କଳିଙ୍ଗ ଜ୍ୟୋତି ବ୍ୟୁରୋ,୦୫/୦୯ : ଗୁରୁଦିବସ ଏକ ଶୁଭ ଓ ପବିତ୍ର ଦିବସ । ଗୁରୁ ହେଉଛନ୍ତି ଏପରି ଏକ ବ୍ୟକ୍ତି ଯେ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରେଇ ଜ୍ଞାନର ଆଲୋକ ପ୍ରଦାନ କରନ୍ତି। ସମାଜର ଏକ ବିଶେଷ ଭାର ବହନ କରୁଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଗୁରୁ। ତାଙ୍କୁ ସମ୍ମାନ ପ୍ରଦାନ କରିବା ହେଉଛି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ପ୍ରଧାନ କର୍ତ୍ତବ୍ୟ। କାରଣ ସେ ଆମକୁ ସଂପୂର୍ଣ୍ଣ ଭାବେ ଜୀବନକୁ ଗଢି ତୋଳିବାରେ ସାହାଯ୍ୟ କରିଥାଆନ୍ତି । ବହୁ ପୁରାତନ କାଳରୁ ଗୁରୁ-ଶିଷ୍ୟଙ୍କ ଅନେକ କାହାଣୀ ଶୁଣିବାକୁ ମିଳୁଛି। ଅନେକ ଗୁରୁଙ୍କ ବାଖ୍ୟା ମଧ୍ୟ ରହିଛି , ଯାହାଙ୍କ ଶିଷ୍ୟ ବହୁ କୀର୍ତ୍ତିମାନ କରିଛନ୍ତି।
ତେବେ ଏହି ପବିତ୍ର ଦିନରେ ଆହୁରି ମଧ୍ୟ କେତେକ ମହାନ ପୌରାଣରେ ବାଖ୍ୟା ହୋଇଥିବା ଗୁରୁଜୀଙ୍କ ବିଷୟରେ ଜାଣନ୍ତୁ ଯେ, ଭଗବାନଙ୍କ ଠାରୁ ମଧ୍ୟ ବଡ଼ ବୋଲି କୁହାଯାଇଛି। ହିନ୍ଦୁ ମାନ୍ୟତା ଅନୁଯାୟୀ, ଭଗବାନ ଶିବ ଆଦି ଗୁରୁ ଥିଲେ। ପୌରାଣିକ କଥା ଅନୁସାରେ ବହୁ ପରିସ୍ଥିତିରେ ଭଗବାନ ଶିବ ଗୁରୁ ହୋଇ ତାଙ୍କ ଶିଷ୍ୟଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି। ଏହାମଧ୍ୟ ମାନ୍ୟତା ରହିଛି ଭଗବାନ ବିଷ୍ଣୁଙ୍କ ଅବତାର ପର୍ଶୁରାମଙ୍କୁ , ପ୍ରଭୁ ଶିବଶଙ୍କର ଅସ୍ତ୍ରଶସ୍ତ୍ର ବିଦ୍ୟା ଶିଖାଇଥିଲେ।
ମହର୍ଷି ବେଦବ୍ୟାସଙ୍କୁ ହିନ୍ଦୁଧର୍ମ ସହ ଜଡ଼ିତ ବହୁ ବେଦ, ଗ୍ରନ୍ଥ ଓ ପୁରାଣର ରଚୟିତା ବୋଲିତ କୁହାଯାଏ। ମହର୍ଷି ବେଦବ୍ୟାସଙ୍କ ଅନେକ ଏପରି ଶିଷ୍ୟ ଥିଲେ ଯେ କି ଖୁବ ବିଦ୍ୱାନ। ଋଷି ବଶିଷ୍ଠ ଭଗବାନ ଶ୍ରୀରାମ ଓ ସୂର୍ଯ୍ୟବଂଶଙ୍କର କୁଳଗୁରୁ ଥିଲେ। ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମ, ଲକ୍ଷ୍ମଣ, ଭରତ , ଶତ୍ରୁଘ୍ନ ଋଷି ବରିଷ୍ଠଙ୍କ ଠାରୁ ବେଦ, ଓ ଅନ୍ୟାନ୍ୟ ସମସ୍ତ ଜ୍ଞାନ ଶିକ୍ଷା କରିଥିଲେ। କୌରବ ଓ ପାଣ୍ଡବଙ୍କର ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ମହାନ ଧନୁର୍ଦ୍ଧର କୁହାଯାଏ। ଦ୍ରୋଣାଚାର୍ଯ୍ୟଙ୍କ ସହ ଜଡ଼ିତ ଏହି କଥା ବେଶ ପ୍ରଚଳିତ ଯେଉଁଥିରେ ସେ ଗୁରୁଦକ୍ଷିଣା ସ୍ୱରୂପ ଏକଲବ୍ୟଙ୍କ ଠାରୁ ତାଙ୍କ ବୁଢା ଆଙ୍ଗୁଠି ଦକ୍ଷିଣା ରୂପେ ମାଗିଥିଲେ। ଦେବଗୁରୁ ବୃହସ୍ପତିଙ୍କୁ ଦେବତାଙ୍କ ଗୁରୁ କୁହାଯାଏ। ସେ ଖୁବ ପରାକ୍ରମୀ ଥିଲେ।
ସ୍ୱାଧୀନ ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଓ ମହାନ ଶିକ୍ଷକ ଭାବେ ପରିଚିତ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ସେପ୍ଟେମ୍ବର ୫ ତାରିଖ ଦିନ। ଏହିଦିନ ହିଁ ପାଳନ କରାଯାଏ ଗୁରୁଦିବସ। ରାତି ପାହିଲେ ଗୁରୁ ଦିବସ, ଏହି ପବିତ୍ର ଦିନ ଆମକୁ ମନେପକାଇ ଦେଇଥାଏ ଜୀବନରେ ଗୁରୁଙ୍କ ଅବଦାନ ଓ ମହତ୍ତ୍ୱ ବିଷୟରେ। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଆମେ ପ୍ରତିବର୍ଷ ଗୁରୁଦିବସ ଭାବେ ପାଳନ କରିଥାଉ। ଜଣେ ଦାର୍ଶିନିକ ତଥା ଜଣେ କୁଶଳୀ ରାଷ୍ଟ୍ରନୀତିଜ୍ଞ ଓ ଜଣେ ଆଦର୍ଶ ଶିକ୍ଷକ ଭାବରେ ରାଧାକ୍ରିଷ୍ଣନ ବେଶ୍ ପରଚିତ। ତେବେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଭାରତର ରାଷ୍ଟ୍ରପତି ଥିବା ସମୟରେ ବହୁ ଛାତ୍ରଛାତ୍ରୀ ଓ ବନ୍ଧୁମାନେ ତାଙ୍କର ଜନ୍ମଦିନ ପାଳନ କରିବାକୁ କହିଥିଲେ। ଏହାକୁ ନେଇ ସେ କହିଥିଲେ, “ତୁମେମାନେ ମୋ ଜନ୍ମଦିନ ପାଳନ କରିବା ଅପେକ୍ଷା, ଯଦି ଏହି ଦିନ ଗୁରୁମାନଙ୍କ ଦିବସ ଭାବରେ ପାଳନ କରିବ ତାହା ମୋ ପାଇଁ ସମ୍ମାନର ପରିଚୟ ହେବ”। ସେହିଦିନଠାରୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଗୁରୁଦିବସ ଭାବରେ ସାରାଦେଶରେ ପାଳନ ହୋଇଆସୁଛି।
ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ବାଲ୍ୟ ଜୀବନ ୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁ ମାଡ୍ରାସର ତିରୁତ୍ତଣି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ତାଙ୍କ ପିତାଙ୍କ ନାମ ଥିଲା ସର୍ବପଲ୍ଲୀ ଭୀରାସ୍ୱାମୀ ଆଉ ମାତାଙ୍କ ନାମ ଥିଲା ସର୍ବପଲ୍ଲୀ ସୀତାମା। ତାଙ୍କର ବାଲ୍ୟଜୀବନ ମୁଖ୍ୟତଃ ତିରୁତ୍ତଣିରେ କଟିଥିଲା। ତାଙ୍କ ପିତା ସ୍ଥାନୀୟ ଜମିଦାରଙ୍କ ପାଖରେ ଅଧସ୍ତନ କର୍ମଚାରୀ ଭାବରେ କାମ କରୁଥିଲେ। ତାଙ୍କର ପ୍ରାଥମିକ ଶିକ୍ଷା କେ.