ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାଁରେ ଫେକ୍ ଟ୍ୱିଟର ଆକାଉଣ୍ଟ ଖୋଲି ଗୁଜବ ସୃଷ୍ଟି କରିଛନ୍ତି ଦର୍ବୃତ୍ତ। ଜୁନ୍ ୧୪ରେ ମାଟ୍ରିକ ପରୀକ୍ଷା ହେବା ନେଇ ମିଥ୍ୟା ଖବର ଟ୍ବିଟରରେ ଘୁରି ବୁଲୁଛି। ତେବେ ଏହି ଫେକ୍ ଆକାଉଣ୍ଟ ତଥା ମିଥ୍ୟା ଖବର ଉପରେ ବିଶ୍ୱାସ ନ କରିବା ପାଇଁ ନିବେଦନ କରିଛନ୍ତି ମନ୍ତ୍ରୀ ସମୀର ଦାଶ । କେହି ଦୁର୍ବୃତ୍ତ ମନ୍ତ୍ରୀଙ୍କ ନାଁ ଓ ଫଟୋ ସହ ସୋସିଆଲ୍ ମିଡିଆରେ ନକଲି ଆକାଉଣ୍ଟ ଖୋଲି ଏଭଳି ଗୁଜବ ପ୍ରଚାର କରିଛି ।
ନକଲି ଟ୍ୱିଟର ଆକାଉଣ୍ଟରେ ଲେଖାଯାଇଥିଲା ଯେ, ‘‘ପୂର୍ବ ନିଷ୍ପତ୍ତି ଅନୁସାରେ ଦଶମ ବୋର୍ଡ ପରୀକ୍ଷାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାତିଲ କରାଯାଇଥିଲା । କିନ୍ତୁ ସମସ୍ତ କଲେଜ ଛାତ୍ରଛାତ୍ରୀଙ୍କର ଧାରଣା ଯୋଗୁଁ ଆଜି ପୁନର୍ବାର ବୈଠକରେ ଆଲୋଚନା ହୋଇଛି ଯେ ଦଶମ ବୋର୍ଡ ପରୀକ୍ଷା ଆସନ୍ତା ଜୁନ ୧୪ତାରିଖରୁ ୨୬ତାରିଖ ଯାଏ ଅନୁଷ୍ଠିତ ହେବ’’ ।
ମନ୍ତ୍ରୀ ସମୀର ଦାଶ ଏହି ଫେକ୍ ଟ୍ୱିଟର ଆକାଉଣ୍ଟରେ ଟ୍ବିଟ୍ କରାଯାଇଥିବା ଲେଖାର ସ୍କ୍ରିନସଟକୁ ଅସଲି ଟ୍ୱିଟର ଆକାଉଣ୍ଟରେ ଶେୟାର କରି ଲେଖିଛନ୍ତି, ‘‘କେହି ଜଣେ ବଦମାସ୍ ମୋ ନାମରେ ଫେକ୍ ଆକାଉଣ୍ଟ ଖୋଲି ଏସବୁ ମିଥ୍ୟା ପୋଷ୍ଟ କରି ପ୍ରଚାର କରୁଥିବା ନଜରକୁ ଆସିଛି । ସମସ୍ତଙ୍କୁ ଅନୁରୋଧ ଏସବୁଠୁ ଦୂରେଇ ରୁହନ୍ତୁ’’ ।