ରାୟଗଡ଼ା,୦୮/୧୨: ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ଗଞ୍ଜେଇ କାରବାରର ତଦନ୍ତ ପାଇଁ ଯାଇଥିବା ବେଳେ ମିଳିଲା ୨୦ ପ୍ରକାରର ରତ୍ନ ପଥର। ତା ପୁଣି କେଜିଏ କି ଦି କେଜି ନୁହେଁ, ପୂରା ୧୫୧ କେଜି। ଏହାର ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ପୁଲିସ୍ କହିଛି। ରାୟଗଡ଼ା ସହରର ଭିଆଇପି ରୋଡ୍ରେ ଥିବା ଜଗନ୍ନାଥ କମ୍ପେ୍ଲକ୍ସରେ କ୍ରାଇମବ୍ରାଞ୍ଚର ଏସ୍ଟିଏଫ ଏବଂ ପୁଲିସ୍ର ମିଳିତ ଚଢ଼ଉ ବେଳେ ଜବତ ହୋଇଛି ଦେଢ଼ କୁଇଣ୍ଟାଲ ଓଜନର ରତ୍ନ ପଥର। ଏହି କାରବାରରେ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ଜିତେନ୍ଦ୍ର କୁମାର ବେହେରା। ଏସ୍ପି ଡ. ଶର୍ବଣା ବିବେକ ଏମ୍ ଏହି ସୂଚନା ଦେଇଛନ୍ତି ।
ଏସ୍ପି କହିଛନ୍ତି, ଜିତେନ୍ଦ୍ର ଗଞ୍ଜେଇ କାରବାର ଲିଙ୍କ୍ରେ ଥିବା କ୍ରାଇମବ୍ରାଞ୍ଚକୁ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ ଏବଂ ଟାଉନ୍ ପୁଲିସ୍ ମିଳିତ ଭାବେ ଜିତେନ୍ଦ୍ରଙ୍କ ଘରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ତାଙ୍କ ଘରୁ ଗଞ୍ଜେଇ ମିଳିନଥିଲା । ମିଳିଥିଲା ବିପୁଳ ରତ୍ନ ପଥର । ଘର ସହ ଜିତେନ୍ଦ୍ରଙ୍କ ଗୋଟିଏ କାର୍ରେ ମଧ୍ୟ କିଛି ରତ୍ନପଥର ରହିଥିଲା। ଦୁଇଟି ବସ୍ତାରେ ରହିଥିବା ରତ୍ନପଥର ଏବଂ କାର୍ (ଓଡି-୧୮-ଜି-୩୩୫୫)କୁ ଜବତ କରାଯାଇ ଥାନାକୁ ଅଣାଯାଇଥିଲା ।
ଏ ନେଇ କ୍ରାଇମବ୍ରାଞ୍ଚ ଏସ୍ଟିଏଫର ଏସ୍ଆଇ ଜଗନ୍ନାଥ ପ୍ରସାଦ ସାହୁ ରାୟଗଡ଼ା ଥାନାରେ ଏତଲା ଦେବା ପରେ ମାମଲା ରୁଜୁ କରାଯାଇଛି । ଅଭିଯୋଗ ପାଇବା ପରେ ସମସ୍ତ ରତ୍ନପଥରକୁ ଥାନା ପରିସରରେ ଓଜନ କରାଯାଇଥିଲା । ଜବତ ରତ୍ନ ପଥର ମୋଟ ୧୫୧ କେଜି ହୋଇଥିଲା । ଏହାର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ । ତଥାପି କ୍ରାଇମବ୍ରାଞ୍ଚ ପକ୍ଷରୁ ଏହାର ପ୍ରକୃତ ମୂଲ୍ୟ ନିର୍ଦ୍ଧାରଣ ଲାଗି ଉଦ୍ୟମ ଜାରି ରହିଛି । ଟାଉନ୍ ଥାନାରେ ୩୯୦/୨୦୨୦ରେ ଏକ ମାମଲା ରୁଜୁ କରାଯାଇ ଜିତେନ୍ଦ୍ରଙ୍କୁ ଗିରଫ କରାଯାଇଥିବା ଏସ୍ପି କହିଛନ୍ତି। ଜବତ ରତ୍ନପଥର ମଧ୍ୟରେ ରହିଛି ରୁବି, ପାନା, ଟୋପାଜ, ମୁନଷ୍ଟୋନ, ରେନ୍ବୋ, ବ୍ଲାକ ଡାଇମଣ୍ଡ, କ୍ୱାର୍ଜର୍ ଇତ୍ୟାଦି । ମୋଟ ୨୦ ପ୍ରକାରର ରତ୍ନ ପଥର । ଜିତେନ୍ଦ୍ର ଏହାକୁ କେଉଁଠାରୁ ଆଣିଥିଲେ ଏବଂ କୁଆଡ଼େ ଚାଲାଣ କରିଥାନ୍ତେ- ତାହାର ତଦନ୍ତ ଜାରି ରହିଛି ।
ବିଶେଷ କରି ଏହି କାରବାରରେ ଆଉ କେଉଁମାନେ ଜଡ଼ିତ ଏବଂ ଏହାର ଚେର କେତଦୂର ଲମ୍ବିଛି-ତାହାର ଅନୁସନ୍ଧାନ ଜାରି ରହିଛି। ଏହି ଘଟଣାକୁ ନେଇ ଆଜି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଜିତେନ୍ଦ୍ର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସହ ଜଡ଼ିତ ଥିବାରୁ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଆଲୋଚନା ହେଉଛି । ଅନ୍ୟ ଦଳକୁ ସମାଲୋଚନା ପାଇଁ ଏହା ଖୋରାକ ଯୋଗାଇଛି । କାରଣ ଜିତେନ୍ଦ୍ର ଠିକା କାମ କରିବା ସହ ଅନ୍ୟ ବ୍ୟବସାୟ କରୁଥିଲେ। ତାଙ୍କ ନିଜଘର ମୁନିଗୁଡ଼ା ବ୍ଲକ ବିଜାମଣ୍ଡଳିରେ । ଏହି ରତ୍ନ ପଥର ଚୋରା କାରବାରରେ ସେ କେବେଠାରୁ ଜଡ଼ିତ ଏବଂ ଏଥିରେ ଆଉ କାହା କାହାର ହାତ ରହିଛି, ତାହାର ଖୋଳତାଡ଼ ଜାରି ରଖିଛି ପୁଲିସ୍ ।