![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ସକାଳ ୭ ରୁ ୧୧ଟା ଯାଏଁ ପରିବାପତ୍ର କିଣିବାକୁ ଅନୁମତି ପ୍ରଦାନ
ଭୁବନେଶ୍ୱର ୧୮/୦୫/୨୧ (କଳିଙ୍ଗ ଜ୍ଯୋତି) : ଜୁନ ୧ ତାରିଖ ସକାଳ ୫ ଟା ଯାଏଁ ରାଜ୍ୟ ସରକାର ତାଲାବନ୍ଦ ବୃଦ୍ଧି କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଉ ୨ ସପ୍ତାହ ଯାଏଁ ତାଲାବନ୍ଦ ଅବଧିକୁ ବୃଦ୍ଧି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ଆଜି ସୂଚନା ଦେଇଛନ୍ତି। ସେହିପରି ପୂର୍ବରୁ ଥିବା ସପ୍ତାହନ୍ତ ସଟଡାଉନ ମଧ୍ୟ ଜାରି ରହିବ। ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ମିଳୁଥିବା ମହଲତ କମ କରାଯାଇଛି। ଦୈନିକ ୬ ଘଣ୍ଟା ବଦଳରେ ଏହାକୁ ୪ ଘଣ୍ଟା କୋହଳ ସମୟ ନିର୍ଦ୍ଧାରିତ କରାଯାଇଛି।
ସକାଳ ୭ ରୁ ୧୧ଟା ଯାଏଁ ପରିବାପତ୍ର କିଣିବାକୁ ଅନୁମତି ପ୍ରଦାନ କରାଯାଇଛି। ଲୋକେ ନିକଟସ୍ଥ ଦୋକାନକୁ ଚାଲି ଚାଲି ଯାଇ ଜିନିଷ କିଣିବେ। ବାହାଘର, ବ୍ରତଘର, ଶୁଦ୍ଧି କାର୍ଯ୍ୟ ପାଇଁ ମଧ୍ୟ କଟକଣା ବୃଦ୍ଧି କରାଯାଇଛି। ବାହାଘରରେ ଏଣିକି ୫୦ ବଦଳରେ ୨୫ ଏକାଠି ହେବେ। ବର, କନ୍ୟା, ପୂଜକ, ବାଜାବାଲାଙ୍କୁ ମିଶାଇ ମୋଟ ୨୫ ଜଣ। ବାହାଘର, ବ୍ରତଘର, ଶୁଦ୍ଧି କାର୍ଯ୍ୟରେ ଭୋଜିଭାତ ସମ୍ପୂର୍ଣ୍ଣ ମନା। ଘରକୁ ଡ଼ାକି ଅତିଥିମାନଙ୍କୁ ଭୋଜିଭାତ ଦିଆଯାଇ ପାରିବ ନାହିଁ। ଅତିଥିଙ୍କୁ ପ୍ୟାକେଟ ଜରିଆରେ ଖାଦ୍ୟ ଦିଆଯିବ। ଏହାସହ ଅତି ଆବଶ୍ୟକ ନହେଲେ ଲୋକେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ସଂକ୍ରମଣକୁ ଏଡ଼ାଇବାକୁ କଟକଣା ଲାଗୁ କରାଯିବା ସହ ନିୟମର ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।