ୱାଶିଂଟନ / ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୮/୦୭ : ଭାରତ ପରେ ଏବେ ଆମେରିକା ସମାନ ପଦକ୍ଷେପ ଗ୍ରହଣ କରିବାକୁ ଯାଉଥିବା ସଙ୍କେତ ଦେଇଛି। ଆମେରିକା ବି ଟିକ୍ଟକ ସହ ଦେଶରେ ଚାଲୁଥିବା ସମସ୍ତ ଚାଇନିଜ୍ ଆପ ଉପରେ ବ୍ୟାନ୍ ଲଗାଇବାକୁ ଯାଉଥିବା ସୂଚନା ମିଳିଛି। ଏ ସମ୍ପର୍କରେ ଆମେରିକାର ପରରାଷ୍ଟ୍ର ସଚିବ ମାଇକ ପୋମ୍ପେଓ ସୂଚନା ଦେଇଛନ୍ତି। ଭାରତ ଓ ଆମେରିକା ଭଳି ରାଷ୍ଟ୍ର ସହ ତିକ୍ତତା ସୃଷ୍ଟି କରିବା ଚାଇନାକୁ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି। ତିକ୍ତତାକୁ ଦୃଷ୍ଟିରେ ରଖି ଭାରତ ସରକାର ଟିକଟକ ସହ ୫୯ଟି ଚାଇନିଜ୍ ଆପ୍କୁ ଦେଶରେ ବ୍ୟାନ୍ କରିଛନ୍ତି। ଏଥିପାଇଁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଚାଇନାକୁ ଜବରଦସ୍ତ ବ୍ୟବସାୟିକ ଝଟକା ଲାଗିଛି। ସେ କହିଛନ୍ତି, ଆମେ ବର୍ତ୍ତମାନ ଟିକ୍ଟକ ସହ ଆମେରିକାରେ ଚାଲିଥିବା ଚାଇନିଜ୍ ସୋଶାଲ ମିଡିଆ ଆପ୍କୁ ବ୍ୟାନ କରିବାକୁ ଚିନ୍ତା କରୁଛୁ। ଏହା କେବେ କରାଯିବ ଓ କେଉଁଭଳି କରାଯିବ, ସେ ବିଷୟରେ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଭାରତ ସରକାର ଗତ ସୋମବାର ତଥ୍ୟ ଚୋରି ଅଭିଯୋଗ ଓ ଭାରତର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଟିକଟକ, ୟୁସି ବ୍ରାଉଜର, ହେଲୋ ଭଳି ୫୯ଟି ଚାଇନିଜ୍ ଆପକୁ ବ୍ୟାନ୍ କରିଥିଲେ। ୫୯ଟି ଚାଇନିଜ୍ ଆପ ମଧ୍ୟରୁ ଟିକଟକ ଭାରତର ସବୁଠାରୁ ଲୋକପ୍ରିୟ ରହିଥିଲା। ବ୍ୟାନ୍ ଯୋଗୁ ଚାଇନିକୁ ପ୍ରାୟ ୪୫ ହଜାର କୋଟି ଟଙ୍କା କ୍ଷତି ହୋଇଥିବା ଆକଳନ କରାଯାଉଛି।
ଅନ୍ୟପକ୍ଷରେ ଆମେରିକାରେ ବି ୧୭ କୋଟି ଲୋକ ଟିକଟକ ଡାଉନଲୋଡ କରିଥିଲେ। ଯଦି ଆମେରିକା ଏହାକୁ ବ୍ୟାନ୍ କରେ, ତା’ହେଲେ ଚାଇନାକୁ ଆହୁରି କ୍ଷତି ସହିବାକୁ ପଡ଼ିବ। ଭାରତ ଆପ୍ ବ୍ୟାନ୍ କରିଥିବାରୁ ଆମେରିକା ଏହାକୁ ସ୍ୱାଗତ କରିଥିଲା। ଏହାଦ୍ୱାରା ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ୱ ଅଧିକ ସୁରକ୍ଷିତ ହୋଇପାରିବ ବୋଲି ଖୋଦ୍ ପୋମ୍ପେଓ କହିଥିଲେ। ଆମେରିକାର ଏକାଧିକ ସାଂସଦ ଓ ରାଜନେତାମାନେ ମଧ୍ୟ ଟିକଟକ ବ୍ୟାନ୍ କରିବାକୁ ଦାବି କରୁଛନ୍ତି।