ଘୋଷଯାତ୍ରାରୁ ବାହୁଡ଼ି ରତ୍ନବେଦୀକୁ ଫେରିଲେ ତିନି ଠାକୁର- ଅଭିମାନୀନୀ ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନ ଭଞ୍ଜନ କଲେ – ଆସନ୍ତାକାଲି ନୀଳାଦ୍ରୀ ଅବଡା
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/07/jaga-1-1024x681.jpg?resize=594%2C394)
ଲୀଳାମୟ ଠାକୁର ଆଷାଢ ଶୁକ୍ଳପକ୍ଷ ଚଦୁର୍ଦ୍ଦଶୀ ତିଥିରେ ଆଜି ନୀଳାଦ୍ରି ବିଜେ କରିଛନ୍ତି। ନବଦିନ ଘୋଷଯାତ୍ରାରୁ ବାହୁଡ଼ି ସିଂହଦ୍ୱାରରେ ଚାରିଦିନ ଧରି ରଥାରୁଢ ଥିବା ତିନି ଠାକୁର ଚତୁର୍ଦ୍ଦଶୀ ତିଥିରେ ରତ୍ନବେଦୀକୁ ଫେରିଛନ୍ତି। ବିଜେ କାହାଳୀ, ଘଣ୍ଟଘଣ୍ଟାର ତାଳେ ତାଳେ ଗୋଟି ପହଣ୍ଡିରେ ଝୁଲି ଝୁଲି ଶ୍ରୀବିଗ୍ରହମାନେ ନୀଳକନ୍ଦରକୁ ବିଜେ କରିଛନ୍ତି। ଭକ୍ତଙ୍କ ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନିରେ ସିଂହଦ୍ୱାର ଫାଟି ପଡ଼ିଛି।
![](https://kalingajyoti.com/wp-content/uploads/2020/07/balia.jpg)
ଏଥି ସହିଚ ଚଳିତ ବର୍ଷର ରଥଯାତ୍ରାର ପରିସମାପ୍ତି ଘଟିଛି। ତିନି ଠାକୁର ରତ୍ନ ସିଂହାସନ ବିରାଜମାନ କରିବା ପରେ କାଲିଠାରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସାଧାରଣ ଦୈନନ୍ଦିନ ନୀତି ଅନୁଷ୍ଠିତ ହେବ। ସେହିପରି କାଲିଠୁ ଶ୍ରୀମନ୍ଦିରରେ ନୀଳାଚଳ ଅବଢ଼ା ମିଳିବ।
![](https://i0.wp.com/kalingajyoti.com/wp-content/uploads/2020/07/7207293f-9890-455b-8289-eede318ed464.jpg?resize=592%2C394)
ଶ୍ରୀମନ୍ଦିରକୁ ପ୍ରବେଶ ପୂର୍ବରୁ ପରମ୍ପରା ଅନୁଯାୟୀ ମହାପ୍ରଭୁ ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଛନ୍ତି। ସେପଟେ ସଅଳ ପହଣ୍ଡିରେ ବି ଏଥର ରେକର୍ଡ଼ ହୋଇଛି। ରାତି ସାଢେ ୯ଟା ସୁଦ୍ଧା ଚତୁର୍ଦ୍ଧା ମୂର୍ତି ରତ୍ନବେଦୀରେ ବିଜେ ହୋଇଛନ୍ତି। ବିଜେ ନୀତି ସଂପନ୍ନ ପରେ ଚାରମାଳ ଫିଟା ସହ ଅନ୍ୟାନ୍ୟ କାର୍ଯ୍ୟ ଶ୍ରୀମନ୍ଦିର ଭିତରେ ସଂପନ୍ନ ହୋଇଛି।
