![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଭୋପାଳ ୨୭/୦୭: କରୋନାରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଡାକ୍ତରଖାନାରେ ଭର୍ତ୍ତି ହେବାର ଗୋଟିଏ ଦିନ ପରେ ଆଜି ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଶିବରାଜ।
![](https://i0.wp.com/kalingajyoti.com/wp-content/uploads/2020/07/download-8-4.jpg?resize=449%2C236&ssl=1)
ସେ ନିଜର ଏକ ଭିଡିଓ ଟ୍ୱିଟ୍ କରି କହିଛନ୍ତି “ ମୋ ପ୍ରୀୟ ଦେଶବାସୀ, ମୁଁ ସମ୍ପୂର୍ଣ୍ଣ ଭଲ ଅଛି। କରୋନା ଯୋଦ୍ଧାର ଟିମ୍ ସମ୍ପୂର୍ଣ୍ଣ ସମର୍ପଣ ଭାବ ସହିତ କାମ କରୁଛନ୍ତି। ଏଥିପାଇଁ ରାଜ୍ୟର ସବୁ କରୋନା ଯୋଦ୍ଧାଙ୍କୁ ମୋର ପ୍ରଣାମ।”
ଏଥିସହିତ କରୋନାକୁ ଡରିବା ଆବଶ୍ୟକ ନାହିଁ। ଲକ୍ଷଣ ଜଣାପଡ଼ିଲେ ନ ଲୁଚାଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ। କରୋନା ନିଶ୍ଚୟ ହାରିବ ବୋଲି ଶିବରାଜ କହିଛନ୍ତି। ମାସ୍କ ଓ ୬ ଫୁଟର ଦୂରତା ରଖିଲେ ଆମକୁ କରୋନା ହେବନି ବୋଲି ସେ କହିଛନ୍ତି।
ଶିବରାଜ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଗତକାଲି ସେ ନିଜେ ଟ୍ୱିଟ କରି ସୂଚନା ଦେଇଥିଲେ। ଏଥିସହିତ ନିଜର ସହଯୋଗୀମାନଙ୍କୁ ମଧ୍ୟ କରୋନା ଟେଷ୍ଟ କରିବାକୁ ପରାମର୍ଶ ଦେଇଥିଲେ। ସେ ଟ୍ୱିଟ୍ କରି ଲେଖିଥିଲେ “ମୋର କରୋନା ଲକ୍ଷଣ ଥିଲା, ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଛି। ମୋ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, ସେମାନେ କରୋନା ଟେଷ୍ଟ କରାନ୍ତୁ। ନିକଟ ସଂପର୍କୀୟ କ୍ୱାରେଣ୍ଟିନ୍ରେ ଯାଆନ୍ତୁ।”
ଶିବରାଜ କରୋନା ସଂକ୍ରମିତ ହେବା ପରେ ବହୁ ବଡ଼ ବଡ଼ ନେତା ତାଙ୍କର ଆରୋଗ୍ୟ କାମନା କରିଥିଲେ। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ମଧ୍ୟ ତାଙ୍କର ଆରୋଗ୍ୟ କାମନା କରିବା ସହିତ ତାଙ୍କୁ ତେର୍ଚ୍ଛା ବାଣ ମାରିଥିଲେ।