ନୂଆଦିଲ୍ଳୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୮ : ଗତକାଲି, ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଳୀଠାରେ ହୋଇଥିବା ଗୁଳି ବିନିମୟରେ ଜଣେ ଇସ୍ଲାମିକ ଷ୍ଟେଟ (ଆଇଏସଆଇଏସ) ଆତଙ୍କବାଦୀକୁ ଗିରଫ କରାଯାଇଛି। ଦିଲ୍ଲୀ ପୁଲିସ୍ ଆଇଏସ୍ଆଇଏସ୍ର ଏହି ଆତଙ୍କବାଦୀକୁ ଗିରଫ କରିବା ସହ ସଂପୃକ୍ତ ଅଞ୍ଚଳରୁ ଆଇ.ଇ.ଡି. ବିସ୍ଫୋରକ ଏବଂ କିଛି ଅସ୍ତ୍ରଶସ୍ତ୍ର ଜବତ କରିଛି। ଗିରଫ ଆତଙ୍କବାଦୀ ଜଣକ ଆବୁ ୟୁସୁଫ୍ ବୋଲି ଜଣାପଡ଼ିଛି। ଆବୁ ୟୁସୁଫ୍ ଦିଲ୍ଲୀର କିଛି ସହଯୋଗୀଙ୍କ ସହ କାମ କରୁଥିଲା ପୁଲିସ ଆବୁକୁ ଗିରଫ କରିବା ପରେ ତା’ ଘରେ ଚଢ଼ାଉ ଆରମ୍ଭ କରିଛି। ପୁଲିସ ବର୍ତ୍ତମାନ ଏହି ସହଯୋଗୀମାନଙ୍କୁ ଖୋଜୁଛି। ଆବୁ ୟୁସୁଫ ଉତ୍ତରପ୍ରଦେଶର ବଳରାମପୁରର ବାସିନ୍ଦା। ପୁଲିସ ଆବୁକୁ ଗିରଫ କରିବା ପରେ ତା’ ଘରେ ଚଢ଼ାଉ ଆରମ୍ଭ କରିଛି।
ଗତ କିଛି ଦିନର ହେବ ଆଇଏସଆଇଏସର କିଛି ଆତଙ୍କବାଦୀ ରାଜଧାନୀ ଦିଲ୍ଲୀରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ କରି ଲୁଚି ରହିଥିଲେ ବୋଲି ଦିଲ୍ଲୀ ପୁଲିସ ସୂଚନା ଦେଇଛି। ଦିଲ୍ଲୀର ଡେପୁଟି କମିସନର ପ୍ରମୋଦ ସିଂ କୁସୱାହା ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ‘ଧୌଲାକୁଆଁଠାରେ ଆମର ସ୍ୱତନ୍ତ୍ର ସେଲ ଦ୍ୱାରା ହୋଇଥିବା ଗୁଳି ବିନିମୟରେ ଆଇଏସଆଇଏସର ଜଣେ ଆତଙ୍କବାଦୀ ଗିରଫ ହୋଇଥିବା ବେଳେ କିଛି ଇମ୍ପ୍ରୁଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି) ଜବତ କରାଯାଇଛି।’
ରାଜଧାନୀ ଦିଲ୍ଳୀଠାରେ ଶୁକ୍ରବାର ଆଇଏସଆଇଏସର ଜଣେ ଆତଙ୍କବାଦୀକୁ ଗିରଫ କରାଯିବା ପରେ ହାଇ-ଆର୍ଲଟରେ ଉତ୍ତରପ୍ରଦେଶ ପୁଲିସ। ଆବୁ ୟୁସୁଫ ନାମକ ଏହି ଆତଙ୍କବାଦୀ ୟୁପିର ବଳରାମପୁରର ବୋଲି ଜାଣିବାକୁ ମିଳିଛି। ଏ ନେଇ ଉତ୍ତରପ୍ରଦେଶ ପୋଲିସର ଏଡିଜି, ଆଇନ ଏବଂ ନିର୍ଦ୍ଦେଶ ପ୍ରଶାନ୍ତ କୁମାର କହିଛନ୍ତି, ‘ଡିଜିପିଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିଲ୍ଲୀ ପୁଲିସ୍ ଦ୍ୱାରା ଆଇଏସଆଇଏସର ଆତଙ୍କବାଦୀକୁ ଇମ୍ପ୍ରୁଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍(ଆଇଇଡି) ସହ ଧରାଯିବା ପରେ ସମସ୍ତ ଏସଏସପି ଏବଂ ସୁରକ୍ଷା ଏଜେନ୍ସିକୁ ସଜାଗ ରହିବାକୁ କୁହାଯାଇଛି।’
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ରାତିରେ ରାଜଧାନୀ ଦିଲ୍ଳୀଠାରେ ହୋଇଥିବା ଗୁଳି ବିନିମୟରେ ଦିଲ୍ଲୀ ପୁଲିସ୍ ଆଇଏସ୍ଆଇଏସ୍ର ଏହି ଆତଙ୍କବାଦୀ ୟୁସୁଫକୁ ଧରିବା ସହ ୧୫ କିଲୋର ଆଇଡି ଜବତ କରିଥିଲା। ଆତଙ୍କବାଦୀ ଜଣକ ଦୁଇଟି ପ୍ରେସର କୁକୁୁର୍ରେ ଆଇଡି ନେଇ ଯାଉଥିବା ଜଣାପଡ଼ିଥିଲା। ଜାଣିବାକୁ ମିଳିଛି ଯେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) ର କମାଣ୍ଡୋମାନେ ଶନିବାର ସକାଳେ ବିସ୍ଫୋରକ ସାମଗ୍ରୀକୁ ଡିଫ୍ୟୁଜ୍ (ଫୁସୁକାଇବା) କରିବାରେ ସମର୍ଥ ହୋଇଛନ୍ତି। ପୁଲିସ୍ ସୂତ୍ରରୁ ପ୍ରକାଶ ଯେ ଏହି ଆତଙ୍କବାଦୀ ଜଣକ ପୂର୍ବରୁ ଦିଲ୍ଲୀରେ ଏକ ବଡ଼ ଧରଣର ଆକ୍ରମଣ କରିଥିଲା ଗିରଫ ହୋଇଥିବା ଆତଙ୍କବାଦୀକୁ ଦିଲ୍ଲୀ ପୁଲିସ୍ ସ୍ପେସାଲ ସେଲ, କେନ୍ଦ୍ରୀୟ ଏଜେନ୍ସି ଏବଂ ୟୁପି ଆଣ୍ଟି ଟେରର୍ ସ୍କ୍ୱାଡ ପଚରାଉଚରା କରୁଥିବା ଜାଣିବାକୁ ମିଳିଛି। ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଗିରଫ ହେବା ପରେ ଉତ୍ତରପ୍ରଦେଶ ଆଣ୍ଟି ଟେରର୍ ସ୍କ୍ବାଡ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି। ଲୋଧି ରୋଡ୍ରେ ଥିବା ଦିଲ୍ଲୀ ପୁଲିସ୍ର ସ୍ପେସିଆଲ୍ ସେଲ୍ର ମୁଖ୍ୟ କାର୍ଯ୍ୟାଳୟରେ ଟିମ୍ ଯାଇ ପହଞ୍ଚିଥିବା ସୂଚନା ରହିଛି।