ନବରଙ୍ଗପୁର ୦୨/୦୯/୨୦୨୧ କଳିଙ୍ଗ ଜ୍ୟୋତି : ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲାରେ ସାକ୍ଷରତା ଓ ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ କାଏମ ରହିଛି। ପରମ୍ପରା ନାମରେ କିଶୋରୀ ବାଳିକାମାନଙ୍କୁ ବିବାହ ବନ୍ଧନରେ ବାନ୍ଧିଦେଇ ଅକାଳରେ ମରଣ ମୁହଁକୁ ଠେଲି ଦେଉଛନ୍ତି ପିତାମାତା ଓ ସମ୍ପର୍କୀୟ। ପରିପକ୍ବ ବୟସ ପୂର୍ବରୁ ମାତୃତ୍ବ ଲାଭକରି ଅକାଳରେ ଝଡିଯାଉଛନ୍ତି କିଶୋରୀ ବାଳିକା। ତେବେ ଜିଲାରେ ଏହି ଭଳି କୁତ୍ସିତ ପ୍ରଥାର ବିଲୋପ ପାଇଁ ଜିଲ୍ଲାପ୍ରଶାସନ ତରଫରୁ ତପ୍ତରତା ପ୍ରକାଶ ପାଇଛି। ସମଗ୍ର ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ର ଆରମ୍ଭ କରିଛନ୍ତି ଅନ୍ବେଷା ଅଭିଯାନ। ସମଗ୍ର ନବରଙ୍ଗପୁର ଜିଲାକୁ ୨୦୨୪ ମସିହା ସୁଧା ବାଲ୍ୟବିବାହ ମୁକ୍ତ ଜିଲା ଭାବରେ ପରିଗଣିତ କରିବା ପାଇଁ ଏହି ଅନ୍ଵେଷା ଅଭିଯାନ ମାଧ୍ୟମରେ ଜିଲା ସମାଜ କଲ୍ୟାଣ ବିଭାଗ , ଶିଶୁ ସୁରକ୍ଷା ୟୁନିଟି, ୟୁନିସେଫ ଓ ଆକ୍ସନଏଡ ସଂସ୍ଥାର ମିଳିତ ପ୍ରୟାସରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ବାଲ୍ୟବିବାହକୁ ବନ୍ଦ କରାଯାଇବା ନିମନ୍ତେ ପ୍ରୟାସ ଜାରି ରହିଛି।