ନୀଳାଦ୍ରି ବିଜେ ଉପଲକ୍ଷେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ତିନି ରଥ ଉପରେ ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ଅବକାଶ, ବେଶ ଶେଷ ପରେ ଗୋପାଳବଲ୍ଲଭ ନୀତି ସଂପନ୍ନ ହୋଇଥିଲା। ପରେ ସକାଳ ଧୂପ, ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ ନୀତି ଅନୁଷ୍ଠିତ ହୋଇଥିଲା। ବେଶ ଶେଷ ପରେ ମଧ୍ୟାହ୍ନ ଧୂପ, ମଇଲମ ଓ ବେଶ, ସଂଧ୍ୟା ଆଳତି, ସଂଧ୍ୟା ଧୂପ ଆଦି ନୀତି ଅନୁଷ୍ଠିତ ହୋଇଥିଲା।
ଜଗତର ନାଥ ଶ୍ରୀ ଜଗନ୍ନାଥ ତାଙ୍କର ମାନବୀୟ ଲୀଳା କରି ଘୋଷଯାତ୍ରାରେ ବାହାରି ଆଡପ ମଣ୍ଡପକୁ ବିଜେ କରିଥିଲେ। ପରେ ବାହୁଡା ବିଜେ କରି ସିଂହଦ୍ୱାର ରେ ପହଂଚିବା ପରେ ରଥ ଉପରେ ରାଜାଜେଶ୍ୱର ବେଶ ଓ ଅଧରପଣା ନୀତି ସଂପର୍ଣ୍ଣ ହେବା ପରେ ଆଜି ମହାପ୍ରଭୁଙ୍କର ନୀଳାଦ୍ରୀ ଆରମ୍ଭ ହୋଇଛି। ଆଜି ତିନି ରଥ ଉପରେ ସମସ୍ତ ନୀତି କାନ୍ତି ଶେଷ ହେବା ପରେ ସଂନ୍ଧ୍ୟା ଧୂପ ବଢିଥିଲା। ପରେ ତିନି ରଥ ଉପରେ ଚାରମାଳ ବନ୍ଧା ଯାଇଥିଲା। ପ୍ରଥମେ ମଦନମୋହନଙ୍କର ପହଣ୍ଡି ଆରମ୍ଭ ହୋଇଥିଲା। ପରେ ସୁଦର୍ଶନ ପରେ ବଳଭଦ୍ର ଓ ଦେବୀ ସୁଭଦ୍ରା ଶେଷରେ ଶ୍ରୀ ଜଗନ୍ନାଥଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଚାରମାଳ ଉପରକୁ ଆସିବା ପରେ ରାଘବ ଦାସ ମଠ ଦ୍ୱାରା ପ୍ରସ୍ତୁତ ଟାହ୍ୟା ଶ୍ରୀ ଜିଉ ମାନଙ୍କର ମସ୍ତକରେ ଲଗାଯାଇଥିଲା। ଗୋଟି ପହଣ୍ଡିରେ ଶ୍ରୀ ଜିଉମାନଙ୍କୁ ନିଆଯାଇ ରତ୍ନ ସିଂହାସନରେ ବିଜେ କରାଯାଇଥିଲା। ଶ୍ରୀ ଜଗନ୍ନାଥ ଚାରମାଳ ଉପରକୁ ଆସିବା ପରେ ମାଆ ଲକ୍ଷ୍ମୀ ଚାହାଣୀ ମଣ୍ଡପକୁ ଆସି ଶ୍ରୀ ଜିଉ ଙ୍କୁ ବନ୍ଦାପନା କରି ଫେରିଯାଇଥିଲେ। ଏହା