କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୯/୦୭ : ଓଡ଼ିଶା ବିଶେଷକରି ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତ ସଂଖ୍ୟା ବଢିଚାଲିଥିବାରୁ ଓଡ଼ିଶା ସରକାର କେତେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ଅନୁସାରେ ଭୁବନେଶ୍ୱରକୁ ଦୈନିକ ଯିବାଆସିବା କରୁଥିବା ସରକାରୀ କର୍ମଚାରୀଙ୍କ ଉପରେ କଟକଣା ଲଗାଯାଇଛି ।
ଓଡ଼ିଶା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବୁଧବାରଦିନ ଜାରି ଏକ ନିର୍ଦ୍ଦେଶ ଅନୁସାରେ ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ କଟକ ଓ ଖୋର୍ଦ୍ଧା ମ୍ୟୁନିସିପାଲିଟି ବ୍ୟତୀତ ଅନ୍ୟ ଅଞ୍ଚଳରୁ ଦୈନିକ ଯିବାଆସିବା କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ଭୁବନେଶ୍ବର ଆସିବା ଉପରେ କଟକଣା ଲଗାଯାଇଛି ।
ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ସରକାରୀ କର୍ମଚାରୀଙ୍କ ଅଫିସ୍ ଆସିବା ଉପରେ କଟକଣା ଜାରି କରିଛନ୍ତି। ଆସନ୍ତା ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ସରକାରୀ କର୍ମଚାରୀମାନେ ରାଜଧାନୀ ଭୁବନେଶ୍ୱରରେ ଥିବା ନିଜସ୍ୱ ଅଫିସକୁ ଆସିପାରିବେ ନାହିଁ। କଟକ ମହାନଗର ନିଗମ ଓ ଖୋର୍ଦ୍ଧା ମ୍ୟୁନିସପାଲଟି ଅଞ୍ଚଳରୁ ଆସୁଥିବା ଲୋକଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ କଟକ ମହାନଗର ଓ ଖୋର୍ଦ୍ଧା ପୌରାଂଚଳକୁ ଛାଡ଼ି ଅନ୍ୟ ସ୍ଥାନରୁ ଆସୁଥିବା ସରକାରୀ କର୍ମଚାରୀମାନଙ୍କୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ସରକାରୀ ଅଫିସକୁ ନଆସିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶନାମା ତତ୍କାଳ ପ୍ରଭାବରୁ ଲାଗୁ ହେବ।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବିଭିନ୍ନ ସରକାରୀ ଅଫିସରେ କାର୍ଯ୍ୟରତ କର୍ମଚାରୀମାନେ ଦୈନିକ ରାଜ୍ୟର ବିଭିନ୍ନ ସ୍ଥାନରୁ ଯାତାୟତ କରିଥାନ୍ତି।
ଆଜି ମଧ୍ୟ ସରକାର ଆଉ ଏକ ନିଷ୍ପତ୍ତି ନେଇ ଗଞ୍ଜାମ ଓ ଖୋର୍ଦ୍ଧା ମଧ୍ୟରେ ଅନ୍ତଃଜିଲ୍ଲା ଯାତାୟାତ ଉପରେ ଆସନ୍ତା ୨୪ ଘଣ୍ଟା ପାଇଁ କଟକଣା ଲଗାଯାଇଛି । ଗଞ୍ଜାମରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୮୩୬ରେ ପହଞ୍ଚିଥିବାବେଳେ ୨୭ ଜଣ ରୋଗୀ ପ୍ରାଣ ହରାଇଛନ୍ତି ।