କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୮: ଚାଇନାରୁ ହେଉଥିବା ଅଟୋ ଯନ୍ତ୍ରାଂଶ ଆମଦାନୀ ଉପରେ ଏବେ କଟକଣା ଲଗାଇବାକୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ଅଟୋମୋବାଇଲ ମାନୁଫାକ୍ଚରିଂର ସମ୍ପୂର୍ଣ୍ଣ ଭାଲ୍ୟୁ ଚେନ ଉପରେ ଉତ୍ପାଦନକାରୀଙ୍କୁ ରିପୋର୍ଟ ମଗାଯାଇଛି। କେଉଁ ରାଷ୍ଟ୍ରରୁ କେତେ ପରିମାଣ ଏବଂ ମୂଲ୍ୟର ଅଟୋ ଯନ୍ତ୍ରାଂଶ ଆମଦାନୀ କରାଯାଉଛି, ସେ ସମ୍ପର୍କରେ ରିପୋର୍ଟ ମାଗିଛନ୍ତି କେନ୍ଦ୍ର ସରକାର। ଘରୋଇ ନିର୍ମାଣକୁ ପ୍ରୋତ୍ସାହନ ଦେବା ଏହାର ମୁଖ୍ୟ ଲକ୍ଷ୍ୟ।
ସୂଚନାଯୋଗ୍ୟ, ଚୀନ ହେଉଛି ଭାରତକୁ ସର୍ବାଧିକ ଅଟୋ ଯନ୍ତ୍ରାଂଶ ରପ୍ତାନିକାରୀ। ଅଟୋ ଯନ୍ତ୍ରାଂଶ କ୍ଷେତ୍ରରେ ଘରୋଇ କମ୍ପାନୀଙ୍କ ଭାଗିଦାରିତା ବୃଦ୍ଧି କରିବା ପାଇଁ କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ ନିକଟରେ ଦେଶର ପ୍ରମୁଖ ଅଟୋମୋବାଇଲ ନିର୍ମାତାଙ୍କ ପ୍ରତିନିଧିମାନଙ୍କ ସହ ବୈଠକ କରି ଆଲୋଚନା କରିଛନ୍ତି।
ବୈଠକରେ ଚାଇନାରୁ ଷ୍ଟିଲ, ଟାୟାର, ଇଲେକ୍ଟ୍ରୋନିକ୍ ଯନ୍ତ୍ରାଂଶ ଏବଂ ଇଲେକ୍ଟ୍ରିକ୍ ଯାନର ଯନ୍ତ୍ରାଂଶ ଆମଦାନୀ କମ୍ କରିବା ଉପରେ ଆଲୋଚନା କରାଯାଇଛି। ଦେଶକୁ ବାର୍ଷିକ ୧୫.୪ ବିଲିୟନ ଡଲାରର ଅଟୋ ଯନ୍ତ୍ରାଂଶ ଆମଦାନୀ କରାଯାଇଥାଏ। ଏଥିରେ ଚାଇନାର ଅଂଶ ସର୍ବାଧିକ ୨୫%ରୁ ଅଧିକ ରହିଛି। ସେହିଭଳି ଦକ୍ଷିଣ କୋରିଆରୁ ୧୪%, ଜର୍ମାନୀରୁ ୧୧% ଏବଂ ଜାପାନରୁ ୯% ଅଟୋ ଯନ୍ତ୍ରାଂଶ ଆମଦାନୀ କରାଯାଇଥାଏ।
ଚୀନ ସହ ତିକ୍ତତା ବଢୁଥିବାରୁ ଭାରତ ସରକାର ଚୀନ ସହ ବାଣିଜ୍ୟ କାରବାରକୁ ସୀମିତ କରିବାକୁ ବିଊିନ୍ନ ପଦକ୍ଷେପ ନେଉଛନ୍ତି । ପୂର୍ବରୁ ଚୀନ ମୋବାଇଲ ଆପକୁ ନିଷିଦ୍ଧ କରାଯିବା ପରେ ବିଭିନ୍ନ ଚୀନ କମ୍ପାନିଙ୍କୁ ଦିଆଯାଉଥିବା ଟେଣ୍ଡର ବାତିଲ କରିଛନ୍ତି । ଏବେ ଚୀନରୁ ଯାନବାହାନ ଯନ୍ତ୍ରାଂଶ, ଉପକରଣ ଆମଦାନୀକୁ ସୀମିତ କରିବାକୁ ସରକାର ବିଚାର କରୁଛନ୍ତି । ଏହା ପୂର୍ବରୁ ଗତ ୧୩ ତାରିଖରେ ମଧ୍ୟ ଗୋଏଲ ଅଟୋମୋବାଇଲ ସଂଘ ସିଆମ ସହ ଆଲୋଚନା କରିଥିଲେ । ଚୀନରୁ ଆମଦାନୀ ହ୍ରାସ କରି ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱ ଦେବାକୁ ଶିଳ୍ପ ଜଗତକୁ କୁହାଯାଇଥିଲା । ସୂଚନାଯୋଗ୍ୟ ଯେ ଚୀନ ହେଉଛି ଭାରତର ବୃହତ୍ତମ ଅଟୋମୋବାଇଲ ଉପକରଣ, ଯନ୍ତ୍ରାଂଶ ରପ୍ତାନିକାରୀ ।
ଗତ କାଲି ଭାରତ ସରକାର ଚୀନ ବିରୁଦ୍ଧରେ ଆଉ ଏକ ପଦକ୍ଷେପ ନେଇଥିଲୋ । ଏହା ଫଳରେ ଏଣିକି ଚୀନ ନାଗରିକ, ବ୍ୟବସାୟୀ, ଶିଳ୍ପ ବିଶେଷଜ୍ଞ, ଶିକ୍ଷାବିତ ମାନଙ୍କୁ ଭିସା ଜାରି କରାଯିବା ପୂର୍ବରୁ ସୁରକ୍ଷା ସମ୍ପର୍କିତ କ୍ଲିୟରାନ୍ସ ଆବଶ୍ୟକ ପଡ଼ିବ । ପୂର୍ବରୁ ଏହି ନିୟମ ପାକିସ୍ତାନୀ ନାଗରିକମାନଙ୍କ ପାଇଁ ଲାଗୁ ହେଉଥିଲା ।