ନୂଆଦିଲ୍ଲୀ ୨୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ‘ଡେଲ୍ଟା+ ଭେରିଆଣ୍ଟ୍’ ସମ୍ଭାବ୍ୟ ୩ୟ କୋଭିଡ୍ ସଂକ୍ରମଣ ପ୍ରବାହର କାରଣ ହେବ ବୋଲି କୌଣସି ପ୍ରମାଣ ନ ଥିବା କଥା ଭାରତର ଜଣେ ଶୀର୍ଷସ୍ତରୀୟ ଚିକିତ୍ସକ ତଥା ଗୁଣସୂତ୍ର-କ୍ରମ ନିର୍ଦ୍ଧାରକ ଡାକ୍ତର ଅନୁରାଗ ଅଗ୍ରୱାଲ୍ କହିଛନ୍ତି।
ସମ୍ପ୍ରତି ‘ଦି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଜିନୋମିକ୍ସ୍ ଆଣ୍ଡ୍ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି’ର ନିର୍ଦେଶକ ଥିବା ଡାକ୍ତର ଅନୁରାଗ ଅଗ୍ରୱାଲା ମଧ୍ୟ ପରାମର୍ଶ ଦେଇଛନ୍ତି ଯେ, ଦ୍ବିତୀୟ ପ୍ରବାହ ଉପରୁ କଟକଣା କୋହଳ କରାଯିବା ଅନୁଚିତ।
ଗଣମାଧ୍ୟମ ସହ କରିଥିବା ସାକ୍ଷାତ୍କାରରେ ଡାକ୍ତର ଅଗ୍ରୱାଲ୍ କହିଛନ୍ତି, ସମ୍ଭାବ୍ୟ ତୃତୀୟ ପ୍ରବାହରେ ‘ଡେଲ୍ଟା+’ର କିଛି ଭୂମିକା ରହିବ ବୋଲି ଏବେ କୌଣସି ପ୍ରମଣା ନାହିଁ। ମୋ ପ୍ରତିଷ୍ଠାନ ମହାରାଷ୍ଟ୍ରରୁ ଏପ୍ରିଲ୍ ଓ ମେ ମାସରେ ସଂଗୃହୀତ ୩,୫୦୦ରୁ ଅଧିକ ନମୁନାରୁ ଜୁନ୍ ମାସରେ ଗୁଣସୂତ୍ର-କ୍ରମ ନିର୍ଦ୍ଧାରଣ କରିଛି। ସେଥିରେ ‘ଡେଲ୍ଟା+ ଭେରିଆଣ୍ଟ୍’ ଥିବା କଥା ଦେଖିପାରିଛୁ। କିନ୍ତୁ, ସେସବୁର ପରିମାଣ ମାତ୍ର ୧%।
କିନ୍ତୁ, ‘ଡେଲ୍ଟା+’ ଗୋଟାଏ ଚିନ୍ତା ଉଦ୍ରେକକାରୀ ‘ଭେରିଆଣ୍ଟ୍’ ବୋଲି ସେ କହିଛନ୍ତି। ମୋ କହିବା କଥା ହେଉଛି ଭାରତରେ ଦ୍ବିତୀୟ ପ୍ରବାହର ସମାପ୍ତି ଘଟି ନ ଥିବା ବେଳେ ତୃତୀୟ ପ୍ରବାହ କଥା ଭାବି ଚିନ୍ତିତ ହେବା ଅନୁଚିତ। କିନ୍ତୁ, ଏହା ଯେ, ‘ଡେଲ୍ଟା’ ଠାରୁ ଅଧିକ ମାରାତ୍ମକ ଏବଂ ତୃତୀୟ ପ୍ରବାହର କାରଣ ହେବ ତା’ର ଆଦୌ ପ୍ରମାଣ ନାହିଁ। ତେଣୁ, ଏବେଠାରୁ ଲୋକେ ସେ କଥା ଭାବି ଛାନିଆ ହେବାର କୌଣସି କାରଣ ନାହିଁ।