ପରେ ଶ୍ରୀ ଜଗନ୍ନାଥ ଝୁଲି ଝୁଲି ରଥ ଉପରୁ ଓହ୍ଲାଇ ସିଂହଦ୍ୱାରକୁ ବିଜେ କରିଥିଲେ। ଶ୍ରୀ ଜିଉ ଙ୍କର ଏହି ଚିତାକର୍ଷକ ମନଲୋଭା ଦୃଶ୍ୟ ସମସ୍ତିଙ୍କୁ ବିମୋହିତ କରିଥିଲା। ସିଂହଦ୍ୱାର ପହଂଚିବା ପରେ ସିଂହଦ୍ୱାର ବନ୍ଦ ହୋଇଯାଇଥିଲା। ମହାପ୍ରଭୁ ମାଆ ଲକ୍ଷ୍ମୀଙ୍କୁ ଛାଡି ଭାଇ ଭଉଣୀଙ୍କୁ ନେଇ ନବଦିନାତ୍ମକ ଯାତ୍ରା ରେ ଯାଇଥିବାରୁ ମହାଲକ୍ଷ୍ମୀ କ୍ରୋଧ ଜର୍ଜରିତ ହୋଇ ଶ୍ରୀ ମନ୍ଦିରରେ ଏକୁଟିଆ ରହିଥିଲେ। ତେଣୁ ସିଂହଦ୍ୱାର ଠାରେ ମାଆ ଲକ୍ଷ୍ମୀଙ୍କ ସହ ବଚନିକା ହେବା ପରେ ଦୁଆର ଫିଟାଇ ଦେଇ ମହାପ୍ରଭୁ ରତ୍ନ ସିଂହାସନ କୁ ଯିବା ପୂର୍ବରୁ ପୁନର୍ବାର ମାଆ ଲକ୍ଷ୍ମୀ ଜୟ ବିଜୟ ଦ୍ୱାରକୁ ବନ୍ଦ କରିଦେଇଥିଲେ। ସେଠାରେ ପୁନରାୟ ବଚନିକା ହୋଇଥିଲା। ମହାପ୍ରଭୁଙ୍କ ପକ୍ଷରୁ ଭିତରଛ ମହାପାତ୍ର ଓ ମାଆ ଲକ୍ଷ୍ମୀଙ୍କ ପକ୍ଷରୁ ପତି ମହାପାତ୍ର ସେବାୟତ ବଚନିକା ଅଂଶ ଗ୍ରହଣ କରଥିଲେ। ପରେ ମହାପ୍ରଭୁ ମହାଲକ୍ଷ୍ମୀଙ୍କୁ ବହୁ ବୁଝାସୁଝା କରିବା ଓ ତାଙ୍କୁ ଗୁପ୍ତ ଗୁଣ୍ଡିଚାରେ ନେବେ ବୋଲି ପ୍ରତିଶୃତି ଦେବା ସହ ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାଆଙ୍କ ମାନ ଭଞ୍ଜନ କରିବା ପରେ ମାଆ ଲକ୍ଷ୍ମୀ ଶାନ୍ତ ହୋଇ ଦୁଆର ଫିଟାଇଦବାର ବିଧି ରହିଛି। ଆସନ୍ତା କାଲି ନୀଳାଦ୍ରୀ ଅବଡା ବାହାରିବ। ସେଥିପାଇଁ ବହୁ ଶ୍ରଦ୍ଧାଳୁ ଭକ୍ତ ଏହି ନୀଳାଦ୍ରୀ ଅବଡା ପାଇଁ ଅପେକ୍ଷା କରି ରହିଥାନ୍ତି। ଚଳିତ ବର୍ଷ କୋଭିଡ୍ -୧୯ ଲାଗୁ ହୋଇଥିବା ଯୋଗୁଁ ମହାପ୍ରଭୁ ଙ୍କର ସମସ୍ତ ନୀତି କାନ୍ତି ବିନା ଭକ୍ତରେ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଶ୍ରଦ୍ଧାଳୁ ଭକ୍ତ ଚର୍ମଚକ୍ଷୁ ରେ ମହାପ୍ରଭୁ ଙ୍କ ଦର୍ଶନ ପାଇନଥିଲେ ମଧ୍ୟ ଟିଭି ମାଧ୍ୟମରେ ମହାପ୍ରଭୁ ଙ୍କୁ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିଛନ୍ତି।