋର୍ ୦.୫୧ ରହିଛି । କର୍ଣ୍ଣାଟକ ୦.୬୧ ସ୍କୋର କରି ପ୍ରଥମ ସ୍ଥାନରେ ଥିବା ବେଳେ କେରଳ ୦.୫୨ ସ୍କୋର ସହିତ ଦ୍ବିତୀୟ ସ୍ଥାନରେ ରହିଥିବା ଏହି ରିପୋର୍ଟରେ କୁହାଯାଇଛି ।
୪ଟି ବର୍ଗ ଯଥା ତଥ୍ୟର ଉପଲବ୍ଧତା, ପହଞ୍ଚ, ବିଭାଗୀକରଣ ଓ ଗୋପନୀୟତାରେ ଓଡ଼ିଶାକୁ ଏହି ନମ୍ବର ମିଳିଛି ।ଦେଶର ଅଳ୍ପ କେତେକ ରାଜ୍ୟ ମଧ୍ୟରେ ଓଡ଼ିଶା ପକ୍ଷରୁ କୋଭିଡ୍-୧୯ ତଥ୍ୟ ପ୍ରଦାନ ପାଇଁ ସ୍ବତନ୍ତ୍ର ଭାବେ ଏକ ଡ୍ୟାସବୋର୍ଡ ପ୍ରସ୍ତୁତ କରାଯାଇଛି। କୋଭିଡ ସଂକ୍ରାନ୍ତ ଅଧିକାଂଶ ତଥ୍ୟ ଉପଲବ୍ଧ କରାଇବା, ତାହାକୁ ଭଲ ଭାବେ ପ୍ରଦର୍ଶନ କରାଇବା, ନିର୍ଭୁଲ ଭାବେ ତଥ୍ୟ ସଂଗ୍ରହକୁ ସର୍ବାଧିକ ଗୁରୁତ୍ବ ଦେବା ଏବଂ ନାଗରିକମାନଙ୍କ ତଥ୍ୟର ଗୋପନୀୟତା ରକ୍ଷା କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି ବୋଲି ଗବେଷକମାନେ କହିଛନ୍ତି। ଗବେଷକମାନଙ୍କ ଉକ୍ତ ରିପୋର୍ଟ ମେଡରିକସିଭରେ ପ୍ରକାଶିତ ହୋଇଛି।
ଓଡ଼ିଶା ପକ୍ଷରୁ କୋଭିଡ-୧୯ ତଥ୍ୟ ଏତେ ନିର୍ଭୁଲ ଭାବେ ସଂଗ୍ରହ କରାଯାଉଛି ଯାହାଦ୍ବାରା ଏହି ମହାମାରୀ ଏବଂ ଲୋକଙ୍କ ସ୍ବାସ୍ଥ୍ୟ ପରିଚାଳନା କରିବାରେ କର୍ତ୍ତୃପକ୍ଷଙ୍କୁ ଉକ୍ତ ତଥ୍ୟ ବିଶେଷ ସହାୟକ ହେଉଛି ବୋଲି କୁହାଯାଇଛି। କେବଳ ସେତିକି ନୁହେଁ ଏଥିଯୋଗୁ ବିଭିନ୍ନ ସ୍ବାଧୀନ ସଂସ୍ଥା ଏବଂ ଲୋକମାନେ ଏହି ତଥ୍ୟକୁ ବ୍ୟବହାର କରି ମହାମାରୀର ପ୍ରକୃତି ସଂପର୍କରେ ଭଲଭାବେ ସଚେତନ ହୋଇପାରୁଛନ୍ତି। ଫଳରେ ଲୋକମାନେ ଜିଲ୍ଲା ଏବଂ ବ୍ଲକସ୍ତରରେ ମହାମାରୀ ବ୍ୟାପିବା ସମ୍ପର୍କରେ ସତର୍କ ରହିପାରୁଛନ୍ତି।