ଭୁବନେଶ୍ୱର: କଟକ-ଭୁବନେଶ୍ୱର ଦ୍ଵେତ ମହାନଗରୀ ମଧ୍ୟରେ ଲେନ୍ ଡ୍ରାଇଭିଂ ପାଇଁ ପ୍ରସ୍ତାବ ଦେଇଛି କମିଶନରେଟ ପୋଲିସ। ଏନେଇ ଗୃହ ବିଭାଗର ପ୍ରମୁଖ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ। ସେ କହିଛନ୍ତି, NH ୧୬ର ଉଭୟ ପଟେ ତିନିଟି ଲେଖାଏଁ ଲେନ୍ ଅଛି। ତେଣୁ ଲେନ୍ ଡ୍ରାଇଭିଂର ବ୍ୟବସ୍ଥା କରାଯିବା ଉଚିତ। ଭୁବନେଶ୍ୱର ଓ କଟକ ମଧ୍ୟରେ ଲେନ୍ ଡ୍ରାଇଭିଂ ସଫଳ ହେଲେ ଅନ୍ୟ ରାସ୍ତାରେ ମଧ୍ୟ ଏହାକୁ ପ୍ରୟୋଗ କରାଯାଇପାରେ ବୋଲି ଡିସିପି ଟ୍ରାଫିକ ସାଗରିକା ନାଥ ପ୍ରସ୍ତାବ ଦେଇଛନ୍ତି।
ସେ ଆହୁରି ମଧ୍ୟ ଜଣାଇଛନ୍ତି ଯେ ବିଶେଷ କରି ଓଭର ଟେକିଂ ସମୟରେ ଦୁର୍ଘଟଣା ହେଉଥିବାରୁ ଲେନ୍ ଡ୍ରାଇଭିଂରେ ଏହି ସମସ୍ୟା କମିବ। ସବୁଠୁ ଦ୍ରୁତ ଗତିରେ ଯାଉଥିବା ଗାଡ଼ି ସଂପୂର୍ଣ୍ଣ ଡାହାଣ ପଟେ, ତାଠାରୁ କମ୍ ଗତିର ମଝିରେ ଓ ସବୁଠୁ ଧୀରେ ଯାଉଥିବା ଗାଡ଼ି ସଂପୂର୍ଣ୍ଣ ଭାବେ ବାମ ପଟେ ଗତି କରିବ। ଲେନ୍ ଡ୍ରାଇଭିଂ ଦ୍ୱାରା ତିନିଟି ଲାଭ ହେବ। ଯାତ୍ରାର ସମୟ କମିବ, ଗାଡ଼ିର ଗତି ବଢ଼ିବ ଏବଂ ଦୁର୍ଘଟଣା କମିବ ବୋଲି ଚିଠିରେ ଲେଖିଛନ୍ତି ସାଗରିକା।