ଭି ହାଇସ୍କୁଲରେ ହୋଇଥିଲା। ଏହାପରେ ୧୮୯୬ ମସିହାରେ ସେ ତିରୁପତି ଚାଲିଆସିଥିଲେ ଓ ସେଠାରେ ନିଜର ଉଚ୍ଚଶିକ୍ଷା କରିଥିଲେ। ରାଧାକ୍ରିଷ୍ଣନ ଜଣେ ମେଧାବୀ ଛାତ୍ର ଥିଲେ। ୧୭ ବର୍ଷ ବୟସରେ ମାଡ୍ରାସର ଖ୍ରୀଷ୍ଟିୟାନ୍ କଲେଜରେ ନାମ ଲେଖାଇଥିଲେ। ସେଠାରୁ ସେ ୧୯୦୬ ମସିହାରେ ଗ୍ରାଜୁଏଟ୍ ହୋଇଥିଲେ। ଗ୍ରାଜୁଏଟ୍ ହେବାପରେ ଅଧ୍ୟାପକ ଭାବରେ କାମ କରିଥିଲେ। ୧୯୩୧ରୁ ୧୯୩୬ ମସିହା ପର୍ୟ୍ୟନ୍ତ ସେ ଆନ୍ଧ୍ରପ୍ରଦେଶ ବିଶ୍ୱବିଦ୍ୟାଳୟର କୁଳପତି ମଧ୍ୟ ରହିଥିଲେ। ମାତ୍ର ୧୬ ବର୍ଷ ବୟସରେ ପରିବାର ଲୋକେ ରାଧାକ୍ରିଷ୍ଣନ୍ଙ୍କୁ ଶିବକାମୁଙ୍କ ସହ ବିବାହ କରାଇଦେଇଥିଲେ। ରାଧାକ୍ରିଷ୍ଣନଙ୍କ ୬ ସନ୍ତାନ ଥିଲେ।
ରାଜନୈତିକ ଜୀବନ ଅଧ୍ୟାପକ ରହିସାରିବା ପରେ ରାଧାକ୍ରିଷ୍ଣନ୍ ରାଜନୀତିରେ ପ୍ରବେଶ କରିଥିଲେ। ଭାରତ ସ୍ୱାଧୀନ ହେବାପରେ ସେ ୟୁନେସ୍କୋରେ ଭାରତର ପ୍ରତିନିଧି ହୋଇଥିଲେ। ଏହାପରେ ସେ ସୋଭିଏତ୍ ସଂଘରେ ଭାରତର ଆମ୍ବାସାଡାର ନିଯୁକ୍ତ ହୋଇଥିଲେ। ୧୯୪୯ରୁ ୧୯୫୨ ମସିହା ମଧ୍ୟରେ ସେ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ ମଧ୍ୟ ରହିଥିଲେ। ଏହାପରେ ସ୍ୱାଧୀନ ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ଭାବରେ ଶପଥ ନେଇଥିଲେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍। ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ପରେ ସେ ସ୍ୱାଧୀନ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ହୋଇଥିଲେ। ୧୯୫୪ ମସିହାରେ ରାଧାକ୍ରିଷ୍ଣନ୍ଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୧୯୭୫ ମସିହା ଏପ୍ରିଲ ୧୭ ତାରିଖରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା।