ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର; ସାଢ଼େ ୮ କୋଟି ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍କୁ ଗଲା ୧୭ ହଜାର କୋଟି ଟଙ୍କା,ଶୁଭାରମ୍ଭ କଲେ ୧ ଲକ୍ଷ କୋଟିର କୃଷି ଭିତ୍ତିଭୂମି ପାଣ୍ଠି
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୯/୦୮ : ଦେଶର କୃଷକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପହାର ଭେଟି ଦେଇଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି। ଏହା ସହିତ ପିଏମ-କିସାନ ଯୋଜନାରେ ୮.୫ କୋଟି ଚାଷୀଙ୍କ ପାଇଁ ୬ଷ୍ଠ କିସ୍ତି ବାବଦରେ ୧୭ ହଜାର କୋଟି ଟଙ୍କା ଛାଡ଼ିଛନ୍ତି।ଦେଶରେ କୃଷି ଭିତ୍ତିଭୂମି ସଜାଡ଼ିବାକୁ ପ୍ରୟାସ। ୧ ଲକ୍ଷ କୋଟି ଟଙ୍କାର Agriculture Infrastructure Fund ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ଦ୍ୱାରା ଦେଶରେ କୃଷି ଭିତ୍ତିଭୂମିର ବିକାଶ ସହ ଦେଶର ଗ୍ରାମୀଣ ଅର୍ଥବ୍ୟବସ୍ଥାର ଚିତ୍ର ବଦଳିବ।
ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ଫଣ୍ଡ୍ର ଘୋଷଣା ସହ ପିଏମ୍- କିଷାନ ଯୋଜନାରେ ଚାଷୀଙ୍କୁ ସହାୟତା ରାଶି ମଧ୍ୟ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପିଏମ୍ କିଷାନ ଯୋଜନାରେ ଷଷ୍ଠ ପର୍ଯ୍ୟାୟ କିସ୍ତି ଟଙ୍କା ରିଲିଜ୍ କରାଯାଇଛି। ଦେଶର ସାଢ଼େ ୮ କୋଟି ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ସିଧାସଳଖ ୧୭ ହଜାର ୧୦୦ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି।
କରୋନା ମହାମାରୀ ବେଳେ ଏହି ଯୋଜନା ଦ୍ୱାରା କୃଷକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ। କୃଷି ସହ ଜଡ଼ିତ ଷ୍ଟାର୍ଟଅପ୍କୁ ପ୍ରୋତ୍ସାହନ ଦେଉଛନ୍ତି କେନ୍ଦ୍ର ସରକାର। ଦେଶରେ ସବୁଠୁ ଅଧିକ ସଂଖ୍ୟ କ୍ଷୁଦ୍ର ଚାଷୀ ଅଛନ୍ତି। ତେଣୁ କ୍ଷୁଦ୍ର ଚାଷୀଙ୍କ ଉନ୍ନତି ପାଇଁ ସରକାର ନିରନ୍ତର ପ୍ରୟାସ କରି ଆସୁଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ହେଉଛି ପବିତ୍ର ହଳ ଷଷ୍ଠୀ। ଏହା ଭଗବାନ ବଳରାମଙ୍କ ଜନ୍ମ ବାର୍ଷିକୀ। ଏହି ଅବସରରେ ଦେଶର ଚାଷୀମାନଙ୍କୁ ମୁଁ ଜନ୍ମଦିନର ଶୁଭେଚ୍ଛା ଜଣାଉଛି। ଏହି ଶୁଭ ଅବସରରେ ଚାଷୀମାନଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର କୃଷି ସହାୟତା ଘୋଷଣା କରୁଛି। ଏହାଦ୍ବାରା ଉନ୍ନତ ଷ୍ଟୋରେଜ୍, ଗ୍ରାମରେ ଆଧୁନିକ ଶୀତଳ ଭଣ୍ଡାର ଶୃଙ୍ଖଳା ସୃଷ୍ଟି କରିବାରେ ସହାୟକ ହେବ ଏବଂ ଗାଁରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରାରମ୍ଭରେ ‘କୃଷି ଭିତ୍ତିଭୂମି ପାଣ୍ଠି’ ଅଧୀନରେ ୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଥିଲା। ଏହି ପାଣ୍ଠି ଅମଳ ପରବର୍ତ୍ତୀ ପରିଚାଳନା ଭିତ୍ତିଭୂମି ଏବଂ କୃଷି ସମ୍ପତ୍ତି ଯେପରିକି ଶୀତଳ ଭଣ୍ଡାର, ସଂଗ୍ରହ କେନ୍ଦ୍ର, ପ୍ରକ୍ରିୟାକରଣ ୟୁନିଟ୍ ଇତ୍ୟାଦି ସୃଷ୍ଟି କରିବାରେ ବିନିଯୋଗ ହେବ।
ମହାରାଷ୍ଟ୍ର ଓ ବିହାର ମଧ୍ୟରେ ଦେଶର ପ୍ରଥମ କିଷାନ ଟ୍ରେନ୍ ଚଳାଚଳ କରୁଛି। ଏହି ଟ୍ରେନ୍ ଚାଷୀ ଓ ଛୋଟ ବ୍ୟବସାୟୀଙ୍କ କୃଷି ଉତ୍ପାଦନ ପରିବହନର ଆବଶ୍ୟକତା ପୂରଣ କରିବା ସହ ଲୋକଙ୍କୁ ତାଜା କୃଷି ଉତ୍ପାଦିତ ସାମଗ୍ରୀ ଯୋଗାଇବା ତଥା ଚାଷୀଙ୍କୁ ଭଲ ଅର୍ଥ ରୋଜଗାର ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ଟ୍ରେନ୍ର ଚଳାଚଳ କରାଯାଉଛି। କିଷାନ ଟ୍ରେନ୍ ଦ୍ୱାରା ଚାଷୀ ସହଜରେ ନିଜ ସାମଗ୍ରୀ ସହରକୁ ପରିବହନ କରି ଭଲ ଅର୍ଥ ରୋଜଗାର କରିପାରିବେ। ଗାଁରୁ କୃଷି ଉତ୍ପାଦିତ ସାମଗ୍ରୀ ସହରକୁ ଯିବାରେ ଆଉ ସହରରୁ ଅନ୍ୟ ଉତ୍ପାଦ ସବୁ ଗାଁକୁ ଆସିବ। ଏହାଦ୍ୱାରା ହିଁ ଆତ୍ମ ନିର୍ଭର ଭାରତ ଅଭିଯାନ ସଫଳ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।