କଟକ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮: କଟକ ସହରର ମଙ୍ଗଳାବାଗ ଥାନା ଅନ୍ତର୍ଗତ ବକ୍ସିବଜାର ନିକଟ ବାଣୀସାହିର ଆବେଦନକାରୀ ଶିବେନ୍ଦ୍ର କୁମାର ହାତୀ (୬୫) ହାଇକୋର୍ଟରେ ଭୁବନେଶ୍ୱର ଓ କଟକରେ ଗଣେଶ ପୂଜା ବନ୍ଦ ନେଇ ଜାରି ନିର୍ଦ୍ଦେଶନାମା ବିରୋଧରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି। ଆବେଦନକାରୀ ମୁଖ୍ୟ ସଚିବ, ଏସ୍ଆରସି, କମିସନରେଟ ପୁଲିସ, କଟକ ଜିଲ୍ଲାପାଳ, ସିଏମସି କମିସନର ଓ ପୁଲିସ ଡିଜିଙ୍କୁ ପକ୍ଷଭୁକ୍ତ କରିଛନ୍ତି। ଏହି ମାମଲାରେ ଦର୍ଶାଯାଇଛି, ପୂଜା ପାର୍ବଣ ଓ ପରମ୍ପରା ପାଳନ ହେଉଛି ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର। ତେଣୁ ଜଣଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରାଯାଇ ପାରିବନାହିଁ। କରୋନା କଟକଣା ଭିତରେ ଟ୍ୱିନସିଟିରେ ପୂଜା ପାଳନ ପାଇଁ ଅନୁମତି ପ୍ରଦାନ କରିବାକୁ ଆବେଦନକାରୀ କୋର୍ଟଙ୍କୁ ନିବେଦନ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ମଧ୍ୟ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି। କଟକ- ଭୁବନେଶ୍ୱରରେ ଗଣେଶ ପୂଜା କରାଯାଉ, ଲୋକେ ସାମାଜିକ ଦୂରତା ରକ୍ଷା କରି ମୁହଁରେ ମାସ୍କ ପିନ୍ଧି, ସବୁ ପ୍ରକାର କରୋନା କଟକଣାକୁ ମାନି ପୂଜା କରିବେ। ଏହା ପୂର୍ବରୁ କଟକ, ଭୁବନେଶ୍ୱର, ଗଜପତି, ଖୋର୍ଦ୍ଧା ଓ ଜଗତସିଂହପୁରରେ ଗଣେଶ ପୂଜା ପାଳନ ଉପରେ କଟକଣା ଜାରି କରାଯାଇଛି।
ଚଳିତ ବର୍ଷ ଗଂଜାମରେ ମଧ୍ୟ ଗଣେଶ ପୁଜାର ଆୟୋଜନ ହେବ ନାହିଁ। ଜିଲ୍ଲା ପ୍ରଶାସନ ଏ ନେଇ ଟ୍ୱିଟ କରି ସୂଚନା ଦେଇଛି। ଜିଲ୍ଳପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଂପୂର୍ଣ୍ଣ ଭାବେ ପୂଜା ବନ୍ଦ ରଖାଯାଇଛି। ଜନସାଧାରଣଙ୍କୁ ଏନେଇ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି। ଅତି ଜରୁରୀ କାମ ନଥିଲେ ଘରୁ ନବାହାରିବା ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସାମାଜିକ ଦୂରତାକୁ ମାନି ସଂକ୍ରମଣକୁ ବୃଦ୍ଧି ନକରିବାପାଇଁ କୁହାଯାଇଛି। ଜିଲ୍ଲାପାଳ, ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ପଞ୍ଚସୂତ୍ରୀ ନିୟମ ପାଳନ କରିବାକୁ ନିବେଦନ କରିଛନ୍ତି।