![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
(କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୫/୦୬ : ନେପାଳରେ କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟିରେ ଅନ୍ତରିଣ ବିବାଦ ବଢିବାରେ ଲାଗିଛି। ପାର୍ଟିରେ ବିଦ୍ରୋହ ଉପୁଜିଥିବା ବେଳେ ନିଜ ଦଳର ସାଂସଦମାନେ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ଇସ୍ତଫା ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବରିଷ୍ଠ ନେତା ତଥା ଦଳର ସଭାପତି ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଆଗରେ ଅଛନ୍ତି। ଓଲି ସବୁ କାର୍ଯ୍ୟକ୍ରମରେ ବିଫଳ ହୋଇଥିବା ଦହଲ ଅଭିଯୋଗ କରିଛନ୍ତି। ଏଣୁ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଗୋଟିଏ ମିନିଟ୍ ରହିବାର ବି ଅଧିକାର ନଥିବା କହିଛନ୍ତି ଦହଲ।
![](https://i0.wp.com/kalingajyoti.com/wp-content/uploads/2020/06/4f0de944-c7f5-472b-8ae7-da9177d9ecb2.jpg?resize=602%2C402)
ଏହା ସତ୍ତ୍ୱେ ଯଦି ଓଲି ତାଙ୍କ ପଦବୀରୁ ଇସ୍ତଫା ନ ଦିଅନ୍ତି ତେବେ ଦଳ ବିଭାଜନ କରିବାକୁ ସେ ବାଧ୍ୟ ହେବେ ବୋଲି ଦହଲ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଓଲିଙ୍କୁ ନେଇ ପାର୍ଟିର ଏକତା ପରିକଳ୍ପନା ତାଙ୍କର ମସ୍ତବଡ ରାଜନୈତିକ ଭୁଲ ଥିଲା ଓ ଏଥିପାଇଁ ତାଙ୍କୁ ଏବେ ପଶ୍ଚାତାପ କରିବାକୁ ପଡୁଛି। ପ୍ରଚଣ୍ଡଙ୍କୁ ପାର୍ଟିର ୨ ଜଣ ପୂର୍ବ ପ୍ରଧାନମନ୍ତ୍ରୀ ପ୍ରସଙ୍ଗରେ ଦହଲଙ୍କୁ ସମର୍ଥନ କରିଥିବା ବେଳେ ମାଧବ ନେପାଳ ଓ ଝଲନାଥ ଖନାଲ ମଧ୍ୟ ଓଲିଙ୍କ ଇସ୍ତଫା ଦାବି କରିଛନ୍ତି। ଫଳରେ ଓଲି ପାର୍ଟି ସଚିବାଳୟ ସମେତ ସ୍ଥାୟୀ ସମିତିରେ ସଂଖ୍ୟାଗରିଷ୍ଠତା ହରାଇଛନ୍ତି। ଏଣୁ ଓଲି ପ୍ରଧାନମନ୍ତ୍ରୀ ପଦବୀ ବଞ୍ଚାଇବା ଲାଗି ତାଙ୍କ କ୍ୟାବିନେଟ୍ରେ ପରିବର୍ତ୍ତନର ପ୍ରୟାଶ କରୁଥିବା ଜଣାପଡିଛି।
![](https://kalingajyoti.com/wp-content/uploads/2020/06/unnamed.jpg)
ସେପଟେ ନେପାଳ ମୁଖ୍ୟ ବିରୋଧୀ ଦଳ ନେପାଳୀ କଂଗ୍ରେସ୍ ସାଂସଦମାନେ ପ୍ରତିନିଧି ସଭାରେ ଏକ ସଂକଳ୍ପ ପ୍ରସ୍ତାବ ଉପସ୍ଥାପନ କରି ଚୀନ୍ ହାତେଇ ନେଇଥିବା ନେପାଳ ଗାଁଗୁଡିକର ମୁକ୍ତି ଦାବି କରିଛନ୍ତି। ସେହିପରି ସେଠାକାର ବର୍ତ୍ତମାନ ପରିସ୍ଥିତି ସମ୍ପର୍କରେ ସରକାର ତୁରନ୍ତ ସଂସଦକୁ ସୂଚିତ କରନ୍ତୁ ବୋଲି ଦାବି କରିଛନ୍ତି। ସାଂସଦ ଦେବେନ୍ଦ୍ର ରାଜ କଣ୍ଡେଲ, ସତ୍ୟନାରାୟଣ ଶର୍ମା ଖନାଲ ଓ ସଞ୍ଜୟ କମୁାର ଗୌତମ ବୁଧବାର ପ୍ରତିନିଧି ସଭାରେ ସଂକଳ୍ପ ଉପସ୍ଥାପନ କରିଥିଲେ।